ବସନ୍ତ ଆଗମନରେ ଫଗୁଣ ପବନର ମତୁଆଲା ଛୁଆଁ ଏବଂ କୋଇଲିର କୁହୁତାନ ମନରେ ଭରିଦିଏ ପ୍ରେମର ପାରିଜାତ । ସ୍ଵପ୍ନବିଭୋର ମଣିଷଟିଏ ପାଇଁ ଏ ଅନୁଭବ ନିଆରା ସତ; ହେଲେ, ଏ ସ୍ଵପ୍ନକୁ ସାକାର କରିବା ଓ ସ୍ଵର୍ଗର ପାରିଜାତକୁ ହାତ ପା’ନ୍ତାରେ ପ୍ରାପ୍ତ କରିବା ସତରେ କ’ଣ ସମ୍ଭବ? ତେଣୁ ତ ବସନ୍ତ ଆଗମନରେ କୋଇଲିର କୁହୁସ୍ୱରର ଝଙ୍କାରରେ ଝଙ୍କୃତ ସ୍ଵପ୍ନବିଭୋର ମଣିଷଟିଏ ନିଜ ସ୍ଵପ୍ନର ଛାଇକୁ
ଦେଖି ନିଜେ ଡରିଯାଏ । ସ୍ଵପ୍ନସବୁ ଯଦି ଏକ ସାଗରର ଉର୍ମିମାଳା ହୁଅନ୍ତି, ତେବେ ସେ ଉର୍ମିମାଳାକୁ ପ୍ରତିହତ କରି ସ୍ଵପ୍ନର ଶାମୁକା ସଂଗ୍ରହ କରିବା ବେଳେ ଏକ ଦକ୍ଷ ନାବିକର ମାନସିକତାକୁ ଆହରଣ କରିବା ଅନିବାର୍ଯ୍ୟ। କାରଣ ନାବିକଟିଏ ମଙ୍ଗ ସଳଖି ଧରିବା ଆଗରୁ
ଯେଉଁ ସକରାତ୍ମକ ଭାବନା ଓ ସାହସକୁ ନିଜ ମଧ୍ୟରେ ସଂଚାର କରିଥାଏ, ତାହା ଜ୍ୟାମିତିକ ଗତିରେ ପରିବର୍ଦ୍ଧିତ ହୋଇ ଲକ୍ଷ୍ୟପ୍ରାପ୍ତି ଆଡ଼କୁ ଗତିଶୀଳ ହୁଏ । ଏ ଦିବ୍ୟ
ଅନୁଭବକୁ କେବଳ ଜଣେ ଅନୁଭବୀ ହିଁ ହୃଦୟଙ୍ଗମ
କରିପାରେ ଏବଂ ତାହା ଶବ୍ଦ ତଥା ଧ୍ୱନିରେ ରୂପାନ୍ତରିତ ହୋଇ
ଜୀବନର କର୍ମକ୍ଷେତ୍ରରେ ପ୍ରତିଫଳିତ ହୁଏ। ଏ ପ୍ରତିଫଳନର ପ୍ରତିଟି ପର୍ଯ୍ୟାୟକୁ ସଠିକ ଅନୁଶୀଳନ କରି ଅନୁସରଣ କରିପାରିଲେ ହିଁ
ସାଧନାର ପୁଷ୍ପ ବିକଶିତ ହୁଏ । ଯେଉଁ ସ୍ଵପ୍ନ ମଣିଷ ମଧ୍ୟରେ ଦୃଢ ଇଚ୍ଛାଶକ୍ତିକୁ ସଂଚାର
କରିପାରେନା, ତାହା କଦାଚିତ ଏକ ପାହାନ୍ତି ସ୍ଵପ୍ନର ରୂପ ନେଇ ସଫଳତାର ପୃଷ୍ଠଭୂମିରେ
ଦଣ୍ଡାୟମାନ ହୋଇପାରେନାହିଁ ବରଂ ଏହା ଅପୂର୍ଣ୍ଣ ହେବାର ଗଭୀର ମାନସିକ
ଅବସାଦରେ ନିଜକୁ ପତନୋନ୍ମୁଖି କରିଦିଏ । ତେଣୁ ଆସନ୍ତୁ, ଆମେ ଆମ ଜୀବନ କାଳରେ ସ୍ଵପ୍ନକୁ ନେଇ ବିବ୍ରତ ଅବା ବିଧ୍ଵସ୍ତ ହେବାନାହିଁ କିମ୍ବା ବାଟବଣା ହୋଇ ଅବାଟରେ ବି ପାଦ ଥାପିବା ନାହିଁ ବରଂ ସ୍ଵପ୍ନମାନଙ୍କୁ ଏକତ୍ରୀତ କରି ସେଥିରୁ ସଂଗୃହିତ ସକରାତ୍ମକ ଊର୍ଜାକୁ ପ୍ରସାରଣ କରିବା ଦିଗରୁ ଦିଗନ୍ତ ଯାଏ । ଆଉ ସେ ଦିଗନ୍ତବିସ୍ତାରୀ ଊର୍ଜାର ତେଜରେ ମନ-ଆକାଶର କଳା ବାଦଲକୁ ଅପସାରଣ କରିବା।
Comments
Post a Comment