ଅତୀବ ବିଚିତ୍ର ଏଠି ସ୍ରଷ୍ଟାଙ୍କର ସୃଷ୍ଟି ପ୍ରକ୍ରିୟା। ଜୀବନ ଜୀଇଁବାର ପ୍ରତିଟି କଳା ଏଠି ସଂଘର୍ଷ - ସାଲିସ, ଜୟ- ପରାଜୟ ଓ ଉତ୍ଥାନ – ପତନର କାହାଣୀମାଳାରେ ରୁଦ୍ଧିମନ୍ତ। ପ୍ରାପ୍ତି ଓ ଅପ୍ରାପ୍ତିର ଦୋଛକିରେ ମନୁଷ୍ୟ ଏଠି ପରାଜୟକୁ ସ୍ଵୀକାର କରି ଗତିରୁଦ୍ଧ ହୋଇ ଏକ ଯନ୍ତ୍ରଣା ଜର୍ଜରିତ ଆସନ୍ନ ମୃତ୍ୟୁକୁ ପ୍ରତୀକ୍ଷା କରିବାର ଅର୍ଥ ହିଁ ତ ସବୁଠାରୁ ବଡ଼ ଆତ୍ମ-ପରାଜୟ। ତେବେ ବିସ୍ମୃତିର ଅଥଳ ଗର୍ଭରୁ ଅତୀତକୁ ସାଉଣ୍ଟି ଆଣି ସେଥିରେ ଥିବା ସ୍ଵାଭିମାନକୁ ଅସ୍ତ୍ର କରି ଯେଉଁ ଆତ୍ମାଗଣ ପୁରୁଷାର୍ଥକୁ ପ୍ରମାଣ କରିବା ପାଇଁ ପରାଜୟର ପୃଷ୍ଠଭୂମିରେ ପୁନର୍ବାର ଅସ୍ତ୍ର ଧାରଣ କରନ୍ତି ସେମାନେ ହିଁ ଆକାଶର ନକ୍ଷତ୍ର ଭଳି ଏ ଦୁନିଆ ବୁକୁରେ ଆଲୋକର ଧାରାକୁ ବିଚ୍ଛୁରିତ କରନ୍ତି ଓ ପ୍ରତି ହୃଦୟର ନିଭୃତ କୋଣରେ ଅଥଳ ବନାନୀର ସବୁଜିମାରେ ଆତ୍ମ-ବିଜୟୀ ହେବାର ଗୌରବ ଲାଭ କରନ୍ତି। ଫଳତଃ ସେମାନଙ୍କର ମଧ୍ୟରେ ଥିବା ଆବେଗ, ପରିତୃପ୍ତି ଓ ପ୍ରସନ୍ନତା ସୁପ୍ତ ସ୍ଥିତିରୁ ଜାଗ୍ରତ ସ୍ଥିତିକୁ ପୁନଃ ରୂପାନ୍ତରିତ ହୁଏ। ଅତୀତର ସ୍ଵପ୍ନୀଳ ପରିକଳ୍ପନା ନଈପଠାର ବାଲିଘରେ ଆଉ ସୀମିତ ନ ରହି ଆତ୍ମ ପ୍ରକାଶ କରେ। ତା’ପରେ ଏକ ପରାଜିତ ସ୍ଥିତିରୁ ବିଜୟର ସ୍ଥିତି ଆଡ଼କୁ ପ୍ରଧାବିତ ପ୍ରତ୍ୟେକ ମଣିଷ ଏବେ ଯଦି ପରାଜୟରକୁ ବିଜୟର ସଙ୍କେତ ମନେ କରି ପୁନଃ ପୌଣ୍ଡ୍ର ଶଙ୍ଖନାଦରେ ତ୍ୱରାନ୍ୱିତ ହେବେ; ତେବେ ଏ ବିଶ୍ୱପୃଷ୍ଠ ବୀର ପୁରୁଷଙ୍କର ଚରାଭୂଇଁରେ ପରିଣତ ହୋଇଯିବ । ତେଣୁ ଆସନ୍ତୁ, ଜନ୍ମ -ଜନ୍ମାନ୍ତର ଧରି ଆମେ ପାଥେୟ କରି ଚାଲିଥିବା ଆମ ସ୍ଵାଭିମାନଭରା ମୂଲ୍ୟବାନ କର୍ମକୁ । ବହିଯିବାକୁ ଦେବାନି ତାକୁ କାପୁରୁଷତାର କଫିନରେ ଭର୍ତ୍ତି କରି ବରଂ ଏ ସ୍ଵାଭିମାନୀ କର୍ମଧାରାକୁ ସାଉଣ୍ଟି ଆଣି ଓ ତାକୁ ପୁଞ୍ଜି କରି ଆଗେଇ ଚାଲିଥିବା ଅନ୍ତତଃ ନିଜ ନିକଟରେ ପରାଜୟ ହେବା ପର୍ଯ୍ୟନ୍ତ । ଆମ ନିଷ୍ଠା, ନିବିଡ଼ତା ଏବଂ ନିମଗ୍ନତା ଆମକୁ ଏ ଦିଗରେ ତ୍ୱରାନ୍ୱିତ କରିବ ନିଶ୍ଚୟ। ତା’ ହେଲେ ଚାଲନ୍ତୁ, ସାଉଣ୍ଟି ଆଣିବା ଆମ ସ୍ଵାଭିମାନ ଭରା ପୁରୁଷାର୍ଥକୁ ।
Comments
Post a Comment