Stay tuned to my blog ' ANTARDAHA' in Odia- click here to read more....

ମୃତ୍ୟୁଗାମୀ  ଏ  ମାନବ ଶରୀର  ପ୍ରାପ୍ତିର  ପ୍ରାବଲ୍ୟରେ ବେଳେ ବେଳେ ବାଟବଣା ହୁଏ । ନିରୀହ ଭାରବାହୀ ଜୀବଟିଏସମ   ତା' ପ୍ରାପ୍ତିକୁ ବହନ କରି ସେ କିଂ କର୍ତ୍ତବ୍ୟ  ବିମୁଢ ହୋଇପଡ଼େ । କାରଣ , ପ୍ରାପ୍ତିର ପ୍ରାଚୁର୍ଯ୍ୟ  ନିଶାରେ  ସେ' ବିତରଣର ମହାମନ୍ତ୍ରକୁ ଭୁଲିଯାଏ । ଅଭାବିର ଶୂନ୍ୟଥାଳକୁ  ପୂର୍ଣ୍ଣ କରିବାର ଇଚ୍ଛାଶକ୍ତି ତା' ମଧ୍ୟରୁ କ୍ରମେ ବିଲୁପ୍ତ ହୋଇଯାଏ । ସିନ୍ଦୂରାରୁ ଗୋଧୂଳି ଯାଏ ତା' ପ୍ରାପ୍ତି-ପ୍ରାଚୁର୍ଯ୍ୟ-ହ୍ରଦରୁ ଶିଉଳି ପରିଷ୍କାର କର୍ମରେ ସେ ବ୍ୟସ୍ତ ରହେ । ତା' ରତ୍ନ  ଖଚିତ  ସିଂହାସନରେ ଅଳନ୍ଧୁ ଜମିଯାଏ । ପ୍ରଭୁତ୍ଵର ପିପାସାରେ ସେ' ତା ସିଂହାସନରୁ ଅଳନ୍ଧୁ  ସଫାକରେ । ଅତୀତ ପୃଷ୍ଠାକୁ ରୋମନ୍ଥନ କରେ ।
                                                 ପୃଥିବୀର ଚାରୋଟି ସାର୍ବୋଜନୀନନୀତି  ଯଥା - 'ଜାୟତେ', 'ବର୍ଦ୍ଧତେ', 'ପରିଣୟତେ' ଓ 'ବିନାଶୟତେ' ତା' ସ୍ମୃତି ପଟରୁ ଲିଭି ଲିଭି ଆସେ । ସେ' ମୁକ୍ତିର ବାଟ ଖୋଜେ। ଅନ୍ତର୍ଦାହର ତତଲା ଲାଭାରେ ସେ' ଶୋଧିତ ହୁଏ। ତା' ମଧ୍ୟରେ କେହି ଯେମିତି ଚୈତନ୍ୟ ଶକ୍ତିକୁ ଜାଗ୍ରତ କରାଏ । ସେ' ବିତରଣର ମହାମନ୍ତ୍ରକୁ ସ୍ମରଣ କରେ । ସେ ମନ୍ତ୍ରଧ୍ୱନିରେ ଗଗନ ପବନ ଅନୁରଣିତ ହୁଏ । ମନ ତା'ର ଆନ୍ଦୋଳିତ ହୁଏ । ସେ ପୂର୍ଣ୍ଣ କରିଦିଏ ଅଭାବିର ଶୂନ୍ୟଥାଳ। ତାଜା ସମୀରଣର ସ୍ପର୍ଶରେ ତା ପ୍ରାପ୍ତି-ପ୍ରାଚୁର୍ଯ୍ୟ- ହ୍ରଦରେ ଢେଉ ଉଠେ । ସେ ହୃଦୟଙ୍ଗମ କରେ ବିତରଣର ମହତ୍ଵକୁ । ଜନାଶିଷର ଶଙ୍ଖଧ୍ୱନିରେ ସେ ଆହ୍ଲାଦିତ ହୁଏ । ତା ପ୍ରଭୁତ୍ଵର  ନିଶା କ୍ରମେ ହ୍ରାସ ପାଏ । ସେ  ଓହ୍ଲେଇ ଆସେ ତା' ରତ୍ନଖଚିତ ଅଳନ୍ଧୁଧରା ସିଂହାସନରୁ । ଏକ ଅଜଣା ଆନନ୍ଦରେ ସେ ଶିହରି ଉଠେ ସାଧାରଣ ମଣିଷ ଗହଣରେ । ଅନ୍ତର୍ଦାହର ତତଲା ପ୍ରଭାବରେ ତା' ଓଠରୁ ଝରିଆସେ -
                       " ସଂଗ୍ରହ କି କାରଣେ କରିବି ଦ୍ରବ୍ୟକୁ ,
                         ପାରିବିନି ଯେବେ ବିତରି ତାହାକୁ "।
ସେ ବିତରଣ ହିଁ  ତ  ପ୍ରେମ । ତେବେ ଅନ୍ତର୍ଦାହ ମାଧ୍ୟମରେ ତାକୁ ଖୋଜିଲେ କ୍ଷତି କ'ଣ ?
                                                    

Comments

Post a Comment