‘ପ୍ରେମ, ନିର୍ଗୁଣ ଓ ନିରାକାର ସତ; ତଥାପି ସେଠି ଅଛି ଆଲୋକର
ରଶ୍ମୀଛଟା! ସେ ସୂର୍ଯ୍ୟ ଭଳି ପ୍ରତିଭାଦୀପ୍ତ , ସୁତରାଂ ସେ ହିଁ ତ ଏ ଜଗତକୁ ଚଳଚଞ୍ଚଳ କରିପାରେ । ମଣିଷ ମଧ୍ୟରେ ନୂତନ ଶକ୍ତିର ସଞ୍ଚାର କରିପାରେ । ସେ’ ବିଷକୁ ଅମୃତ କରିପାରେ । ତେଣୁ ସେ
ହିଁ ତ ଅମୃତର ଅନ୍ୟନାମ । ସେ ଦିବ୍ୟଧାମର ଯାତ୍ରୀଟିଏ । କୁଚ୍ଛିତ ଲାଳସା ତାକୁ ଗ୍ରାସ କରିପାରେନା ! ଲାଳସାରହିତ ପ୍ରାଣୀମାନଙ୍କୁ ସେ ସ୍ଵର୍ଗୀୟ ସ୍ପର୍ଶ ଦେଇଥାଏ ଏବଂ ଅପର ପକ୍ଷରେ
ଲାଳସାଯୁକ୍ତ ପ୍ରାଣୀ ତା’ର ପ୍ରଭାବରେ ରସାତଳଗାମୀ ହୁଏ
।
ପ୍ରେମ,
ତ୍ୟାଗର ଅନ୍ୟ ନାମ । ତ୍ୟାଗର ଖଡ୍ଗଧାରରେ ସେ ନିଜକୁ ବାରମ୍ବାର ଶାଣିତ କରେ । ତ୍ୟାଗପୂର୍ବକ ଯିଏ ଭୋଗକୁ ଗ୍ରହଣ କରେ, ପ୍ରେମ ତା ‘ ଚଲାପଥରେ ଶାନ୍ତିର ପାରିଜାତ ବିଛେଇଦିଏ ; ଅନ୍ୟଥା, ଅଶାନ୍ତିର ଲେଲିହାନ ଶିଖାରେ ଜାଳିପୋଡି ତା’କୁ ଭସ୍ମୀଭୂତ
କରିଦିଏ। ଉପେକ୍ଷିତ ବ୍ୟକ୍ତିମାନଙ୍କ ପାଇଁ ସେ ମହୌଷଧି ଭଳି କାର୍ଯ୍ୟ କରିଥାଏ, କାରଣ ସେ ବୁଝିପାରିଛି ଯେ ,
ଉପେକ୍ଷା ହିଁ ଯାତନାର ଜନନୀ।
ଦିବ୍ୟଧାରା
ପ୍ରେମ ତ ପୃଥିବୀରେ ବାସ୍ନାରହିତ । ବାସ୍ନା ପ୍ରେମ ଏବଂ ପ୍ରେମୀକୁ କଳୁଷିତ କରିଦିଏ । ସୁତରାଂ
ସେ ଦେହାତିତ .... ସମୟ ଓ ଶୂନ୍ୟତା ଠାରୁ ଉର୍ଦ୍ଧ୍ଵରେ ତା
ଆସନ ! ଦୃଢତାର ଅନ୍ୟ ନାମ ସିଏ .... ସାଧନାପଥର ନିରବଛିନ୍ନ ନିରଳସ ଯାତ୍ରୀଟିଏ ସେ ! ନା ତା’ ପାଖରେ କ୍ଳାନ୍ତି ଅଛି ନା ସେ କାହାରିକୁ କ୍ଳାନ୍ତି ଦେଇଛି...
!!! ସେ’ ସାରା ସମୟ ଧରି ଏକ ଦିବ୍ୟ ପ୍ରଫୁଲ୍ଲତାକୁ ଅନୁଭବ କରିଛି।
ନିଜେ ନିଜର ପ୍ରଚାର ପାଇଁ ସେ ବ୍ୟଗ୍ର ନୁହେଁ ବରଂ ଅନ୍ୟକୁ ପ୍ରସାରିତ କରିବା ପାଇଁ ସେ ସତତ ଜାଗ୍ରତ ।
ସେ ହୃଦୟଙ୍ଗମ କରିସାରିଛି, ସ୍ଵପ୍ରଚାର
ହିଁ ମାନସିକ ଅଶାନ୍ତିର ଓ ଆତ୍ମ ଗ୍ଲାନିର
ଅନ୍ୟତମ ବାହକ । ଆତ୍ମପ୍ରଚାର ଦ୍ଵାରା ଜ୍ଞାନ ପରିବ୍ୟାପ୍ତ ହୁଏ ନାହିଁ ବରଂ ଶଙ୍କୁଚିତ ହୋଇଯାଏ ।
ପ୍ରେମ ତ ଏ ପୃଥିବୀରେ ସ୍ଥିତପ୍ରଜ୍ଞ ଅଟେ । ସୁଖ –ଦୁଃଖ ଓ ଉଷ୍ଣତା – ଶୀତଳତାକୁ ସେ ସମଜ୍ଞାନ କରେ । ତେଣୁ
ଶାନ୍ତି ତା ନିକଟରେ ସ୍ଵୟଂ ବିରାଜିତ ହୁଏ । ସେ’ ଜ୍ଞାନର ପ୍ରକୃତ ସ୍ଵାଦକୁ ଉପଲବଧି କରେ । ପାପ – ପୁଣ୍ୟ , ହିତ ଓ ଅହିତକୁ ତର୍ଜମା କରି
ପ୍ରାଣୀମାନଙ୍କୁ ଉପଯୁକ୍ତ ମାର୍ଗଦର୍ଶନ କରିଥାଏ । ସେ ସମାଜକୁ
ସଚେତନ କରିଥାଏ ଯେ , ପାପର ପରିଭାଷାକୁ ହୃଦୟଙ୍ଗମ ନ କରି ପାରିଲେ ଏକାକୀତ୍ଵ ଅନିବାର୍ଯ୍ୟ ହୋଇପଡେ । ( କ୍ରମଶଃ)
Comments
Post a Comment