ଜଣେ ମୋ ତପସ୍ୟା ଆଉ ଜଣେ ତପୋବନ ,
ଜଣେ ମୋ ସାଧନା ଅନ୍ୟ ଜଣେ ଉପବନ ।
ଜଣେ ବାଳାରୁଣ ଅନ୍ୟ ଜଣେ ମୋ-ଜହ୍ନ ,
ଜଣେ ମୋ ଅଭିମାନ ଅନ୍ୟ ଜଣେ ସ୍ଵାଭିମାନ . . . . . ।
ରାଜାସନ ତୁଚ୍ଛ ଲାଗେ ମୋ ତପୋବନେ ,
ମୋ ତପସ୍ୟାରେ ରାଜାଦେଶ କିବା ମାନେ ?
ବାଳାରୁଣ କିରଣରେ ତପସ୍ୟା ମୋ ଆସେ ,
ତା’ ସୁର-ଧ୍ୱନି ଶୁଭେ ତପୋବନାକାଶେ
।
ତପୋଭୂମି ମୋର
ପ୍ରାଣରୁ ଅଧିକ ,
ଦିବାନିଶି ଜଳେ ସେଠି
ତପସ୍ୟା-ପ୍ରଦୀପ ।
ମାନ-ଅଭିମାନ ପ୍ରଦୀପ-ଶିଖାରେ ,
ସ୍ଵତଃ ସଂସ୍କାରିତ ମୋ ତପୋ ଭୂମିରେ !
ସଭିଏଁ ସମାନ ମୋ
ତପୋବନରେ ,
ଏ ଭୂମି ଝଙ୍କୃତ ସାମ୍ୟଗୀତିରେ ।
ତପୋଭୂଇଁ ମୋର ପୁଣ୍ୟ ପୂଜା ବେଦୀ ,
ନାହିଁ କେହି ଏଠି ମୋର ପ୍ରତିବାଦି ।
ମୋ ଭୂଇଁରେ ଅଛି ସାଧନା କଳସ ,
ସେ କଳସ-ଜଳେ ଶୁଦ୍ଧ ପରିବେଶ ।
ପ୍ରତି ପ୍ରାଣେ ସିଏ ଯାଏ ସଞ୍ଚରି ,
କୀଟ-ତରୁ-ଲତା
ସଭିଏଁ ତା’ରି
।
ନିର୍ଭୀକ-ଗୀତ ସଦା ସିଏ ଗାଏ ,
ଜଗତେ ସେ ତେଣୁ ସଦା ପୂଜା ପାଏ ।
-
କାମାକ୍ଷୀ ପ୍ରସାଦ ଦାଶ -
Comments
Post a Comment