ପ୍ରେମୀ ସର୍ବଦା ବିବେକୀ ହୋଇଥାଏ । ତା’ ଚିତ୍ତ ପ୍ରତିମୁହୂର୍ତ୍ତରେ କୋମଳତାକୁ ଅନୁଭବ
କରେ । ସଂସାରର ମାୟାଜାଲ ତା' ଦୃଷ୍ଟି ପଥାରୂଢ
କରିପାରେନା । ତେଣୁ ପ୍ରେମୀର କାୟା ସର୍ବଦା ଗଙ୍ଗାଜଳ ଭଳି ପବିତ୍ର । ତା’ କଣ୍ଠସ୍ଵର କୃଷ୍ଣର ବଂଶୀସ୍ଵନ ପରି
ସମଗ୍ର ପୃଥିବୀକୁ ଆହ୍ଲାଦିତ କରେ। ସେ ନିର୍ଲିପ୍ତ , ନିରଞ୍ଜନ .... ପ୍ରେମ ହିଁ ତା’ର ଶକ୍ତି । ତା’ର ସଞ୍ଜିବନୀ ମନ୍ତ୍ରରେ ସେ’ ମୃତ୍ୟୁଲୋକରୁ ଜୀବନକୁ ଟାଣି ଆଣିପାରେ। ସେ’ ତା କାହାଣୀକୁ ଲୁହର କାଳିରେ ରଚନା କରେ ବୋଲି ତାହା କାଳଜୟୀ ହୁଏ । ତା’ର ଦୃଢ ଇଛାଶକ୍ତି ତା ଯାତ୍ରା ପଥରୁ ସମସ୍ତ ପ୍ରତିବନ୍ଧକକୁ
ଆଡେଇ ଦେଇଥାଏ ।
ସେ ପରିଶ୍ରମୀ ଏବଂ ପରିଶ୍ରମର ସିଡି ଦେଇ ସେ’ ତା’ର ଅଭିଷ୍ଟ ବସ୍ତୁ ନିକଟରେ
ପହଞ୍ଚିପାରେ । ପରିଶ୍ରମ ହିଁ ତା’ର ଈଶ୍ଵର । ଧ୍ୟାନ , ଧାରଣା ଏବଂ ପ୍ରାର୍ଥନାର ମୂଲ୍ୟବୋଧକୁ ସେ ଉପଲବଧି କରେ । ଶ୍ରମ
ଓ ପ୍ରାର୍ଥନାର ସମ୍ମିଶ୍ରଣରେ ସେ ଅସମ୍ଭବକୁ ସମ୍ଭବ କରେ , ମରୁରେ ଜଳାଧାର ସୃଷ୍ଟି କରେ ....! ସେ ବୁଝି ସାରିଛି ଯେ , ମିଥ୍ୟାର ଆଶ୍ରୟ ନେଇ ଯେଉଁମାନେ
ସତ୍ୟକୁ ପ୍ରତିଷ୍ଠା କରିବାର ପ୍ରୟାସ କରନ୍ତି , ସତ୍ୟ ସେମାନଙ୍କୁ ଧକ୍କା ଦିଏ ଏବଂ ବିଫଳତାର ଅନ୍ଧକାର ଗହ୍ଵରରେ ନିକ୍ଷେପ
କରେ ।
ସ୍ରଷ୍ଟା
ପ୍ରେମ ଏବଂ ପ୍ରେମୀ ଶାନ୍ତିର ଦ୍ୟୋତକ ।ତେଣୁ ତ କ୍ରୋଧ ସେମାନଙ୍କ ସୀମାକୁ ସ୍ପର୍ଶ କରି
ପାରେନା । ତେଣୁ ସେମାନେ
ସମସ୍ତଙ୍କର ବିଶ୍ଵାସୀ ଓ ସମସ୍ତେ ସେମାନଙ୍କର ବିଶ୍ଵାସୀ । ସେମାନେ
କୃତଜ୍ଞତା ଓ ଧନ୍ୟବାଦର ମହତ୍ଵକୁ ବୁଝିଛନ୍ତି । ତେଣୁ ସେମାନେ ସେମାନଙ୍କର ପ୍ରତିଟି ସଫଳତା
ପାଇଁ କାରକକୁ ହୃଦୟ ଭରି ଧନ୍ୟବାଦ ଦିଅନ୍ତି ଓ ଆଞ୍ଜୁଳି ଭରି କୃତଜ୍ଞତା ଦିଅନ୍ତି । କାରଣ, ସେମାନଙ୍କ ପାଇଁ ଶାନ୍ତିର ଅନ୍ୟ ନାମ
କୃତଜ୍ଞତା ।
ସେମାନେ ଭାଗ୍ୟବାଦୀ ନୁହନ୍ତି , ବରଂ ଭାଗ୍ୟ ସେମାନଙ୍କର ଅନୁସରଣ କରିଥାଏ । ପଦହୀନ ବ୍ୟକ୍ତିଟିଏ ପାଇଁ ପାଦୁକା ଯେଭଳି ଅର୍ଥହୀନ , ସଚ୍ଚା ପ୍ରେମୀଟିଏ ପାଇଁ ଭାଗ୍ୟ
ସେଭଳି ମିଥ୍ୟା ଆସ୍ଫାଳନ । ଅବିଶ୍ଵାସ ଦୁଃଖର କାରଣ ବୋଲି ସେମାନେ ହୃଦୟଙ୍ଗମ
କରିଛନ୍ତି । ତେଣୁ ସେମାନେ ବୁଦ୍ଧ। ପୁଣି ସେମାନେ ନିଜେ ବି ନିଜର ନୁହନ୍ତି ଅଥଚ ସେମାନେ ସମସ୍ତଙ୍କର । ସେମାନେ ଅନୁଭୂତି ଓ ଅନୁଭବର ଏକ ଅଥଳ
ସାଗର, ଆକାଶର ତାରା ଭଳି ସେମାନେ ଦୀପ୍ତିମାନ । ତେଣୁ
ପ୍ରତାରଣାର ସମସ୍ତ ବାଦଲକୁ ସେମାନେ ତରଳାଇ ଦେଇପାରନ୍ତି । ସେମାନେ ହିଁ ଏ
ପୃଥିବୀରେ ବାର୍ତ୍ତାବହ – ମାନସିକ ଯାତନାର ଲାଘବ ନିମିତ୍ତ ବିଶଲ୍ୟକରଣୀ ।
( କ୍ରମଶଃ )
( କ୍ରମଶଃ )
Comments
Post a Comment