Stay tuned to my blog- " ତ୍ୟାଗ " । ଅଧିକ ଜାଣିବାପାଇଁ ଏଠାରେ କ୍ଲିକ କରନ୍ତୁ ।

ତ୍ୟାଗ ସମ୍ପର୍କକୁ ଚିରନ୍ତନ କରିଥାଏ । ତ୍ୟାଗ ତ ପବିତ୍ର ଆତ୍ମାର ସ୍ୱରୂପ । ଯେଉଁ ପ୍ରାଣୀର ଭ୍ରୂକୁଟିରେ ସେ ବିଦ୍ୟମାନ , ସେ ପ୍ରାଣୀ ଏ ଜଗତକୁ ଜୟ କରିପାରେ । ତ୍ୟାଗରୁ ଧ୍ୟାନ ଏବଂ ଧାରଣା ଜନ୍ମ ନିଏ । ତ୍ୟାଗ ବଳରେ ପ୍ରାଣୀ ସତ୍ୟର ସନ୍ଧାନ କରିପାରେ । ଏ ଜଗତକୁ ତା’ ସନ୍ଧାନ- ଲବ୍ଧ-ଜ୍ଞାନକୁ ବିତରଣ କରେ ଏବଂ ତା’ର ସେ ବାର୍ତ୍ତା ପ୍ରେମର ଊର୍ଜାରେ ରୂପାନ୍ତରିତ ହୁଏ ଏବଂ ତା’ ମଧ୍ୟରେ ଆତ୍ମଶକ୍ତି ଜାଗ୍ରତ କରାଏ । ପ୍ରାଣୀର ବାସ୍ନାକୁ ତ୍ୟାଗ କରୁଣାରେ ରୂପାନ୍ତରିତ କରେ । ସାଧନାର ମହାବେଦୀରେ ଏକନିଷ୍ଠ ସାଧକ ସଜେଇଦିଏ । ତ୍ୟାଗକୁ ଦମନ କରିବାର ପ୍ରୟାସ କଲେ ସେ ଧ୍ଵଂସର କାରଣ ସାଜେ । ଅନ୍ୟଥା ସେ ସୃଷ୍ଟିର ସଞ୍ଚାର କରେ , କେତେବେଳେ ପିତା ଅଥବା ମାତା , ଭଗିନୀ ଅବା ଭାର୍ଯ୍ୟା ସାଜି ସେ ତା’ର ଉପାଦେୟତା ପ୍ରତିପାଦନ କରେ । ସେ ପୁଣି ନର୍ତ୍ତକୀର ଛନ୍ଦରେ , ଘୁଙ୍ଗୁରର ଛମଛମ ନାଦରେ ପ୍ରତିଫଳିତ ହୁଏ । ଦର୍ଶକର ମନ-ବୃନ୍ଦାବନରେ ଗୋଲାପର ପାଖୁଡ଼ା  ସୃଷ୍ଟି କରେ । ତା’ ଛମଛମ ନାଦରେ ଅପରକୁ ବାନ୍ଧି ରଖେ । ତା’ ନାଦ ସବୁରି ପାଇଁ ଛନ୍ଦ ତୋଳେ । ତେବେ, କେବଳ ପ୍ରେମୀ ହିଁ ତା’ ନାଦକୁ ଶ୍ରବଣ କରିପାରେ , ତା’ ମହତ୍ଵକୁ ବୁଝିପାରେ..... ଅନ୍ୟଥା ତା’ ନାଦ ଶ୍ରୁତିକଟୁ ହୁଏ ।      
   କଥାରେ ଅଛି ‘’ ନାଚି ନ ଜାଣିଲେ ଅଗଣାର ଦୋଷ ‘’ ଅର୍ଥାତ ଅନ୍ୟକୁ ଦୋଷାରୋପ କରିବା ଆଗରୁ ପ୍ରତ୍ୟେକ ପ୍ରାଣୀ ଆତ୍ମ-ବିଶ୍ଳେଷଣ ପାଇଁ ପଦକ୍ଷେପ ନେବା ବିଧେୟ । ଜଣେ ବାରଙ୍ଗନାର ବି ମନ ଏବଂ ହୃଦୟ ଅଛି । ତେବେ ତା’ ମନ ଏବଂ ହୃଦୟକୁ ପଢିପାରିଲେ , ସେ କେଉଁ ପରିସ୍ଥିତିରେ ପାଦରେ ଘୁଙ୍ଗୁର ବାନ୍ଧିବାକୁ ବାଧ୍ୟ ହୁଏ , ବୁଝିହେବ । ତା’ର ବି ମାତୃ ହୃଦୟଟେ ଅଛି, ହେଲେ ତାହା ସୁପ୍ତ , ସନ୍ତାପିତ, ବିଳପିତ ଏବଂ ବିଡ଼ମ୍ବିତ । ଅଙ୍ଗାରରୁ ହୀରାର ସୃଷ୍ଟି ହେଲା ପରି ଜଣେ ବାରଙ୍ଗନା ବି ପତିପ୍ରେମର ଛତ୍ରଛାୟା ତଳେ ପାଦରେ ଅଳତା ପିନ୍ଧିପାରେ , କପାଳରେ ସିନ୍ଦୂର ମାଖି ସୀମନ୍ତିନୀ ହୋଇପାରେ । ତେବେ ଏଥିପାଇଁ ସମାଜ ଓ ପରିବେଶର ଭୂମିକା ଅନସ୍ଵୀକାର୍ଯ୍ୟ । ତେଣୁ ସେ କହେ , ‘’ ହେ ମୋର ସନ୍ଧିଚ୍ଛୁଗଣ , ସ୍ଵଚ୍ଛ ମନଟିଏ ସ୍ଵଚ୍ଛ ପ୍ରେମର ପ୍ରତୀକ । ମନ ତ କଳଙ୍କମୁକ୍ତ , କାଳିମା ତାକୁ ସ୍ପର୍ଶ କରେନା । ଚନ୍ଦ୍ରରେ କଳଙ୍କ ଅଛି , ଅଥଚ ସେ କଳଙ୍କମୁକ୍ତ । ‘’ତେଣୁ ତ୍ୟାଗ ହିଁ ତ ସମ୍ପର୍କର ଅନ୍ୟ ନାମ ।
     

Comments