ଭାବର ଅନ୍ୟ ନାମ ଶ୍ରଦ୍ଧା । ଶ୍ରଦ୍ଧାରୁ ଜାତ ସମର୍ପଣ ।
ସେ
ପୁଣି ପ୍ରେମର ସ୍ୱରୂପ । ଦିବ୍ୟଚେତନାର ଭକ୍ତିରସରେ ସେ କେତେବେଳେ ଆବୃତ , ପୁଣି କେତେବେଳେ ପ୍ରାଣପ୍ରିୟାର
ପ୍ରଣୟ ସଙ୍ଗୀତରେ ଗୁଞ୍ଜରିତ । ମାତୃପଣତର ମମତାରେ ସେ କେତେବେଳେ ଆତ୍ମପ୍ରକାଶ କରେ ତ
କେତେବେଳେ ପିତୃସୁଲଭ କଠୋରତା ମଧ୍ୟରେ ସେ ଉପଲବ୍ଧ ହୁଏ । ସେ ଏକ ଶୁଷ୍କ
କାଷ୍ଠସମ ପ୍ରାଣୀର ମନ ମଧ୍ୟରେ ଥିବା ସକଳ ଯାତନା ଓ ଯନ୍ତ୍ରଣାକୁ ଜାଳି ଦେଇଥାଏ । ତା’ ଜ୍ଵଳନର ଶିଖା ମଧ୍ୟରୁ ନିର୍ଗତ
ଧୂମ୍ରକୁଣ୍ଡଳୀରୁ ସମାଧାନର ସୂତ୍ର ବାହାରେ । ତା’ ଭିତରେ ନିହିତ ଏକ ଶୃଙ୍ଖଳିତ ଜୀବନୀ
ଶକ୍ତି ଯାହାକି ଏ ଜଗତ ପାଇଁ ସିଦ୍ଧି ଆଣିଥାଏ । ଜଣେ ଧନାଢ୍ୟ
ଅମୀର ପରି ସେ ତା’ ଭିତରର ହାସ୍ୟରୋଳୋକୁ
ନିୟନ୍ତ୍ରଣ କରେ ନାହିଁ ବରଂ ଜଣେ ଗରିବର ମନଖୋଲା ହସ ସେ ଜ୍ଵଳନର ଶିଖା ମଧ୍ୟରେ ସର୍ବଦା ଏ ବିଶ୍ଵକୁ
ହାତ ଧରି ସ୍ଵାଗତ କରେ ... ସତେ ଯେମିତି ତା’ ହସରେ ଆକାଶ ଫାଟିପଡେ। ତା’ ଓଠରୁ ଝରିଆସେ, ‘’ ହେ ମୋର
ଅନୁଗାମୀଗଣ , ଧନୀକର ଅର୍ଥବଳ ଔଷଧ କ୍ରୟ କରିପାରେ ହେଲେ ରୋଗୀସେବା
ଭଳି ମହନୀୟ କାର୍ଯ୍ୟକୁ ସମ୍ପାଦନା କରିପାରେନା ।
ଶ୍ରଦ୍ଧାରୁ ଭକ୍ତିର ଉଦ୍ଭବ । ଭକ୍ତି ହିଁ ତ ପ୍ରେମର ମାପକାଠି । ଭକ୍ତଟିଏ
ପାଇଁ ପ୍ରେମ ହିଁ ତ ଈଶ୍ଵର । ଭକ୍ତର ଭକ୍ତି ହିଁ ତ ସିଏ । ଭକ୍ତି ବିନା
ଈଶ୍ଵରଙ୍କ ପ୍ରାପ୍ତି ଯେଭଳି ଅସମ୍ଭବ , ପ୍ରେମୀଟିଏ ବିନା ପ୍ରେମ ବି ଦୁର୍ଲଭ । ଏ
ଜଗତର ଯେକୌଣସି ଧନଠାରୁ ବି ସେ ମୂଲ୍ୟବାନ । ଏ ପ୍ରାଣୀ ଜଗତର (ସୃଷ୍ଟିର) ସ୍ପନ୍ଦନ ବି ସିଏ । ଜୀବନର
ମୂଲ୍ୟବୋଧ ସିଏ ପୁଣି , ସୃଷ୍ଟିର ଆଲୋକଧାରା ବି ସିଏ..... ସେ ନିରନ୍ତର ବିତରି ଚାଲିଛି ତା ଭିତରେ ଥିବା
ପ୍ରକାଶକୁ । କାରଣ, ସେ ବୁଝିଛି ବିତରଣ ହିଁ ସମୃଦ୍ଧିର ଅନ୍ୟନାମ ଏବଂ ବିସ୍ତୀର୍ଣ୍ଣତାର ପରିଚାୟକ , ଆକାଶର ନକ୍ଷତ୍ର
ଭଳି ସେ ସର୍ବପ୍ରସାରୀ , ସତେ ଯେମିତି ତା’
ପ୍ରସାରଣ ଅନନ୍ତ , ଅସୀମ ଏବଂ ଅମାପ..........ଜ୍ଞାନୀର ଲୁକ୍କାୟିତ ଜ୍ଞାନ ସିଏ । ସାଧୁତାର ଦିବ୍ୟ ସିଡ଼ି ସିଏ । ଈଶ୍ଵର ପ୍ରାପ୍ତିର ଅନ୍ତିମ ମାର୍ଗ ସିଏ । ଶକ୍ତିଶାଳୀର
ଶକ୍ତି ସିଏ । ଅସାଧୁକୁ ସାଧୁ କରିବାର ମହୌଷଧି ସିଏ । ମିଶ୍ରଣରୁ ଉପାଦାନକୁ ପୃଥକ କରିବାର ଉପାଦାନ ବି ସିଏ । ତେଣୁ ତାକୁ ଆଦରିନେଲେ କ୍ଷତି କ’ଣ ?
Comments
Post a Comment