ପ୍ରତ୍ୟେକ ପ୍ରାଣୀ ହୃଦୟଙ୍ଗମ କରିବା ଉଚିତ ଯେ , ଜୀବନ ଏକ ମଧୁମୟ ସନ୍ଧ୍ୟା ନୁହଁ ଅବା ଏକ ବିଭୀଷିକାମୟୀ କାଳରାତ୍ରି
ନୁହଁ । ଏହା ଚେତନା , ସ୍ପର୍ଶ ଏବଂ ଅନୁଭୂତିର ଏକ ଗନ୍ତାଘର
ମାତ୍ର । ଯେଉଁମାନେ ବାସନ୍ତୀର ସ୍ପର୍ଶରେ ଶିହରିତ ହୋଇ କର୍ତ୍ତବ୍ୟପଥରୁ
ବିଚ୍ୟୁତ ହୋଇଯାନ୍ତି , ସେମାନଙ୍କ ପାଇଁ ଜୀବନ ଏକ ବିଷପାତ୍ର ସଦୃଶ ଅକାଳ ମୃତ୍ୟୁର ଚିଟାଉ ନେଇ ଉଭା ହୁଏ । ସୁତରାଂ
ସେମାନେ ଜୀବନର ବାସ୍ତବତାକୁ ଉପଲବ୍ଧି କରି ସ୍ଵଳ୍ପାୟୁର ସଦୁପଯୋଗ କଲେ ମହାତ୍ମା ପଦବାଚ୍ୟ
ହୋଇପାରିବେ । ଏ କ୍ଷୟଶୀଳ ଜଗତରେ ସବୁ ଯେମିତି କ୍ଷଣସ୍ଥାୟୀ । ଧନାଢ୍ୟର
ଅମାପ ପୁଞ୍ଜି ସେଥିରୁ ବା ବାଦ୍ ଯାଆନ୍ତା କେମିତି ? ତେବେ, ସଦ୍-ଭାବନାର ପ୍ରସାର ନିମିତ୍ତ ପ୍ରେମରୂପକ ଧନର ଉପଯୋଗ କରାଗଲେ ତାହା ମଙ୍ଗଳକାରୀ
ହୁଏ । ପ୍ରତ୍ୟହ
ପ୍ରଭାତରେ ଏକ ନୂତନ ସତ୍- ସଂକଳ୍ପକୁ ପାଥେୟ କରି ଯେଉଁମାନେ ଦିନଚର୍ଯ୍ୟା ଆରମ୍ଭ କରନ୍ତି ଏବଂ
ସଂକଳ୍ପକୁ ପୁରା କରିବା ପାଇଁ ପ୍ରୟାସୀ ହୁଅନ୍ତି , ଦିବସ ଅନ୍ତେ ସେମାନେ ହିଁ ସୁଖନିଦ୍ରା ଯାଆନ୍ତି.... ସେହିଭଳି ବ୍ୟକ୍ତି ଏ ଜଗତରେ
ସଦ୍-ଗୁରୁର ଆସନ ଲାଭ କରି ଉପଯୁକ୍ତ ଶିଷ୍ୟ ସନ୍ଧାନ କରି ସମୃଦ୍ଧ ପରମ୍ପରାକୁ ଜାରି ରଖିପାରନ୍ତି
।
ଏ ଶରୀର କ୍ଷୟଶୀଳ ଏବଂ ଭଙ୍ଗୁର । ତଥାପି ମଣିଷ ପାପ କରି ଚାଲେ । କିନ୍ତୁ ତା’ର ମନେ ରଖିବା ଉଚିତ୍ ଯେ , ତା’ର ଏ ଖିଆଲ ତା’କୁ
ଧ୍ରୁବତାରାସମ ଅମରତ୍ଵ ପ୍ରାପ୍ତିରେ ସହାୟକ ହୁଏ ନାହିଁ । ବାସ୍ନାରହିତ
ହୃଦୟ ହିଁ ପୁଣ୍ୟାର୍ଜନରେ ମଣିଷକୁ ସାହାଯ୍ୟ କରିଥାଏ । ଥରଟିଏ କୁକର୍ମ
କରି ପାପାର୍ଜନ କରିଦେଲେ ପୁନଃ ପୁନଃ ପରାଜୟର ଗ୍ଲାନିରେ ଡୁବି ନ ଯାଇ ସୁକର୍ମ ଦ୍ଵାରା ପୁଣ୍ୟଭାଣ୍ଡକୁ
ପୂର୍ଣ୍ଣ କରିବା ବିଧେୟ । କାରଣ ପାପର ପାତ୍ର ପୂର୍ଣ୍ଣ ନ ହେବା ଯାଏ ପ୍ରାଣୀ
ଦଣ୍ଡନୀୟ ହୁଏ ନାହିଁ । ଅତଏବ , ସୁକର୍ମ ଦ୍ଵାରା ଯତ୍-କିଞ୍ଚିତ୍ ପାପକୁ କ୍ଷୟ କରିବା ଅସମ୍ଭବ ନୁହେଁ । ଏ
ଶରୀର କ୍ଷଣଭଙ୍ଗୁର ଅଟେ । ତେଣୁ ଏ କ୍ଷଣଭଙ୍ଗୁର ଶରୀରର ବାସ୍ନା ମେଣ୍ଟାଇବା ପାଇଁ
ଯେଉଁ ପ୍ରାଣୀ ପାପକର୍ମରେ ଲିପ୍ତ ହୁଏ , ତା’ ହୃଦୟକୁ ଦୁଃଖର ବାଦଲ ଆଚ୍ଛାଦନ କରିଦିଏ ଏବଂ ସେତେବେଳେ ସେ ମହାତ୍ମା ହେବାର ସ୍ଵପ୍ନକୁ ହରାଇବସେ. . . . . କେବଳ ଅନ୍ତର୍ଦାହର
ଶୀକାର ହିଁ ହୁଏ ।
Comments
Post a Comment