Stay tuned to my blog- " ଓଁକାର " ।

  ଜଣେ ପ୍ରେମାଷ୍ପଦ ପ୍ରେମୀ ବିନା ଅଗ୍ନିରେ ତାପ ସଞ୍ଚାର କରିପାରେ ଏବଂ ବିନା ଅସ୍ତ୍ରରେ ରୁଧିରର ବନ୍ୟା କରିପାରେ । ଚକ୍ଷୁ ମୁଦ୍ରିତ କରି ଦିବ୍ୟଜ୍ୟୋତି ବିତରଣ କରିପାରେ । ବିନା ଶିଖାରେ ପୁଣି ଆଲୁଅ ବାଣ୍ଟିପାରେ । ସେ ପ୍ରଶ୍ଵାସ ହୋଇ ନିଷ୍ପ୍ରାଣ ପିଣ୍ଡରେ ପ୍ରାଣ ସଞ୍ଚାର କରେ ... ! ପୁନଶ୍ଚ ତୋଫାନର ରୂପ ନେଇ ପ୍ରାଣୀ ଜଗତର ଧ୍ଵଂସର କାରଣ ହୋଇପାରେ । ଆଖିର କଜ୍ଜ୍ଵଳ ସାଜି ସେ କେତେବେଳେ ଶୋଭାବର୍ଦ୍ଧନ କରେ ତ କେତେବେଳେ ଶରୀରରେ ରଙ୍ଗ ଭରିଦେଇ ଅନ୍ୟକୁ ଆକର୍ଷଣ କରେ । ଦିବ୍ୟଜ୍ୟୋତିର ରୂପ ନେଇ ଯେତେବେଳେ ଏ ସଂସାରରେ ସେ ପ୍ରବେଶ କରେ , ତା’ ଜ୍ୟୋତିରେ ସବୁ ଯେମିତି ଉଦ୍ଭାସିତ ହୋଇଉଠେ । ମଣିଷର ସାଧାରଣ ଜୀବନଧାରା ସେ ଜ୍ୟୋତିର ପ୍ରଭାବରେ ମଳିନ ଦେଖାଯାଏ । ସତ୍ୟର ଦ୍ଵିତୀୟ ରୂପ ସିଏ , ତା’କୁ ମାଧ୍ୟମ କରି ଯେଉଁ ପ୍ରାଣୀ ତପସାଧନ କରେ , ଅଚିରେ ତା’କୁ ସିଦ୍ଧିପ୍ରାପ୍ତ ହୁଏ । ଆତ୍ମସଞ୍ଜମତାର ପ୍ରତୀକ ସାଜି ସେ ପୁଣି ପ୍ରାଣୀର ଚିତ୍ତକୁ ସ୍ଥିର କରେ , ପୁନଶ୍ଚ ସେ ପ୍ରାଣୀର ଅସ୍ତିତ୍ଵ ସାଜି ମହାପ୍ରଳୟର କାରଣ ହୁଏ । ସୃଷ୍ଟିର ପୁନଃ ସର୍ଜନା ବି ତା’ ନିର୍ଦ୍ଦେଶରେ ହୁଏ।  ପ୍ରେମୀ ତ ଏଠି ଅନ୍ତରୀକ୍ଷର ସ୍ୱରୂପ । ତା’ର ନା ଆୟତନ ଅଛି , ନା ଦୈର୍ଘ୍ୟ ଅଛି , ନା ପ୍ରସ୍ଥ ଅଛି ।  ସେ ସମୟ ଭଳି ଗତିଶୀଳ ଏବଂ  ସର୍ବଦା ପ୍ରସାରଣଶୀଳ । ସେ ଗ୍ରହ ନକ୍ଷତ୍ରଙ୍କ ଭଳି ସ୍ଵତଃ ଗତି କରିଥାଏ । ସେ ଭୁଲକୁ ଠିକ୍ ବୋଲି ଦାବି କରେନା ବରଂ ଏ ଜଗତର ସମସ୍ତ ଭୁଲକୁ ନିଜ ଭିତରେ ରଖି ଠିକର ସନ୍ଦେଶ ଦେଇଥାଏ । ସେ ଘୋଷଣା କରେ , ନିଜକୁ ସମ୍ମାନ ନ ଦେଇପାରିଲେ ଅନ୍ୟକୁ ସମ୍ମାନ ଦେବା ଅସମ୍ଭବ । ଅର୍ଥାତ୍ ଆତ୍ମସମ୍ମାନବୋଧତା ହିଁ ଅପରକୁ ସମ୍ମାନ ପ୍ରଦର୍ଶନର ପ୍ରକୃଷ୍ଟ ମାର୍ଗ । ପରିସ୍ଥିତି ଅନୁଯାୟୀ ଯେଉଁ ବ୍ୟକ୍ତି ନିଜ ଶିର ଅବନ୍ନତ କରିଥାଏ , ସେ ହିଁ ବିଜୟପଥର ଯାତ୍ରୀ ହୁଏ । କାରଣ ପରାଜୟ ବିନା ବିଜୟର ସ୍ଵାଦ ଆସ୍ଵାଦନ କରିହୁଏ ନାହିଁ । ପରାଜୟ ହିଁ ମଣିଷକୁ ପ୍ରଗତିର ସନ୍ଦେଶ ଦିଏ , ଫଳଭରା ବୃକ୍ଷସମ ଯେଉଁ ପ୍ରାଣୀ ନମ୍ର , ଅବନ୍ନତ ଏବଂ ସହନଶୀଳ , ସେ ହିଁ ଜୀବନ ସଂଗ୍ରାମରେ ସେନାପତି ପଦବାଚ୍ୟ ହୁଏ ପୁଣି ମହାତ୍ମା ଆଖ୍ୟା ପାଇଥାଏ ।
          

Comments