ପ୍ରସ୍ତର ଖଣ୍ଡର ଘର୍ଷଣଜନିତ ଅଗ୍ନି ସ୍ଫୁଲିଙ୍ଗ ଦ୍ଵାରା
ବାଉଁଶର ଅରଣ୍ୟରେ ଅଗ୍ନି ସଂଯୋଗ ହେବା ପରି ନତମସ୍ତକ ହୋଇ ଅପରକୁ ସମ୍ମାନ ପ୍ରଦର୍ଶନ କରୁଥିବା
ପ୍ରାଣୀର ମସ୍ତକ ଭାରରେ କ୍ରୋଧିର କ୍ରୋଧ ଶାନ୍ତ ହୋଇଯାଏ ଏବଂ ସେ ନତଜାନୁ ହୋଇ ନତମସ୍ତକ
ପ୍ରାଣୀର ବଶତା ସ୍ଵୀକାର କରେ , ଅର୍ଥାତ ପ୍ରାଣୀ ଅନ୍ୟଠାରୁ ଯାହା ଆଶା କରିଥାଏ , ପ୍ରଥମେ
ତାହା ସ୍ଵ-ଉଦ୍ୟମ କ୍ରମେ ଅକୁଣ୍ଠ ଚିତ୍ତରେ ପ୍ରଦାନ କରିବାକୁ ହୁଏ । ଏହା
ସର୍ବଜନବିଦିତ ଯେ , ଆଲୋକ ପ୍ରଦାନ କରିବା
ପ୍ରଦୀପର ସ୍ଵଭାବ । ଆଲୋକ ପ୍ରଦାନ ବିନା ସେ ଗୁମ୍ ସୁମ୍ ଓ ମଳିନ ଲାଗେ । ସେହିଭଳି
ପ୍ରାଣୀ ତା’ ମଧ୍ୟରେ ଥିବା
ସଦ୍-ଗୁଣକୁ ଜ୍ଞାନର ଶିଖାରେ ପ୍ରଜ୍ଜ୍ଵଳିତ କରି ବିତରଣ ନ କଲେ ଆତ୍ମଯନ୍ତ୍ରଣାରେ ଛଟପଟ ହୁଏ । ଆତ୍ମଦହନର
ଲେଲିହାନ ଶିଖା ତା’କୁ କ୍ରମେ ଗ୍ରାସ କରେ । ଅନ୍ଧକାର
ଯେଉଁଭଳି ଆଲୋକ ନିକଟରେ ଆତ୍ମସମର୍ପଣ କରି ନିଜର ଅସ୍ତିତ୍ଵ ହରାଇବସେ , ଠିକ୍ ସେହିଭଳି ଅଜ୍ଞାନ ପ୍ରାଣୀ
ଜ୍ଞାନୀବ୍ୟକ୍ତିର ପ୍ରଜ୍ଞାରୂପକ ଶିଖାରେ ସ୍ଵପରିଚୟ ହରାଇ ଦେଇଥାଏ ।
ଏହା ସ୍ଵତଃ ପ୍ରମାଣିତ ହୋଇଛି ଯେ , ଯେଉଁ ପ୍ରାଣୀ ସର୍ବଦା ଉର୍ଦ୍ଧ୍ଵଗାମୀ ହୋଇ ସ୍ଵସ୍ଥିତିରୁ
ବିଚ୍ୟୁତ ହୋଇନଥାଏ , ସେ ହିଁ କେବଳ ମହାପୁରୁଷ ପଦବାଚ୍ୟ ହୁଏ । କେବଳ ଆତ୍ମାନୁଶୀଳନର କଷଟି ପଥରରେ ନିଜର ଗୁଣବତ୍ତାକୁ ବାରମ୍ବାର
ପରଖି ନେଇପାରେ । ତେଣୁ ତ ଗୀତାରେ କୁହାଯାଇଛି ,
‘’ ଊର୍ଦ୍ଧ୍ଵଂ ଗଚ୍ଛନ୍ତି ସତ୍ଵସ୍ଥା
ମଧ୍ୟେ ତିଷ୍ଠନ୍ତି ରାଜସାଃ
ଜଘନ୍ୟଗୁଣବୃତ୍ତିସ୍ଥା
ଅଧୋ ଗଚ୍ଛନ୍ତି ତାମସାଃ ।
ମୂଲ୍ୟବୋଧ ହିଁ ଏ ଜଗତରେ ପ୍ରାଣୀର ଏକ ମାତ୍ର
ମାନଦଣ୍ଡ । ସୁତରାଂ ଯେଉଁ
ପ୍ରାଣୀ ମୂଲ୍ୟବୋଧକୁ ଜଳାଞ୍ଜଳି ଦେଇ କର୍ମ ସମ୍ପାଦନ କରିବାର ପ୍ରୟାସ କରିଥାଏ , ତା’ର ସେ
କର୍ମଫଳ ନିଷ୍ଫଳ ହୋଇଯାଏ । କାରଣ ଏ ଜଗତରେ ମୂଲ୍ୟବୋଧକୁ ଅବମାନନା କରି ପ୍ରାଣୀ ଜଗତ
ତିଷ୍ଠି ରହିବା ଅସମ୍ଭବ । ପ୍ରସାରଣଶୀଳ ଏ ଜଗତରେ ସମ୍ପର୍କ ହିଁ ପ୍ରସାରଣର ଏକମାତ୍ର ମାଧ୍ୟମ ।
ସମ୍ପର୍କର ଦିବ୍ୟ ମହକ ଏଠି ସର୍ବତ୍ର ବିଦ୍ୟମାନ-ସେ ଯେମିତି ସମୟର
ଅନ୍ୟରୂପ ।
Comments
Post a Comment