Stay tuned to my blog- " ଫଳନ୍ତି ବୃକ୍ଷ " । ଅଧିକ ପଢିବାପାଇଁ ଏଠାରେ କ୍ଲିକ କରନ୍ତୁ . . .

ଏ ଜଗତରେ ନାରୀ ହିଁ ତ ଶକ୍ତିର ପ୍ରତୀକ । ତା’ ନିକଟରେ ଲକ୍ଷ୍ମୀ , ସରସ୍ଵତୀ ଏବଂ ଶିବାନୀଙ୍କ ଗୁଣ ସନ୍ନିବେଶିତ । ଘରର ଚାରିକାନ୍ଥ ମଧ୍ୟରେ ତା’ ନମନୀୟତା ସୃଷ୍ଟି ନିର୍ମାଣରେ ଯେତିକି ଗୁରୁତ୍ୱପୂର୍ଣ୍ଣ , ମହିଷାମର୍ଦ୍ଦନରେ ତା’ କଠୋରତା ସେତିକି ଅନୁମେୟ । ତେବେ ନାରୀମାନଙ୍କ ପ୍ରତି ଅସମ୍ମାନ କରି ସେମାନଙ୍କୁ ଯିଏ ସମାଜର ବୋଝ ଭାବରେ ଗ୍ରହଣ କରେ , ସେ ପ୍ରାୟଶ୍ଚିତ କରିଥାଏ । ପ୍ରତ୍ୟେକଙ୍କର ଏହା ସ୍ମରଣ ରଖିବା ଉଚିତ୍ ଯେ , ନାରୀ ଏକ ବସ୍ତୁ ନୁହେଁ ବରଂ ସେ ଏକ ଅନୁଭବ । ଯୋଗ୍ୟତା ଥିଲେ ସେ ଅଯାଚିତ ଭାବେ ପ୍ରାପ୍ତ ହୋଇଥାଏ । ନାରୀ ପ୍ରମାଣିତ କରିଛି ଯେ , କର୍ମ ହିଁ ଭାଗ୍ୟର ଅନ୍ୟ ନାମ । ଭକ୍ତି ଓ ପ୍ରେମ ଭାବରୁ ମଣିଷ ମଧ୍ୟରେ କର୍ମପ୍ରବଣତା ଜାଗ୍ରତ ହୁଏ । ସେହି କର୍ମପ୍ରବଣତା ଉପାସନା ଦ୍ଵାରା ସିଦ୍ଧି ଲାଭ କରେ । ସିଦ୍ଧିପ୍ରାପ୍ତ ପ୍ରାଣୀ ସଜ୍ଜନତା ଦ୍ଵାରା ଅପରର ପ୍ରିୟଭାଜନ ହୁଏ ଏବଂ ଫଳନ୍ତିବୃକ୍ଷ ଭଳି ନମ୍ର ହୋଇଥାଏ ।
                                 ନାରୀ ପ୍ରମାଣ କରିଛି ଯେ , କର୍ମ ହିଁ ଏଠି ଭାଗ୍ୟ ଓ ଭଗବାନ । କର୍ମ ବିନା ଭାଗ୍ୟ ଏବଂ ଭଗବାନଙ୍କ ପ୍ରାପ୍ତି ଦୁର୍ଲଭ ହୋଇପଡେ । କର୍ମରୁ ସ୍ଵତଃ ଭକ୍ତି ଜାତ ହୁଏ । ଉପାସନା ଦ୍ଵାରା ସେହି ଭକ୍ତି ଦୃଢିଭୂତ ହୁଏ । ଭକ୍ତି ଏବଂ ଉପାସନା ପ୍ରାଣୀର କର୍ମକ୍ଷେତ୍ରରୁ ସମସ୍ତ  ଦୁଃଶକ୍ତିକୁ ଲୋପ କରିଥାଏ ଏବଂ ସ୍ଵକର୍ମ ପାଇଁ ମମତାକୁ ଜାଗ୍ରତ କରେ । ମମତାମିଶ୍ରିତ କର୍ମ କ୍ରମେ ମନ୍ତ୍ରରେ ରୂପାନ୍ତରିତ ହୁଏ । ସେହି ମନ୍ତ୍ରର ତରଙ୍ଗ ଗୁଞ୍ଜରି ଉଠି ପ୍ରାଣିକୁ ଶକ୍ତିମୟ କରେ । ସେ ଘୋଷଣା କରେ,  ଦୁଃଖକୁ ଜପାମାଳି କରି ଯେଉଁମାନେ ରାସ୍ତା ଚାଲିବାର ପ୍ରୟାସ କରନ୍ତି , ସେମାନଙ୍କ ଶକ୍ତି କ୍ଷୟପ୍ରାପ୍ତ ହୁଏ । ଜୀବନରେ ସଫଳତାର ସୂର୍ଯ୍ୟାଲୋକରୁ ସେମାନେ ବଞ୍ଚିତ ହୁଅନ୍ତି । ଏଠାରେ ବୁଝିବାକୁ ହେବ ଯେ , ବାଧାଦୌଡ଼  ହିଁ ଜୀବନର ଅନ୍ୟନାମ । ପ୍ରତିବନ୍ଧକ ମଧ୍ୟରେ ଯିଏ ନିଜର ଜୀବନପଥକୁ ନିର୍ମାଣ କରିଥାଏ , ସେଠି  ବିଳମ୍ବ ହେଲେ ବି ପୁଷ୍ପବୃଷ୍ଟି ଅନିବାର୍ଯ୍ୟ ଅଟେ । ପ୍ରତିବନ୍ଧକକୁ ଏକ କ୍ରୀଡାବିତର ମନ ନେଇ ଯିଏ ଅତିକ୍ରମ କରେ , ସେ ହିଁ  ଏହି ପୃଥିବୀରେ  ରାଜମହଲ ନିର୍ମାଣ କରିପାରେ।                                                  
          

Comments