Stay tuned to my blog- "ଧ୍ଵଜାଧାରୀ " । ଅଧିକ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ ।

 ବିଷାଦତା ଏକ ଅଭିଶାପ । ତାକୁ ସାଥି କରି ମଣିଷ ବୁଦ୍ଧିଭ୍ରଷ୍ଟ ହୁଏ ଓ ସ୍ମୃତିଭ୍ରଂଶ ହୋଇଯାଏ । କଥାରେ ଅଛି , ମନ ନ ଥିଲେ ଧନର କ’ଣ ଆବଶ୍ୟକ । ଅର୍ଥାତ ବିଷାଦଗ୍ରସ୍ତ  ମନଟିଏ ସଫଳତାରୂପକ ଧନର ସତ୍-ବିନିଯୋଗ କରିପାରେନା ବରଂ ଭାଗ୍ୟବାଦୀ ହୋଇ ସମୟର ଅସମ୍ମାନ କରି ଚାଲିଥାଏ । ଏ ସଂସାରର ପ୍ରତ୍ୟେକ ପ୍ରାଣୀ ଏକ ନିର୍ଦ୍ଦିଷ୍ଟ ଶୃଙ୍ଖଳାରଜ୍ଜୁ ଦ୍ଵାରା ଆବଦ୍ଧ । ବିଧିବ୍ୟବସ୍ଥା ବିନା ଏ ପ୍ରାଣୀଜଗତ ତିଷ୍ଠି ରହିବା ଅସମ୍ଭବ । କାରଣ ଶୃଙ୍ଖଳା ହିଁ ତ ପ୍ରାଣୀଜଗତର ସମୃଦ୍ଧି ଆଣିଥାଏ । ଏ ସଂସାରରେ ପ୍ରାଣୀ ନିଜେ ହିଁ ନିଜର ମାପକାଠି । ନିଜର କଳାତ୍ମକ ମାନଦଣ୍ଡକୁ ନେଇ ସେ ନିଜେ ନିଜର ଦୁର୍ବଳତାକୁ ଆବିଷ୍କାର କରିପାରେ । ତେଣୁ ତ ଏ ପ୍ରାଣୀଜଗତ ପ୍ରଗତିଶୀଳ   । ସୁତରାଂ ଯେଉଁମାନେ ଏ ତତ୍ତ୍ଵକୁ ଉପଲବ୍ଧି କରନ୍ତି , ସେମାନେ ହିଁ ତ ଏ ଜଗତର ନେତୃତ୍ଵ  ନିଅନ୍ତି ।
                                          ଶୃଙ୍ଖଳିତ ପ୍ରାଣୀମାନଙ୍କ ପାଇଁ ସ୍ଵକୁଟୀର ହିଁ ତ ଦେବସ୍ଥାନ ସଦୃଶ । ତାହା ହିଁ ତ ତା’ର ତପୋଭୂମି । ତେଣୁ ସେଠାରୁ ହିଁ ସେ ତା’ର ପ୍ରଗତିର ଧ୍ଵଜା ଧାରଣ କରିଥାଏ ଓ ମାୟାବନ୍ଧନରୁ ମୁକ୍ତ ହୋଇଥାଏ । ଆଉ ଯେଉଁମାନେ ପ୍ରଗତିର ଧ୍ଵଜାଧାରଣପୂର୍ବକ ମାୟାରୁ ନିଜକୁ ମୁକ୍ତ କରିପାରନ୍ତି , ସେମାନେ ହିଁ  ନିଜ ମଧ୍ୟରେ କସ୍ତୁରୀର ସନ୍ଧାନ କରନ୍ତି । ସେମାନଙ୍କୁ ଚିନ୍ତା ବା ଭୟ ଗ୍ରାସ କରି ପାରେନା । ଏଠାରେ ସ୍ମରଣଯୋଗ୍ୟ ଯେ , ଯେଉଁମାନେ ଆଜନ୍ମଭୟାଳୁ ଅଟନ୍ତି , ସେମାନଙ୍କର ଚିନ୍ତା ତୀବ୍ର ହୋଇଥାଏ । ମହାପୁରୁଷଙ୍କ ଭାଷାରେ ଚିନ୍ତା ହିଁ ଭୟର କନ୍ୟା ଅଟେ । ସେମାନେ ଉଭୟେ  ମିଶି ପ୍ରାଣୀର ସମସ୍ତ ଶକ୍ତିକୁ ଅପହରଣ କରିନିଅନ୍ତି । ତେଣୁ ଭାବଶୂନ୍ୟ ମନ ହିଁ ଧ୍ୟାନ ପାଇଁ ଉପଯୁକ୍ତ କ୍ଷେତ୍ର ଏବଂ ଯେଉଁମାନେ ଧ୍ୟାନୀ , ସେମାନେ ହିଁ ଜ୍ଞାନୀ , ସନ୍ଧାନୀ , ବିଜ୍ଞାନୀ ଓ ସନାତନୀ ।
                                   ମଣିଷ ତା’ ଜ୍ଞାତ ବା ଅଜ୍ଞାତରେ ପାପ କରିଥାଏ । ତେବେ ତା’ର ଏ ପାପ ତପସ୍ୟା ଦ୍ଵାରା ହ୍ରାସ ହୋଇପାରେ । ତପୋବଳ ଜନ୍ମ ଜନ୍ମାନ୍ତରର ପାପକୁ ନାଶ କରି ପ୍ରାୟଶ୍ଚିତର ମାର୍ଗ ଉନ୍ମୁକ୍ତ କରେ । ତେବେ , ଏହି ତପୋବଳକୁ ବୃଦ୍ଧି କରିବା ପାଇଁ ମଣିଷ ଗୁରୁଙ୍କର ଶରଣାପନ୍ନ ହେବା ବାଞ୍ଛନୀୟ । କାରଣ ଗୁରୁଙ୍କ ନିକଟରୁ ଶିଷ୍ୟ ଶୂନ୍ୟହସ୍ତରୁ କଦାପି ପ୍ରତ୍ୟାବର୍ତ୍ତନ କରେ ନାହିଁ । ଗୁରୁ ତ ଜ୍ଞାନର ଅସରନ୍ତି ଭଣ୍ଡାର । ତେଣୁ ସେ ଶିଷ୍ୟମାନଙ୍କୁ ନିଜ ତପୋବଳରୁ ବି କିୟଦଂଶ ପ୍ରଦାନ କରିପାରନ୍ତି । ଏହି ତପ ପୁଣି ବିବିଧ ପ୍ରକାରର ଅଟେ । ଯେଉଁ ବ୍ୟକ୍ତି ଅର୍ଜୁନ ତପକୁ ଅଭ୍ୟାସ କରେ , ସେ ସର୍ବଗୁଣସମ୍ପନ୍ନ ହୋଇଥାଏ । ଯେଉଁ ବ୍ୟକ୍ତି କର୍ଷଣ ତପକୁ ଅଭ୍ୟାସ କରେ , ସେ ଦ୍ଵିବିଧା ମଧ୍ୟରେ ସୁବିଧାର ସନ୍ଧାନ କରିଥାଏ । ସେହିଭଳି ଯିଏ  ତିତିକ୍ଷା ତପର ଅଧିକାରୀ ହୁଏ , ସେ ନିଜ ମଧ୍ୟରେ ସହନଶୀଳ ଗୁଣର ବୃଦ୍ଧି କରିଥାଏ । ସମସ୍ତ ସମସ୍ୟାକୁ ମୁକାବିଲା କରି ସେ ଜୀବନପଥକୁ ଅତିକ୍ରମ କରିପାରେ । ସଫଳତା ତା’ ପାଦ ଧୌତ କରେ ।
        ପୁନଶ୍ଚ ଶ୍ରଦ୍ଧା ତପକୁ ଯେଉଁ ବ୍ୟକ୍ତି ଆୟତ୍ତ କରିପାରେ , ଜ୍ଞାନ ତା’ ପାଦ ସ୍ପର୍ଶ କରେ । ସମାଧାନ ତପକୁ ଯିଏ ଆୟତ୍ତ କରେ , ତା’ ମଧ୍ୟରେ ସମର୍ପଣ ଭାବ ବୃଦ୍ଧି ପାଇଥାଏ । ସୁତରାଂ ଏଠାରେ ବୁଝିବାକୁ ହେବ ଯେ , ଯେଉଁ ବ୍ୟକ୍ତି ହସ୍ତ ପ୍ରସାରଣପୂର୍ବକ ଯାଚନା କରେ , ସେ ଶୂନ୍ୟ ହସ୍ତରେ ପ୍ରତ୍ୟାବର୍ତ୍ତନ କରେନା – ଏହା ତ ସନାତନ ଧର୍ମର ନିର୍ଝାସ । ପୁନଶ୍ଚ ଯେଉଁ ବ୍ୟକ୍ତି ସଂଯମତପକୁ ଆଦରି ନିଏ , ସିଏ ସହନଶୀଳତାର ମୂର୍ତ୍ତିମନ୍ତପ୍ରତୀକ ହୁଏ । ତା’ ମଧ୍ୟରେ ସୁସ୍ଥ ବିଚାରଧାରା ଜନ୍ମ ନିଏ ଏବଂ ସିଏ ସ୍ଵତନ୍ତ୍ର ପରିଚୟର ଅଧିକାରୀ ହୁଏ । ସେ ଉଚ୍ଚ ଓ ନୀଚ ବିଚାର ମଧ୍ୟରେ ପାର୍ଥକ୍ୟ ବାରିପାରେ ; ଫଳତଃ ସେ ଉଚ୍ଚ ବିଚାରଧାରାକୁ ପୁଞ୍ଜି କରି ସଦ୍-ଗୁରୁଙ୍କ ନିକଟତର ହୁଏ ଏବଂ ତା’କୁ ଲିପିବଦ୍ଧ କରି ଯୁଗ ଯୁଗ ପାଇଁ ସମାଜର ହିତ ସାଧନ କରିଥାଏ ।
        

Comments