ପ୍ରତିଟି ମଣିଷର ମନ ଭାବନାର ଏକ ଚିରନ୍ତନୀ ଉତ୍ସ ।
ସେଠି ଭାବନା ସ୍ଵତଃ ଜନ୍ମ ନିଏ ଏବଂ ଲୀନ ହୁଏ । ଭାବନା ସକାରାତ୍ମକ ହେଲେ , ସେ ସମାଜର ହିତସାଧନ କରେ – ମଣିଷକୁ ଦେବତା ପଦବାଚ୍ୟ କରେ ।
ଭାବନା ନକାରାତ୍ମକ ହେଲେ , ସମାଜର ଅହିତ ସାଧନ କରେ – ମଣିଷକୁ ରାକ୍ଷସ
କରିଦିଏ । ତେବେ , ଯେଉଁମାନେ ସେମାନଙ୍କ ମସ୍ତିଷ୍କରୁ ସ୍ଵତଃ ଉତ୍ପନ୍ନ
ଭାବନାକୁ କାଗଜରେ ଲିପିବଦ୍ଧ କରି ପରବର୍ତ୍ତୀ ସମୟରେ ଅନୁଶୀଳନ କରନ୍ତି , ସେମାନେ ସମୟକ୍ରମେ ତ୍ରୁଟିମୁକ୍ତ ଭାବଧାରାର ଅଧକାରୀ ହୁଅନ୍ତି ଏବଂ ସମାଜକୁ ସଠିକ୍
ମାର୍ଗ ପ୍ରଦର୍ଶନ କରେଇପାରନ୍ତି । କ୍ରମେ ସମୟର ସଦୁପଯୋଗ କରି ସକାରାତ୍ମକ ଭାବନାର ଏକ
ଚଳନ୍ତି ପୁସ୍ତକ ହୋଇ ପଡନ୍ତି ; ସମୟର ଉପଯୁକ୍ତ ପରିଚାଳନା
କରି ହୃଦୟ ସହ ହୃଦୟର ସମ୍ପର୍କକୁ ଯୋଡି ଦିଅନ୍ତି । ଏଠି ସ୍ମରଣଯୋଗ୍ୟ ଯେ , ବୃକ୍ଷ ବି ମଣିଷର ଭାବନାକୁ ହୃଦୟଙ୍ଗମ କରିପାରେ । ସେ ନିର୍ଜୀବ ନୁହଁ ବରଂ
ବାକ୍-ଶକ୍ତିହୀନ ଏବଂ ଚଳତ୍-ଶକ୍ତିହୀନ । ତଥାପି ତା’ ପ୍ରତି ଯତ୍ନଶୀଳ
ହେଲେ ସେ’ ମଣିଷ ପରି
ଭାବନା ବାଣ୍ଟିପାରେ ଏବଂ ତା ନିକଟରେ ସଙ୍ଗୀତ ଗାନ କଲେ ପ୍ରତିକ୍ରିୟା ପ୍ରକାଶ କରେ । ମଣିଷ ଭଳି କଥା କହିଥାଏ ଅଙ୍ଗ ପ୍ରସାରଣ ପ୍ରକ୍ରିୟାରେ । ତେଣୁ ଏଥିରୁ ସ୍ପଷ୍ଟ ହୁଏ ଯେ , ‘ଭାବନା’ ଜଡ
ପଦାର୍ଥଟେ ନିମିତ୍ତ ଗୁରୁତ୍ଵ ବହନ କରେ ।
ଭାବନାକୁ ଅଧିକ ଶୁଦ୍ଧି କରିବାରେ ଉପବାସର ଭୂମିକା
ସ୍ଵୀକାର୍ଯ୍ୟ । ତେବେ , ଏଥିରେ ନିର୍ଭୀକତା ଅବଲମ୍ବନ କରିବା
ବିଧେୟ । ନିରନ୍ତର ସକାରାତ୍ମକ ଭାବନା ମନରେ ପୁଣି ଜାଗୃତି ଆଣେ
ଏବଂ ଅଜ୍ଞାନ ଅନ୍ଧକାରକୁ ତେଜସ୍ଵୀ ସୂର୍ଯ୍ୟ ଭଳି ଦୂରୀଭୂତ କରେ । ଏହା ପୁଣି ମଣିଷ ମଧ୍ୟରେ
ଧାର୍ମିକ ବଳ ବୃଦ୍ଧି କରେ । ଫଳତଃ ମଣିଷର ଅନ୍ତଃଶୋଧନ କ୍ରିୟା ସ୍ଵତଃ କାର୍ଯ୍ୟକ୍ଷମ
ହୁଏ । ଅନ୍ୟଥା ସେ ଆସୁରିକ ଗୁଣଯୁକ୍ତ ହୁଏ । ଭାବଧାରାରେ ଅଥବା
ଉପବାସରେ ଯେଉଁମାନେ ଆମୋଦକୁ ପ୍ରଶ୍ରୟ ଦିଅନ୍ତି , ସେମାନଙ୍କ ପାଇଁ ତାହା
ନକରାତ୍ମକ ଭାବନାକୁ ଉଦ୍ରେକ କରିଥାଏ।
ଅଜ୍ଞତା ଏକ କାଳନିଦ୍ରା ସଦୃଶ । ମାନବ ପାଇଁ ଧ୍ଵଂସର
କାରଣ ହୋଇଥାଏ । ତେବେ , ଆତ୍ମଜାଗୃତି ଓ ଧାର୍ମିକ ବଳ ଦ୍ଵାରା
ଏହି ନିଦ୍ରାକୁ ଜୟ କରିପାରିଲେ ମଣିଷ ସୌମିତ୍ର ପଦବାଚ୍ୟ ହୁଏ । ‘ଧର୍ମ’ ଯେଉଁମାନଙ୍କ ପାଇଁ ଆତ୍ମିକ ବଳର
ପରିଚାୟକ ନୁହଁ , ସେମାନଙ୍କ ପାଇଁ ‘ଧର୍ମ’ ବନ୍ଧନ ସଦୃଶ କଷ୍ଟଦାୟକ ହୋଇଥାଏ । ସେଠି ଗଣତନ୍ତ୍ରର ମୂଲ୍ୟବୋଧ
ଭୁଲ୍ ପ୍ରମାଣିତ ହୁଏ । ବଡପଣ୍ଡାଙ୍କର
ଦୌରାତ୍ମ୍ୟ ସେମାନଙ୍କ ପାଇଁ ଅସହ୍ୟ ହୋଇଉଠେ । କଠୋର ନିୟମର ନିପୀଡିତ ଚକ୍ର ତଳେ ମଣିଷ ପେଷୀ
ହୋଇଯାଏ ଏବଂ ପରିଶେଷରେ ଧର୍ମ ଅବମାନନା କରି ଧର୍ମଦ୍ରୋହୀର ଆଖ୍ୟା ପାଏ । ତେଣୁ
ଯେଉଁମାନେ ଭାବନାକୁ ସୁସଂଯତ ଓ ସୁବ୍ୟବସ୍ଥିତ କରିପାରନ୍ତି, ସେମାନେ ହିଁ ବିଜୟ ପଥର ଯାତ୍ରୀ ହୁଅନ୍ତି
।
Comments
Post a Comment