Stay tuned to my blog -" ସଂଘ " । ଅଧିକ ପଢିବାପାଇଁ ଏଠାରେ କ୍ଲିକ କରନ୍ତୁ ।

 ସଂଘ ମଣିଷର ବିଚାରଧାରାକୁ ସମୃଦ୍ଧ କରିଥାଏ । ତେବେ, ଏହି ସଂଘ ମଧ୍ୟରେ ଦୁଃଶକ୍ତିର ପ୍ରବେଶ ହେଲେ ବିଚାରଧାରା କଳୁଷିତ ହୁଏ । ସଂଘ ଏକ ବୃକ୍ଷ ସଦୃଶ । ବୃକ୍ଷ ଯେପରି ତା’ର ଫଳସମ୍ଭାରକୁ ସୁରକ୍ଷା ପ୍ରଦାନ କରିଥାଏ , ଠିକ୍ ସେହିପରି ସଂଘ ମଣିଷର ସୁରକ୍ଷା କବଚ ଭଳି କାର୍ଯ୍ୟ କରିଥାଏ ।ବୃକ୍ଷର ବିନା ସାହାରାରେ ଫଳ ଉଚ୍ଚକୁ ନ ଉଠି ପାରିବା ଭଳି ବିନା ସଂଘରେ ମଣିଷର ଉନ୍ନତି ବାଧାପ୍ରାପ୍ତ ହୁଏ । ବୃକ୍ଷ ଯେଭଳି ଫଳର ମାନବୃଦ୍ଧି କରିଥାଏ , ଠିକ୍ ସେହିପରି ସଂଘ ମଧ୍ୟରେ ମଣିଷର ସମ୍ମାନ ବୃଦ୍ଧି ପାଏ । ବୃକ୍ଷର ବିନା ସାହାରାରେ ଫଳ ଭୂପତିତ ହେବା ପରି ସଂଘ ବିନା ମଣିଷ ଅସମ୍ମାନିତ ମନେ କରେ । ସେଥିପାଇଁ ବୈଦିକ ଯୁଗର ପ୍ରାରମ୍ଭରରୁ ବି ମଣିଷ ନିଜର ଅସହାୟତାକୁ ଉପଲବ୍ଧି କରି ସଂଘବଦ୍ଧ ଭାବରେ ବାସ କରିଥିଲା ଏବଂ ଗୋଷ୍ଠୀଗତ ଜୀବନ ମାଧ୍ୟମରେ ନିଜର ଉନ୍ନତି କରିଥିଲା ।
            ଏଠାରେ ସ୍ମରଣଯୋଗ୍ୟ ଯେ , ଯେଉଁମାନେ ନିଜର ସ୍ଥିତି ସମ୍ପର୍କରେ ସଚେତନପୂର୍ବକ କାର୍ଯ୍ୟରତ , ସେମାନଙ୍କୁ ବିଫଳତା ସ୍ପର୍ଶ କରିପାରେନା ଅଥବା ସେମାନେ ‘’ମୁଁ’’ ତ୍ଵ ର ଶିକାର ହୋଇ ପଥଭ୍ରଷ୍ଟ ହୁଅନ୍ତି ନାହିଁ । ତ୍ୟାଗ ସେମାନଙ୍କ ପାଇଁ ଏକମାତ୍ର ଆଧାର ହୋଇଥାଏ । ତ୍ୟାଗରୁ ଭକ୍ତିର ସୃଷ୍ଟି ହୁଏ , ଅର୍ଥାତ ତ୍ୟାଗରୁ ଭକ୍ତିର ସୃଷ୍ଟି ହେଲା ପରି ମଣିଷ ଅହଂକୁ ପରିତ୍ୟାଗ କଲେ ହିଁ ଅନନ୍ତସତ୍ତାକୁ ଉପଲବ୍ଧି କରିପାରେ । ଅତଏବ , ତ୍ୟାଗ ଓ ଭକ୍ତିର ସିଡି ଦେଇ ମଣିଷ ପରିବର୍ତ୍ତନଶୀଳ ଦୁନିଆରେ ସକଳ ଜୀବସତ୍ତାକୁ ଆପଣାର କରିପାରେ । ଅନ୍ୟଥା ଏ ବିଶ୍ଵରେ ଗ୍ଳାନି ବୃଦ୍ଧି ପାଏ ଏବଂ ଏକ ବିଷମୟ ପରିସ୍ଥିତିର ସାମ୍ନା କରି ମାନବ ସମାଜ ହନ୍ତସନ୍ତ ହୁଏ । ସେ ପରିସ୍ଥିତିରେ ମୁକାବିଲା କରି ବିଶ୍ଵବାସୀଙ୍କୁ ନୂତନ ଦିଗ୍-ଦର୍ଶନ ପ୍ରଦାନ କରିବା ପାଇଁ ମହାପୁରୁଷମାନଙ୍କର ଆବିର୍ଭାବ ହୋଇଥାଏ । ଦିବ୍ୟାତ୍ମାମାନଙ୍କର ସାହାରାରେ ବିଶ୍ଵରେ ମାନ ବୃଦ୍ଧି ପାଏ । ଐଶ୍ଵରୀୟ ଜ୍ୟୋତିର ମହାପ୍ଲାବନରେ ମାନବ ସମାଜ ଉଦ୍ଭାସିତ ହୁଏ । ଏହା କେବଳ ସଂଘ ମାଧ୍ୟମରେ  ହିଁ  ତ୍ୱରାନ୍ୱିତ ହୋଇଥାଏ । ତେଣୁ  ସଂଘ ବ୍ୟତିରେକେ ମାନବ ଜୀବନ ବ୍ୟର୍ଥ ପ୍ରାୟ ମନେହୁଏ ।
 

Comments