ମାନବ ସ୍ଵଭାବତଃ ଅନିସନ୍ଧିତ୍ସୁ ଅଟେ । ତେବେ ତା’ର ଏ ଅନିସନ୍ଧିତ୍ସୁ ମନ ସେତେବେଳେ ସଫଳତା ପ୍ରାପ୍ତ ହୁଏ ,
ଯେତେବେଳେ ସେ ଆତ୍ମା ସହ ସାକ୍ଷାତ କରିପାରେ । କାରଣ
ଆତ୍ମସାକ୍ଷାତ ବ୍ୟତିରେକେ ସେ ନିଜକୁ ଚିହ୍ନିପାରେ ନାହିଁ । ଅତଏବ , ଯେଉଁମାନେ ଆତ୍ମା ସହ ସାକ୍ଷାତ
କରିପାରନ୍ତି , ସେମାନେ ହିଁ କେବଳ ଈଶ୍ଵରଙ୍କୁ ଦର୍ଶନ କରିପାରନ୍ତି । ଅନ୍ୟଥା
ଈଶ୍ଵର ସେମାନଙ୍କ ପାଇଁ ଏକ କାଳ୍ପନିକ ଛବି ହୋଇଯାଆନ୍ତି । ପ୍ରତିଟି ମଣିଷ ମଧ୍ୟରେ ପରମାତ୍ମା ବିଦ୍ୟମାନ – ଏହା ଏକ ଅନୁଭବ ଅଟେ । ଯେଉଁମାନେ ନିଜ
ମଧ୍ୟରେ ପରମାତ୍ମାର ସତ୍ତାକୁ ଉପଲବ୍ଧି କରିପାରନ୍ତି ନାହିଁ , ସେମାନେ ଅଶାନ୍ତ ସାଗର ଭଳି ଜନସମାଜର
ଅହିତ ସାଧନ କରନ୍ତି । ଅନ୍ୟପକ୍ଷରେ ଯେଉଁମାନେ ଆତ୍ମସାକ୍ଷାତ ଦ୍ଵାରା ନିଜକୁ ଶୋଧନ
କରନ୍ତି , ସେମାନେ ତ୍ରୁଟିଶୂନ୍ୟ
ଜୀବନକୁ ଅତିବାହିତ କରିପାରନ୍ତି । ଧର୍ମର ଦ୍ଵାହି ଦେଇ ସେମାନେ ଏମିତି କିଛି ବି କର୍ମ
କରନ୍ତି ନାହିଁ , ଯାହାକି ସାମାଜିକ
ମୂଲ୍ୟବୋଧକୁ କ୍ଷୁର୍ଣ୍ଣ କରିଥାଏ ଏବଂ ଅତ୍ୟାଚାରୀ ମନୋଭାବକୁ ଉଦ୍ରେକ କରିଥାଏ ।
ଦାୟିତ୍ଵବୋଧତା ପ୍ରତିଟି ମଣିଷର ଏକ ମହନୀୟ ଗୁଣ । ସାଗର ଯେଭଳି ଜଳକୁ ପ୍ରବାହିତ କରିବା ଦାୟିତ୍ଵ ବହନ କରି
ବିନା କ୍ଳାନ୍ତିରେ ଅବିଶ୍ରାନ୍ତ ବହି ଚାଲେ , ଠିକ୍ ସେହିଭଳି ଯଦି ପ୍ରତିଟି ମଣିଷ ଦାୟିତ୍ଵର ବୋଝ ବୋହି ଆଗେଇଚାଲିବାର ଭୀଷ୍ମ ଶପଥ
ନିଅନ୍ତି , ତେବେ ଏ ସମାଜରୁ କ୍ଷୁଧା ଏବଂ ଦାରିଦ୍ର୍ୟ ଅଚିରେ ଦୂରୀଭୂତ
ହେବ ଏବଂ ରାମରାଜ୍ୟ ପୁନଃ ପ୍ରତିଷ୍ଠା ହେବ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ , ସମର୍ପଣର ମୂଲ୍ୟବୋଧକୁ ଯେଉଁମାନେ
ହୃଦୟଙ୍ଗମ କରନ୍ତି , ସେମାନେ ରାମରାଜ୍ୟ ପ୍ରତିଷ୍ଠା କରିପାରନ୍ତି ଏବଂ
ସେହି ରାଜ୍ୟରେ ସିଂହାସନ ପାଇଁ ଲାଳାୟିତ ନ ହୋଇ ସେବକ ବା କର୍ମୀ ଭୂମିକାରେ ଅବତୀର୍ଣ୍ଣ
ହୁଅନ୍ତି । ପ୍ରଜାପ୍ରେମ ସେମାନଙ୍କ ପାଇଁ ସିଂହାସନ ଠାରୁ ଉଚ୍ଚରେ
ରହିଥାଏ ଏବଂ ତା’କୁ ପାଥେୟ କରି ସେମାନେ
ପଥ ଚାଲନ୍ତି ।
Comments
Post a Comment