ମାନବ ଜୀବନ ଏଠି
ସ୍ରୋତସ୍ଵୀନିର ଅଙ୍କାବଙ୍କା ବନ୍ଧୁରମୟ ପଥସଦୃଶ । ତେବେ ତା’ ଲକ୍ଷ୍ୟ ସ୍ରୋତସ୍ଵୀନିର ଜଳଧାରା ଭଳି ସ୍ଵଚ୍ଛ । ସ୍ରୋତସ୍ଵୀନିର
ଦିବ୍ୟଭାବନାସମ ମାନବର ଭାବଧାରା । ସୁତରାଂ ତା’ ମଧ୍ୟରେ ଥିବା ବଦାନ୍ୟତା ଭାବ ବି ଦିବ୍ୟଚେତନାରେ ଉଦ୍ବୁଦ୍ଧ ହେବା ବିଧେୟ । ବାହ୍ୟ
ପ୍ରଦର୍ଶନ ପାଇଁ ଯେଉଁ ଦାନ ଦିଆଯାଏ , ତାହା ଦିବ୍ୟତାର ପ୍ରତୀକ ନୁହଁ ବରଂ ତାହା ଆତ୍ମପ୍ରଦର୍ଶନର ଏକ ସୁପରିକଳ୍ପିତ ମାର୍ଗ । ତେଣୁ
ମାନବ ହୃଦୟଙ୍ଗମ କରିବା ଉଚିତ୍ ଯେ , ତା’ ବଦାନ୍ୟ ଭାବ ଏକ ପୁଷ୍ପର ସୁଗନ୍ଧସମ , ଯାହାକି ବିନା
ପ୍ରଦର୍ଶନରେ ବି ପ୍ରତ୍ୟେକଙ୍କ ମନକୁ ଆହ୍ଲାଦିତ କରିଥାଏ ।
ଫୁଲଟିଏ କେବଳ ସୁଗନ୍ଧ ବିତରଣ କରିଚାଲେ । ତେବେ
ସେ କାହାରିଠାରୁ ପ୍ରାପ୍ତିର ଆଶା ରଖେ ନାହିଁ । ତା’ର ସୁଗନ୍ଧ ଯେ , ତା’ ନିଜସ୍ଵ ନୁହଁ , ସେ
ସୁଗନ୍ଧକୁ ଧରି ରଖିବା ପାଇଁ ଏକ ମାଧ୍ୟମ ମାତ୍ର । ତେଣୁ ଫୁଲଟିଏସମ ନିଜ ବଦାନ୍ୟତାକୁ ପ୍ରକାଶ
କରିବାରେ କ୍ଷତି କ’ଣ ? ଫୁଲ ତ କୋମଳତାର
ପ୍ରତୀକ । ସେ ଏ ଜଗତର ପ୍ରତିଟି
ପ୍ରାଣରେ ଆନନ୍ଦର ଦିବ୍ୟ ମହକ ଭରିଦିଏ । ଦିବ୍ୟତାର ମହମହ ବାସ୍ନାରେ ଚତୁର୍ଦ୍ଦିଗ ଏକ ଅନିର୍ବଚନୀୟ
ଅନୁଭବ ସୃଷ୍ଟି ହୁଏ । ସେ ବିତରଣ କରେ ଅଥଚ ମୁହଁ ଖୋଲି କାହାରିଠାରୁ କିଛି
ଦାବି କରେ ନାହିଁ । ଜଣେ ତପସ୍ଵୀସମ ଏ ସଂସାରର ମଙ୍ଗଳ ପାଇଁ ସେ ତପସାଧନା
କରିଥାଏ । ଈଶ୍ଵରଙ୍କ ନିକଟରେ ଅଳି କରିଥାଏ। ତା’ର ସେ ତପ କେତେବେଳେ ବିଶ୍ଵବାସୀଙ୍କୁ
ବିଦ୍ରୋହର ଆହ୍ଵାନ ଦେଇଥାଏ ତ ଅନ୍ୟ କେତେବେଳେ ସହନଶୀଳତାର ମହାମନ୍ତ୍ରରେ ଦୀକ୍ଷିତ କରିଥାଏ । ତା’ର ଚୁମ୍ବକୀୟ ପ୍ରଭାବରେ ଏ ମାନବସମାଜ
ତପଶିକ୍ଷା କରେ ।
Comments
Post a Comment