Stay tuned to my blog- " ଇନ୍ଦ୍ରଧନୁ " । ଅଧିକ ଜାଣିବାପାଇଁ ଏଠାରେ କ୍ଲିକ କରନ୍ତୁ ।

 ତପସ୍ୟା ଇନ୍ଦ୍ରଧନୁ ଭଳି ସର୍ବବ୍ୟାପୀ । ଏହା ସର୍ବତ୍ର ବିଭିନ୍ନ ରୂପରେ ବିଦ୍ୟମାନ । ସୁତରାଂ ଏଠାରେ ତପର ପ୍ରକାରଭେଦ ସମ୍ପର୍କରେ କିଞ୍ଚିତ୍ ଆଲୋଚନା ପ୍ରଣିଧାନଯୋଗ୍ୟ ।ଏହି ତପ ବା ଜପ ମୁଖ୍ୟତଃ ପାଞ୍ଚ ପ୍ରକାରର । ଯଥା :- ବାଚିକ ଜପ , ମାଳା ଜପ , ଉପାଂଶ ଜପ , ଅଜପା ଜପ ଓ ସେବା ଜପ । ଉଚ୍ଚାରଣ ଦ୍ଵାରା ଯେଉଁ ତପ ସାଧନ କରାଯାଏ , ତାହାକୁ ବାଚିକ ଜପ କୁହାଯାଏ । ମାଳା ଧାରଣ କରି ଯେଉଁ ତପ ସାଧନ କରାଯାଏ , ତାହାକୁ ମାଳା ଜପ କୁହାଯାଏ । ନୀରବତା ମଧ୍ୟରେ ବିନା ଉଚ୍ଚାରଣରେ ଯେଉଁ ତପ ସାଧନ କାରାଯାଏ , ତାହା ଉପାଂଶ ଜପ ଅଟେ । ବାହ୍ୟ ବିଧିବ୍ୟବସ୍ଥା ମଧ୍ୟରେ ଯେଉଁ ତପ ସାଧନ କରାଯାଏ , ତାହା ଅଜପା ଜପ ଅଟେ । ଅନ୍ୟର କଲ୍ୟାଣ ପାଇଁ ସେବା ମାଧ୍ୟମରେ ଯେଉଁ ତପ ସାଧନ କରାଯାଏ , ତାହାକୁ କଲ୍ୟାଣୀ ଜପ କୁହାଯାଏ । ତେବେ , ପଞ୍ଚମ ତପ ଦ୍ଵାରା ମାନବ ଚମତ୍କାର ଓ ସଫଳତା ଲାଭ କରେ ଓ ଆତ୍ମା ସମ୍ପର୍କରେ ସମ୍ୟକ୍ ଜ୍ଞାନ ହାସଲ କରିପାରେ ।
                                 ତପ ସାଧନ ଦ୍ଵାରା ମଣିଷ ଆତ୍ମା ସମ୍ପର୍କରେ ସମ୍ୟକ୍ଜ୍ଞାନ ହାସଲ କରିଥାଏ ଏବଂ ଏକ ଦିବ୍ୟଜ୍ୟୋତିର ଉପଲବ୍ଧି କରିଥାଏ । ସେ ବୁଝିପାରେ ଯେ , ଆତ୍ମା ହିଁ ଆତ୍ମାର ପିତା ଅଟେ ଏବଂ ସେ ପୁଣି ନିରାକାର ଓ ନିର୍ଲିପ୍ତ ଅଟେ । ତପ ସାଧନ ଦ୍ଵାରା ମାନବ ଶିବଙ୍କ ସ୍ଥିତିକୁ ଉପଲବ୍ଧି କରେ । ସେ ହୃଦୟଙ୍ଗମ କରେ ଯେ , ଶିବହିଁ ତପ ଏବଂ ଜ୍ୟୋତିର ପ୍ରତୀକ । ପୁନଶ୍ଚ , ସେ ଏକ ବିନ୍ଦୁ ମଧ୍ୟରେ ହିଁ ଉପଲବ୍ଧ । ଆତ୍ମାର ଉପସ୍ଥିତିକୁ ଅନୁଭବ କରିହୁଏ କିନ୍ତୁ ଚର୍ମ ଚକ୍ଷୁରେ ଏହା ଦୃଶ୍ୟମାନ ହୁଏ ନାହିଁ । ଅପରର ଭାବନାକୁ ଯେଉଁମାନେ ନିଜ ମଧ୍ୟରେ ଅନୁଭବ କରିପାରନ୍ତି , କେବଳ ସେମାନେ ହିଁ ଆତ୍ମାର ଅବସ୍ଥିତିକୁ ଉପଲବ୍ଧି କରିପାରନ୍ତି ଏବଂ ସେମାନଙ୍କର ମନ ହିଁ ଅପରର ଦୁଃଖରେ ବିଗଳିତ ହୋଇଥାଏ । ତେବେ , ଯେଉଁମାନଙ୍କର ମନ ଅପରର ଭାବନାକୁ ନେଇ ସ୍ଵତଃ ଆନ୍ଦୋଳିତ ହୁଏ , ସେମାନେ ହିଁ କେବଳ ସମ୍ପର୍କର ସେତୁକୁ ସୁଦୃଢ କରିପାରନ୍ତି । ଏହା ସ୍ମରଣଯୋଗ୍ୟ ଯେ , ଏ ବିଶ୍ଵମଣ୍ଡଳରେ ମଣିଷ ସର୍ବଶକ୍ତିମାନ ଅଟେ । ଦୁର୍ବଳ ମାନସିକତା ନା ତା’ର ଶୋଭାବର୍ଦ୍ଧନ କରେ , ନା ତା’ର କାମ୍ୟ ଅଟେ । ଶକ୍ତିର ପ୍ରଦର୍ଶନ ତ ତା’ ବ୍ୟକ୍ତିତ୍ଵର ପରିଚାୟକ । ଏହା ହିଁ ତ ଇନ୍ଦ୍ରଧନୁର ବୈଶିଷ୍ଟ ।       
            

Comments