ମାନବ ତା’ ଶକ୍ତି ରଜ୍ଜୁରେ କେଉଁ ଏକ ଆବାହମାନ ଯୁଗରୁ ଭୂମା ସହ ଯୋଡି
ହୋଇ ରହିଛି । ସୁତରାଂ
ଯେଉଁମାନେ ଭୂମା ଆଡକୁ ନିଃସର୍ତ୍ତ ହସ୍ତ ପ୍ରସାରଣପୂର୍ବକ ଆଶିଷ ଭିକ୍ଷା କରନ୍ତି , ସେମାନେ ହିଁ କେବଳ ଐଶି ଶକ୍ତିର ଅଧିକାରୀ ହୁଅନ୍ତି ଓ ସମସ୍ତ ବିପଦରୁ ମୁକ୍ତି
ପାଆନ୍ତି । ଅର୍ଥାତ ଈଶ୍ଵରଙ୍କ ଉପରେ ଯେଉଁମାନେ ପ୍ରଗାଢ ଭରସା
ରଖନ୍ତି , ସେମାନଙ୍କର ସମସ୍ୟା
ସ୍ଵତଃ ସମାଧିତ ହୋଇଥାଏ । ମନୁଷ୍ୟ ମଧ୍ୟରେ ଥିବା ହୃଦୟ ଏବଂ ହୃଦୟ ମଧ୍ୟରେ ଥିବା
ସ୍ପନ୍ଦନ ପରସ୍ପରଠାରୁ ଭିନ୍ନ ଅଟନ୍ତି । କୌଣସି ଆକସ୍ମିକ ଘଟଣା ପ୍ରବାହରେ ସ୍ପନ୍ଦନର ବୃଦ୍ଧି
ଅବା ହ୍ରାସ କଟିଥାଏ । କିନ୍ତୁ ହୃଦୟ ପ୍ରତିଟି ଘଟଣା ପ୍ରବାହ ପାଇଁ ସ୍ଥିତପ୍ରଜ୍ଞତା
ଅବଲମ୍ବନ କରେ କାରଣ ହୃଦୟରେ ଝଡ଼ ହେଲେ ମଣିଷର
ମୃତ୍ୟୁ ଅନିବାର୍ଯ୍ୟ । କିନ୍ତୁ ସ୍ପନ୍ଦନର ହ୍ରାସ ବୃଦ୍ଧି ସାମୁହିକ ବତାସ ପରି
ଥମିଯାଏ । ତେଣୁ ସ୍ପନ୍ଦନ ସାଗର କୂଳର ଜୁଆର ଓ ଭଟ୍ଟାସମ ; କିନ୍ତୁ ହୃଦୟ ମଧ୍ୟ-ସାଗରର ଜଳରାଶି
ସମ । ସୁତରାଂ ହୃଦୟ ଓ ସ୍ପନ୍ଦନ ମଧ୍ୟରେ ଯେଉଁ ସୂକ୍ଷ୍ମ
ପାର୍ଥକ୍ୟ ରହିଛି , ତାହାର ଅନୁଭବ ହିଁ ମାନବ ଜୀବନକୁ ଏକ
ନୂତନ ଦିଗନ୍ତ ପ୍ରଦାନ କରିଥାଏ ।
ଏ
ସଂସାରରେ ମୃତ୍ୟୁ ସୂର୍ଯ୍ୟଙ୍କର ଛାୟାସମ । ଆଜି ନହେଲେ କାଲି ଏହା ପ୍ରତିଟି କାୟାକୁ ଗ୍ରାସ
କରିବ। ଏହାକୁ ଉପଲବ୍ଧି କରି ଯେଉଁମାନେ ସ୍ଵତଃ ଏହି ମହାସତ୍ୟର ସାମ୍ନା କରନ୍ତି , ସେମାନେ ହିଁ ଏ ସଂସାରଙ୍କୁ ଜୟ କରିପାରନ୍ତି । କାରଣ ସେମାନେ ଜାଣନ୍ତି , ଆତ୍ମା ଅମର , ଅଜର ଏବଂ ଅବିନଶ୍ଵର । ମୃତ୍ୟୁରୂପୀ
ଛାୟା କେବଳ କାୟାକୁ ହିଁ ଗ୍ରାସ କରିପାରେ । ହେଲେ ଆତ୍ମାକୁ ନୁହଁ । ତେଣୁ
ସେମାନେ ଏକ ଭୟମୁକ୍ତ ଜୀବନକୁ ଜିଇଁ ପାରନ୍ତି । ଏ ଜଗତ ତ ଦ୍ଵନ୍ଦ ମଧ୍ୟରେ ବିଦ୍ୟମାନ ।
ତେବେ ଏଥିରୁ ମୁକ୍ତି ପାଇବାକୁ ହେଲେ ଐଶ୍ଵରୀୟ ସତ୍ତାର ଶରଣାପନ୍ନ ହେବା ଅନିବାର୍ଯ୍ୟ
। ଲୁହର ଦୀପାଳି ଜାଳି ଯେଉଁମାନେ ସ୍ଵର୍ଗୀୟ
ସତ୍ତାର ଆରାଧନା କରନ୍ତି , ସେମାନେ ସମାଧାନର ସମସ୍ତ ସୂତ୍ରକୁ ସ୍ଵତଃ ପ୍ରାପ୍ତ କରନ୍ତି ଏବଂ ବିଜୟର ଧ୍ଵଜା ଉଡାଇ
ପାରନ୍ତି ।
Comments
Post a Comment