Stay tuned to my blog " ଆୟୁଧ" । ଅଧିକ ଜାଣିବାପାଇଁ ଏଠାରେ କ୍ଲିକ କରନ୍ତୁ ।

 ପ୍ରତ୍ୟେକ ପ୍ରାଣୀ ଏଠି ସ୍ମରଣ ରଖିବା ଉଚିତ୍ ଯେ , ଫୁଲ ଠାରୁ ଲୁହ ଅଧିକ ଶକ୍ତିଶାଳୀ ଏବଂ ସେ ସଫଳକାମୀ ମଣିଷମାନଙ୍କର ଅଧିକ ପସନ୍ଦ ଅଟେ । ଲୋତକ ଦୀପାଳିର ଶିଖା ଭକ୍ତର ଭାବନାକୁ ଏଭଳି ଶାଣିତ କରେ ଯେ , ଭକ୍ତଟିଏ ଐଶୀସତ୍ତା ସହ ପ୍ରତ୍ୟକ୍ଷ ସମ୍ପର୍କ ସ୍ଥାପନ କରିପାରେ । ତେବେ ନୀରବତା ଏବଂ ଏକାକୀତ୍ଵ ଏ ଦିଗରେ ମଣିଷର ସହାୟକ ହୋଇଥାଏ । ଯୋଜନ ଯୋଜନ ଦୂରତ୍ଵରୁ ରାଧା କୃଷ୍ଣଙ୍କର ମଧୁର ବଂଶୀର ଗୁଞ୍ଜନକୁ ଏକାନ୍ତରେ ଶୁଣି ପାରିବା ଭଳି ଏକାନ୍ତରେ ଧ୍ୟାନସ୍ଥ ମଣିଷ ତା’ ପସନ୍ଦର ବ୍ୟକ୍ତିର ଡାକ ଶୁଣିପାରେ ଏବଂ ତା’ ସୂକ୍ଷ୍ମ ଉପସ୍ଥିତିକୁ ଉପଲବ୍ଧି କରିପାରେ । ତେଣୁ ଏଠି ବୁଝିବାର କଥା ଯେ , ଶ୍ରଦ୍ଧା ହିଁ ମଣିଷର ସର୍ବଶ୍ରେଷ୍ଠ ଆୟୁଧ ଅଥବା ଯାନ , ଯାହାର ସହାୟତା ନେଇ ମଣିଷ ଅଗମ୍ୟକୁ ଗମନୀୟ କରିପାରେ , କଦାକାରକୁ କମନୀୟ କରିପାରେ ...! ତେଣୁ ତ ପିତୃ ପିତାମହ ପୁତ୍ର କନ୍ୟାଙ୍କର ଶ୍ରାଦ୍ଧଦାନ  ପାଇଁ ପ୍ରତୀକ୍ଷା କରନ୍ତି । କାରଣ ଶ୍ରଦ୍ଧାରୁ ହିଁ ଶ୍ରାଦ୍ଧର ଉତ୍ପନ୍ନ  ହୋଇଛି ।
 ଏଠାରେ ସ୍ମରଣଯୋଗ୍ୟ ଯେ , ମନ ପ୍ରାଣ ଦେଇ ଯାଚନା କରୁଥିବା ବ୍ୟକ୍ତି ଯାଚକର ମନକୁ ଆନ୍ଦୋଳିତ କରିପାରେ । ତେଣୁ ତ ଧ୍ରୁବ ଓ ପ୍ରହ୍ଲାଦ ଶୂନ୍ୟ ହସ୍ତରେ ଫେରିନଥିବା କଥା ଆଜି ବି ଶୃତିକଥା ରୂପେ ଜନମାନସକୁ ଆହ୍ଵାନ ଦେଇଆସିଛି ।
    ପବିତ୍ର ଭାବନାକୁ ଉପଲବ୍ଧି ହିଁ  ତୀର୍ଥସ୍ଥାନ ଭ୍ରମଣର  ଅନ୍ୟନାମ । ଅର୍ଥାତ ପବିତ୍ର ଭାବନା ନେଇ ଯେକୌଣସି ସ୍ଥାନରେ ସକଳ ତୀର୍ଥକୁ  ଏକତ୍ରିତ କରାଯାଇପାରେ । ସମୁଦ୍ରର ଲବଣାକ୍ତ ଜଳରେ ରାମଚନ୍ଦ୍ରଙ୍କ ପବିତ୍ର ଭାବନା କିଭଳି ମଧୁର ଜଳର କୂପ ସୃଷ୍ଟି କରିପାରିଥିଲା , ତାହା ପାଠକ ପାଠିକାମାନଙ୍କୁ ଅଛପା ନୁହଁ । ତେବେ ସ୍ଵଗୃହ ମଧ୍ୟରେ ଗୃହସ୍ଥଟିଏ ପବିତ୍ର ଭାବନାକୁ ପୁଞ୍ଜି କରି ସକଳ ତୀର୍ଥଗମନର ପୁଣ୍ୟାର୍ଜନ କାହିଁକି ନ କରି ପାରିବ ?
 କଥାରେ ଅଛି ‘’ service to man is service to God ‘’। ଅର୍ଥାତ ‘’ ମାନବ ସେବା ହିଁ ମାଧବ ସେବା ‘’ । ଅଭାବୀ ମଣିଷ ହିଁ ଈଶ୍ଵରଙ୍କ ପ୍ରକୃତ ଦୂତ । ତେଣୁ ତ ତା’ରି ସେବା କରି ଈଶ୍ଵରଙ୍କ ପ୍ରାପ୍ତିକୁ ଉପଲବ୍ଧି କରିହୁଏ ....ଧନାର୍ଜନ ପାପ ନୁହେଁ ; ହେଲେ ତା’ର ସଦୁପଯୋଗ ହିଁ ପ୍ରକୃତ ପୁଣ୍ୟଫଳ । ସୁତରାଂ ଜଣେ ଭକ୍ତର ଶ୍ରଦ୍ଧା ଓ ସେବା ଭାବନା ହିଁ  ଦୁଇଟି ଦିବ୍ୟ ଆୟୁଧସମ ତା’ ମଧ୍ୟରେ ଥିବା ଦିବ୍ୟତାର  ପରିପ୍ରକାଶ କରିଥାଏ ।          
          

Comments