ଏ ସଂସାରରେ ପ୍ରେମର ଅର୍ଥ ତ ଓଁକାର । ଦୁଇଟି ଓଷ୍ଠର
ମିଳନରେ ଓଁକାର ସୃଷ୍ଟି ହେବା ଭଳି ଦୁଇ ପ୍ରେମୀଙ୍କର ଦିବ୍ୟ ମିଳନରୁ ହିଁ ପ୍ରେମର ଉତ୍ପତ୍ତି
ହୁଏ । ଓଁ ଶବ୍ଦ ତ ବ୍ରହ୍ମା , ବିଷ୍ଣୁ ଓ ମହେଶ୍ଵରଙ୍କର ମହାମିଳନର
ସ୍ଥଳ । ସୃଷ୍ଟିର ପ୍ରଥମ ଶବ୍ଦଲିପିର ଉତ୍ପତ୍ତି ସ୍ଥଳ ସେଠି ହିଁ
ତ ଥିଲା । ପରେ ପରେ ପ୍ରତ୍ୟେକ ପ୍ରାଣୀର ମନ ମଧ୍ୟରେ ସେ ଶବ୍ଦ ଅତରସମ ସଞ୍ଚରି ଗଲା । ଭୂମା ଭଳି
ବିସ୍ତାରିତ ହେଲା । ଅନନ୍ତର ସନ୍ଧାନ କଲା । ମୃତ୍ୟୁର ଛାୟା ନିରାଶା ମଧ୍ୟରେ ଜୀବନରୂପୀ ଆଶାର
ସଞ୍ଚାର କଲା । ରାଜା, ମହାରାଜା ଏବଂ ପ୍ରଜାଙ୍କୁ ଆୟତ୍ତ
କଲା ; ଅଥଚ , କ୍ଷତି କଲା ନାହିଁ ବରଂ ନିର୍ମାଣର ଶଙ୍ଖ ଧ୍ଵନିରେ ସାରା ସଂସାରର ପ୍ରାଣୀ
ଜଗତକୁ ଝଙ୍କୃତ କଲା । ନିରାଶାର ପ୍ରତିଟି ଶବ୍ଦକୁ ଆଶାର ପୁଟ ଦେଇ ଘୋଷଣା କଲା - “ଆଶା ହିଁ ତ
ବିକାଶର ଅନ୍ୟ ନାମ ଏବଂ ନିରାଶା ଧ୍ଵଂସର ଧୂମକେତୁ ଓ ଉନ୍ନତିର ପରିପନ୍ଥୀ” ।
ଏ ସଂସାର ତ ଉପଚାର ପ୍ରବଣ । ଉପଚାରର ଧୂମ୍ରବଳୟ ମଧ୍ୟରେ ମଣିଷ ଏଠି ପଥହରା ହୁଏ । ମିଥ୍ୟାର
ପିଛା କରି ଅର୍ଥ ଶ୍ରାଦ୍ଧ କରେ । ଉପଚାର ପୁଣି ତା’ ଆଶାଦୀପ୍ତ ମୁଖମଣ୍ଡଳକୁ ନିରାଶାର ବାଦଲରେ ଢାଙ୍କି ଦିଏ । କୁହାଯାଏ
, ଏ ସଂସାରର ସମସ୍ତ ଉପଚାର ବିଧବା
ଆଖିର ଅବିଶ୍ରାନ୍ତ ଅଶ୍ରୁଧାରାସମ । ବିଷାଦର ଅଜସ୍ର ବାଲିଗରଡାକୁ ଜମା କରିଦିଏ , ଯାହା ଦିନେ ପାହାଡର ରୂପ ନିଏ । ମଣିଷ ସେଠି
ସବୁଜିମାର ସନ୍ଧାନ କରେ , ହେଲେ ସେଠି ତ ଚାରିଆଡେ ପଥର ହିଁ ପଥର । ସେ ପୁଣି
ନିରାଶାରେ ହଜିଯାଏ । କିନ୍ତୁ ଆଶା ମଣିଷର ମୌଳିକ ଗୁଣ । ଆଶାବାଦୀ
ମଣିଷଟିଏ ଏକ ସଦ୍ୟଜାତ ଶିଶୁସମ ସମୟ ସହିତ ତାଳ ଦେଇ ସମୃଦ୍ଧିର ସବୁଜ ଉପତ୍ୟକାରେ ପାଦ ରଖେ । ଶିଶୁଟିର
ଦୃଢ ମନୋବଳ ପରି ଆଶା ଏ ଦୁନିଆ ବୁକୁରେ ବିପ୍ଳବର ବିଜୟକେତନ ଉଡାଏ । ମନ୍ତ୍ର ମଧ୍ୟରେ ନିହିତ ଥିବା ଅଦୃଶ୍ୟ ଶକ୍ତି ଭଳି ଆଶା ମଣିଷର ଅସାଧ୍ୟକୁ ସାଧନ କରିପାରେ ପ୍ରେମର
ଫଲଗୁ ଧାରା ଦେଇ; ଯାହାକି ଓଁକାର ପ୍ରବାହ ଦେଇ ସମଗ୍ର ବିଶ୍ଵରେ
ସଞ୍ଚରି ଯାଏ ।
Comments
Post a Comment