Stay tuned to my blog- " କସ୍ତୁରୀ ମୃଗ" । ଅଧିକ ଜାଣିବାପାଇଁ ଏଠାରେ କ୍ଲିକ କରନ୍ତୁ ।

ଏକ ଶୃଙ୍ଖଳିତ ସୀମାବଦ୍ଧ ଜୀବନ ମଧ୍ୟରେ ରହି ମଣିଷ ଅସୀମତାକୁ ଅନୁଭବ କଲା । ସେ ବୁଝି  ପାରିଲା ଯେ , ସେ ହିଁ ଆନନ୍ଦର ଅଥଳ ସାଗର; ଅଥଚ କସ୍ତୁରୀ ମୃଗଟିଏସମ ସେ’  ଆନନ୍ଦର ସନ୍ଧାନ କରି ଚାଲିଛି କାହିଁକି ? ଏ ପୃଥିବୀର ମାଟି ସ୍ପର୍ଶ କରିବାବେଳେ ସେ’ ଦିବ୍ୟ ପ୍ରେମର ନଉକାଟିଏ ସାଥିରେ ଆଣିଥିଲା । ଆଜି ବିନା କାରଣରେ ତାହା କେଜାଣି କେଉଁ ଦୁଃଶକ୍ତି ଦ୍ଵାରା ଅପହୃତ । ତା’ ହେଲେ ସେ କ’ଣ ଏତେ ଦୁର୍ବଳ ! ସେ’ ତା ଦୁର୍ବଳତାର କାରଣ ଖୋଜିଲା । ବୁଝିପାରିଲା ଯେ, ତା’ ବାଲ୍ୟାବସ୍ଥା ପରେ ସେ ତା’ ଧର୍ମପଥରୁ ଓହରି ଆସିଛି ଏବଂ ଏଥିପାଇଁ  ସେ ନିଜେ ହିଁ ତ ଦାୟୀ ! ଅନ୍ୟକୁ ଦାୟୀ କରିବ କିଆଁ ? ଏବେ ତା ଚତୁଃପାର୍ଶ୍ଵରେ କ୍ଷୁଧା-ତୃଷାର ଆର୍ତ୍ତନାଦ । ତା’ ବାଲ୍ୟ ଚପଳାମି ଏବେ ରୁଦ୍ଧ ପ୍ରାୟ । ସେ ଇଚ୍ଛା  କଲେ ବି ତା’ ଗଡ଼ିଯିବା ସମୟକୁ ଆଉ ଫେରେଇ ଆଣିବା ଅସମ୍ଭବ । ସେ’ ତେଣୁ ଏବେ କିଂ କର୍ତ୍ତବ୍ୟ ବିମୂଢ।
                                      ତା’  ଭିତରେ ଏବେ  ଯୁବସୁଲଭ ଆତ୍ମବଳ ନାହିଁ । ସମୟ ପାଖରେ ସେ’ ତା ଆତ୍ମବଳକୁ ଯେମିତି ବନ୍ଧକ ଦେଇସାରିଛି । ସୀସାସମ  ଶକ୍ତ ଯୁବସୁଲଭ ଆତ୍ମବଳ ସହ ଦ୍ଵନ୍ଦ ଯୁଦ୍ଧ ପାଇଁ ସେ ଏବେ ଭୀତତ୍ରସ୍ତ  । ତା’ ଭିତରେ ଭାଙ୍ଗିଯିବାର ଅଜଣା ଆତଙ୍କ । କିନ୍ତୁ ତା’ର ବୁଝିବା ଉଚିତ ଯେ , ସେ ଆଜି ବି ପିତାମହ ଭୀଷ୍ମଙ୍କର ଉତ୍ତରାଧିକାରୀ । ତା’ ଶପଥ ହିମାଳୟ ଭଳି ଅଟଳ । ତା’ ଆତ୍ମବଳ ସ୍ଵର୍ଣ୍ଣବତ ଆଜି ବି ତା’ ଭିତରେ ବିଦ୍ୟମାନ । ତେବେ, ଅହଂରୂପୀ ଆବର୍ଜନା ମଧ୍ୟରେ ସେ’ ଆତ୍ମସତ୍ତା ହରାଇଦେଇଛି । ମନୋବଳରୂପୀ ଅଗ୍ନିର ଲେଲିହାନ ଶିଖାରେ ତା’ ଆତ୍ମବଳ ପୁନଃ ଶୋଧନ ହେବା ସମ୍ଭବ ! ସକଳ ଆବର୍ଜନାକୁ ନିଜ ଭିତରେ ଧରି ରଖିବାର ଅସୀମ କ୍ଷମତା ତା’ ଭିତରେ ଯେ ଅଛି ! ତେବେ, ସେ’ ଏ ବିଷମୟ ସମୟର ମୁକାବିଲା କରିବା ପାଇଁ ଯୁଦ୍ଧକ୍ଷେତ୍ରରେ ଅବତୀର୍ଣ୍ଣ ହେଲେ କ୍ଷତି କ’ଣ ? ସୁତରାଂ ସେ ଅଗ୍ନି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିଲେ ମଣିଷ ଭାଗ୍ୟକୁ ବଦଳାଇ ପାରେ ।
 
 

Comments