ପ୍ରତିଟି
ମୁହୂର୍ତ୍ତ ଏବେ ମଣିଷ ପାଇଁ ପରୀକ୍ଷାର ବେଳ । ପରୀକ୍ଷାର ଯଜ୍ଞବେଦୀରେ ତାକୁ ଉତ୍ତୀର୍ଣ୍ଣ
ହେବାକୁ ହିଁ ହେବ ; ନଚେତ ତା’
ଭାଗ୍ୟରବି ଚିର ଅସ୍ତମିତ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ । ତାକୁ ଏବେ ହୃତୟଙ୍ଗମ
କରିବାକୁ ହେବ ଯେ , କୁସଙ୍ଗ ସମସ୍ତ ଅନୁକୂଳତାକୁ ପ୍ରତିକୂଳତାରେ
ପରିଣତ କରେ । ବିଜୟର ଶଙ୍ଖ ଧ୍ୱନିକୁ ପରାଜୟର ସେହେନାଇରେ ରୂପାନ୍ତରିତ କରେ। ପରିଶ୍ରମ ହିଁ
ସୌଭାଗ୍ୟର ଅନ୍ୟ ନାମ । ପୂଜାର ସମସ୍ତ ଉପଚାର ପ୍ରେମର ଅନ୍ୟ ରୂପ । ପରିଶ୍ରମ ଓ ପ୍ରେମ ସତେ
ଯେମିତି ପରସ୍ପର ପରିପୂରକ । ଜଣକ ବିନା ଅନ୍ୟ ଜଣକର ସ୍ଥିତି ଅକଳନୀୟ । ବିଧିବିଧାନର କଠୋର ଶିଡ଼ି
ଦେଇ ମଣିଷ ତ ପ୍ରେମକୁ ଉପଲବ୍ଧି କରେ । ସୁତରାଂ ବିଧିବିଧାନ ଏବଂ ଉପଚାର
ସ୍ମରଣିକାର ଅନ୍ୟତମ ପରିଚାୟକ । କାରଣ ଦିବ୍ୟ ପ୍ରେମର ଦେହାତୀତ ଅନୁଭୂତି ମାଧ୍ୟମରେ ଯେକେହି
ବ୍ୟକ୍ତି ଐତିହ୍ୟକୁ ସଂରକ୍ଷଣ କରିବାର ପଥ ସୁଗମ
କରିପାରେ ।
ପ୍ରତ୍ୟେକ
ପଥ ଏଠି ଗୋଟାଏ ଗୋଟାଏ ସ୍ମୃତି - ଗୋଟିଏ ଗୋଟିଏ ଅବୋଧ ଶବ୍ଦଲିପି । ସଂଜ୍ଞା ଥାଇ ବି ସେ ବେଳେବେଳେ ସଂଜ୍ଞା ହୀନ ମନେ ହୁଏ
। କାରଣ ,ସେ କେତେବେଳେ ମଣିଷ ଆଖିରେ ଲୁହର ବନ୍ୟା ସୃଷ୍ଟି କରେ ତ ଅନ୍ୟ କେତେବେଳେ ଥରିଲା ଓଠରେ
ଯୁବ-ସୁଲଭ ହସର ଜୁଆର ଭରିଦିଏ ! ତେବେ ଏମିତି ଏକ ଅଭୂତ ଶବ୍ଦର ଉଦ୍ଭବ କେଉଁଠାରୁ ହୋଇଥିଲା ? ବୋଧେ, ଦିବ୍ୟ ପ୍ରେମର ଶେଷ ପରିଣତି ହିଁ ସ୍ମୃତିର ଅନ୍ୟ
ନାମ। ସେ ଏକ ଅବିଭାଜ୍ୟ ଲବ ଆଉ ହର । ଏକ ଅମୀମାଂସିତ ଅକ୍ଷର ପୁଞ୍ଜ । ତେଣୁ ନା ତାକୁ ଛୁଇଁ ହୁଏ
ନା ତାକୁ ଦେଖି ହୁଏ । କେବଳ ତାକୁ ଅନୁଭବ କରିହୁଏ ।
ସୁତରାଂ ଏଠି ସ୍ମରଣ ରଖିବାର କଥା ଯେ, ଦାନର
ପରବର୍ତ୍ତୀ ପର୍ଯ୍ୟାୟ ଚରମ ପରୀକ୍ଷାର ବେଳ ।
କିଛି ଦିଆଯିବା ପରେ ତା’ର ସ୍ମୃତିଚାରଣ କରିବା ଅବାଞ୍ଛନୀୟ । କାରଣ, ତା ଦ୍ଵାରା ଦୁଃଖର ଭାର ଦ୍ଵିଗୁଣିତ ହୋଇଥାଏ । ଦାନଜନିତ ଶୋଚନା ତ ଅପବିତ୍ରତାର ପରିଚାୟକ
। ଏହା
ଦ୍ଵାରା ମଣିଷର ମନ ଏବଂ ଦେହ କଳୁଷିତ ହୁଏ ଓ
ଆସୁରିକ ପ୍ରବୃତ୍ତିକୁ ଜନ୍ମ ଦେଇଥାଏ । ତେବେ, ସେମିତି ଏକ ପଥକୁ ଆପଣେଇ ନ ନେଲେ କ୍ଷତି କ’ଣ ?
Comments
Post a Comment