Stay tuned to my blog - '' ଦିବ୍ୟପ୍ରେମର ପରିଭାଷା" । ଅଧିକ ପଢିବାପାଇଁ ଏଠାରେ କ୍ଲିକ କରନ୍ତୁ ...


ମାନବ ଯେତେବେଳେ କ୍ରୋଧରେ ଅଧୀର ହୁଏ, ଅଥବା ଭୟରେ ଶିହରି ଉଠେ ଅଥବା ଲୋଭରେ ନିଜକୁ ଭୁଲିଯାଏ ଅଥବା ନିଷ୍ଠୁରତା ତାକୁ ଗ୍ରାସ କରେ, ସେ ପରାଧୀନ ହୁଏ। ସ୍ଵାଧୀନ ସୂର୍ଯ୍ୟର କମନୀୟ ଛୁଆଁ ତାକୁ ଆହ୍ଲାଦିତ କରେ ନାହିଁ । କାରଣ ଏଭଳି ସ୍ଥିତିରେ ଉପରୋକ୍ତ ପ୍ରତିଟି ଅବସ୍ଥା ତା’ ନିକଟକୁ ସ୍ଵତଃ ଫେରି ଆସେ। ତେବେ ଏପରି ସ୍ଥିତିରେ ନିଜସ୍ଵ ଇଚ୍ଛା, ବୁଦ୍ଧିମତା ତଥା ପ୍ରେମକୁ ପାଥେୟ କରି ଯଦି ସେ ଆଗକୁ ବଢିପାରେ, ତେବେ ଯାଇ ସେ ସ୍ଵୟଂସମ୍ପନ୍ନ  ସ୍ଵାଧୀନ ମଣିଷ ଭାବେ ନିଜକୁ ଆବିଷ୍କାର କରେ। ଏଭଳି ସ୍ଵାଧୀନ ସ୍ଥିତି ହିଁ ମଣିଷକୁ ହୃଦୟ ସହ ପରିଚିତ କରାଇଥାଏ । ହୃଦୟ ହିଁ କେବଳ ମଣିଷ ଜୀବନର ସଠିକ ଲକ୍ଷ୍ୟକୁ ନିର୍ଦ୍ଧାରଣ କରିପାରେ। ମଣିଷକୁ କର୍ମପ୍ରବଣ କରେ । କର୍ମକୁ ଅନାସକ୍ତ କରେ । ପ୍ରଲୋଭନରୁ ମୁକ୍ତି ଦିଏ। ଅସୀମକୁ ଉପଲବ୍ଧି କରାଏ । ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ମଧ୍ୟରେ ସଂଯୋଗ ସେତୁଟିଏ ହୋଇ ସତ୍ୟର ଉଦ୍ଘାଟନ କରେ।
 ପ୍ରାପ୍ତି ଯେତେବେଳେ ପ୍ରତ୍ୟାଶ୍ୟାରେ ଆତ୍ମହରା ହୁଏ, ପ୍ରଲୋଭନରେ ନିଜକୁ ଭୁଲିଯାଏ ,ପ୍ରତିଯୋଗୀତାରେ ଅସ୍ଥିର ହୁଏ, ମୃତ୍ୟୁ ତା’ର ପିଛା କରିଥାଏ........ । ଆଉ ଏଭଳି ସ୍ଥିତିରେ ହୃଦୟ ହିଁ କେବଳ ବର୍ତ୍ତମାନର ମୁଲାୟମ ପାଖୁଡ଼ା  ସବୁକୁ ସାଉଁଣ୍ଟି ଆଣି ସ୍ଵାଧୀନ,ସୃଜନଶୀଳ ସ୍ଵୟଂ ସମ୍ପନ୍ନ ଜୀବନଟେ ଜିଇଁବା ପାଇଁ ପ୍ରେରଣା ଦେଇଥାଏ । ପ୍ରଗତିର ଧ୍ଵଜା ଧାରଣ କରି ଜୀବନର ମୂଲ୍ୟବୋଧକୁ ପ୍ରଚାର କରୁଥିବା ମଣିଷଟେ ପାଇଁ ସେ ସୃଷ୍ଟି କରି ଚାଲେ ପ୍ରଶସ୍ଥ କ୍ଷେତ୍ରଟିଏ । ନା ସେ କ୍ଷେତ୍ରର କ୍ଷେତ୍ରଫଳକୁ ମାପିବାରେ ତା’ର ଇଚ୍ଛା ଥାଏ, ନା ସେ କ୍ଷେତ୍ରଫଳକୁ ଇଚ୍ଛାକୃତ ଭାବେ ମାପି ହୁଏ । ତେଣୁ ତ ହୃଦୟ ସବୁରି ଉପରେ, ସବୁରି ଅଲକ୍ଷ୍ୟରେ, ନୀରବରେ, ନିସ୍ପନ୍ଦରେ, ନିସର୍ତ୍ତରେ ସମସ୍ତଙ୍କୁ ଆପଣେଇ ନେଇ ଭୂମିରୁ ଭୂମା ଯାଏ ଏକାକାର କରିଦିଏ । ନା ସେଠି ଦୈର୍ଘ୍ୟ  ଥାଏ ନା  ପ୍ରସ୍ଥ ଥାଏ.........। ସବୁ ଯେମିତି ଏଠି ଅସୀମତାରେ ଲୀନ ହୋଇଯାଏ ।
 ‘ପ୍ରେମ’ ଅତୀତ ଭାବନାର ଆତ୍ମଲିପି ନୁହଁ  ଭାବନାର ସବୁଜ କ୍ଷେତ୍ରରେ ଏହାକୁ  କର୍ଷଣ କରିହୁଏ ନାହିଁ ।  ପୁନଶ୍ଚ ଏହାକୁ ପ୍ରତିହିଂସାର ଶକ୍ତ ରଜ୍ଜୁରେ ବନ୍ଧନ କରାଯାଇପାରେ ନାହିଁ । କାରଣ ,ଏମାନେ ସମସ୍ତେ ତ ଅତୀତର ଗୋଟାଏ ଗୋଟାଏ ଅସ୍ତିତ୍ଵହୀନ ପାଣ୍ଡୁଲିପି । ଆଉ  ଅସ୍ତିତ୍ଵହୀନଭାବେ ପ୍ରେମ କ’ଣ ସମ୍ଭବ? ତେଣୁ ସ୍ଵୀକାର କରିବାକୁ ହେବ ଯେ, ପ୍ରେମ ବର୍ତ୍ତମାନର ସିଲଟ ଉପରେ ଚକଚକ କରୁଥିବା ଏକ ପ୍ରବାହ; ଯାହାକି ଜୀବନ୍ତ ଓ କ୍ରିୟାଶୀଳ । କାରଣ ପ୍ରବାହ ବିନା ପ୍ରେମ ମୃତପ୍ରାୟ ମନେ ହୁଏ ।ସେ ତ ଅମୃତର ଦ୍ୟୋତକ। ଅତୀତ ଅଥବା ଭବିଷ୍ୟତର ତାନପୁରାରେ ତା’ର ସ୍ଵରଲିପି ଝଙ୍କାର ତୋଳେ ନାହିଁ । ସେ କାହାରି ପଦାଙ୍କ ଅନୁସରଣ କରେ ନାହିଁ । ଅଥବା କାହାରିକୁ ନିଜର ପଦଧ୍ୱନି ଶ୍ରବଣ କରି ପଥ ଚାଲିବାକୁ ବାଧ୍ୟକରେ ନାହିଁ । ବର୍ତ୍ତମାନର ସ୍ଵଚ୍ଛ  ଆଇନାରେ ସେ ସର୍ବଦା ପ୍ରତିଫଳିତ, ତା’ରି ଭିତରେ ହିଁ ସେ ସର୍ବଦା ଜାଗ୍ରତ ଓ ଜୀବନ୍ତ । ତେଣୁ ତ ଏହା ସାମ୍ୟ,ମୈତ୍ରୀ ଓ ମୁକ୍ତିର ସ୍ୱରୂପ ।
 ‘ପ୍ରେମ’ ଏକ ଦିବ୍ୟ ଅନୁଭବ। ଶୂନ୍ୟବାଦ ମଧ୍ୟରେ ସୂକ୍ଷ୍ମାତି ସୂକ୍ଷ୍ମ ସ୍ଥିତି ଦେଇ ଏହା ପ୍ରବାହିତ । ଏହା ଘୃଣା, କ୍ରୋଧ ଅଥବା ପ୍ରତିହିଂସା ଠାରୁ ଊର୍ଦ୍ଦ୍ଵରେ ଅଦୃଶ୍ୟମାନ ସ୍ଥିତିରେ ଏକ ଉପଲବ୍ଧି ମାତ୍ର । ଏଭଳି ସ୍ଥିତିରେ ନା ସମାଲୋଚନାର ସ୍ଥାନ ଥାଏ ନା ତୁଳନାର ସ୍ଥାନ ଥାଏ । ସବୁ ଯେପରି ଏଠି ସେହି ଶୂନ୍ୟବାଦ ମଧ୍ୟରେ ଏକାକାର, ନିର୍ଲିପ୍ତ ଓ ନିରଞ୍ଜନ । ଏଠି ଏହି ପ୍ରବାହରେ ହୃଦୟ, ମସ୍ତିସ୍କ ଓ ଶରୀର ଏକତ୍ର ସମତାଳରେ ଗତିଶୀଳ ହୁଅନ୍ତି। ସତେ ଯେମିତି ସେମାନେ ସମସ୍ତେ ଗୋଟିଏ ଏକକ ସତ୍ତା। ଜଣକ ବିନା ଅନ୍ୟ ଜଣେ ସ୍ଥିତିହୀନ ଓ ଅସମ୍ପୂର୍ଣ୍ଣ। ଏହା ସମ୍ପୂର୍ଣ ସମର୍ପଣର ଅନ୍ତିମ ଅବସ୍ଥା । ଏହା ମଣିଷ ମନର ଏକ ଆହ୍ଲାଦ ସ୍ଥିତି। ଏହା ଦାୟିତ୍ଵବୋଧର କଠୋର ଶୃଙ୍ଖଳା ଦ୍ଵାରା ଅନୁବନ୍ଧିତ ନୁହଁ । ଏହା ଚରମ ମୁକ୍ତିର ପ୍ରବାହରେ ତଲ୍ଲିନ। କାରଣ ଦାୟିତ୍ଵବୋଧତାର କଠୋରତା ଏହାକୁ ରୁଗ୍ଣ ପ୍ରାୟ କରିଦେଇଥାଏ ; ଯେଉଁଠାରେ କି ମଣିଷ ଆସନ୍ନ ମୃତ୍ୟୁ ଯନ୍ତ୍ରଣାର ବିକଟାଳ ସ୍ଵରକୁ ଶ୍ରବଣ କରି ପ୍ରେମର କମନୀୟ ଛୁଆଁକୁ ଦୁର୍ବିସହ ମନେ କରେ ।
 ପିତାମାତାଙ୍କର ଦାୟିତ୍ଵବୋଧ ଜନିତ ଆକଟ ମଧ୍ୟରେ ସନ୍ତାନ ସନ୍ତତିଙ୍କ ପ୍ରତି ପ୍ରଦର୍ଶିତ କଠୋର ବ୍ୟବହାର ମଧ୍ୟରେ ପ୍ରେମର କୋମଳ ସ୍ପର୍ଶକୁ ଅନୁଭବ କରିହୁଏ ନାହିଁ । କାରଣ ଏଭଳି ମାନସିକ ସ୍ଥିତି ମଧ୍ୟରେ ସାମାଜିକ ପ୍ରତିଷ୍ଠା ଲାଭ ପାଇଁ ଦୁର୍ବାର ବାସ୍ନା ସ୍ପଷ୍ଠ ବାରି ହୋଇପଡ଼େ । ଏ ପ୍ରକାର ସ୍ଥିତିରେ ପ୍ରେମର କମନୀୟ ସ୍ପର୍ଶ ସର୍ବୋଚ୍ଚ ଅମଲାତାନ୍ତ୍ରିକ ଶାସନର ଶୃଙ୍ଖଳ ମଧ୍ୟରେ ସମସ୍ତଙ୍କ ଅଲକ୍ଷ୍ୟରେ ନୀରବରେ ତଥା ନିସର୍ତ୍ତରେ କେବଳ ଅଶ୍ରୁତର୍ପଣ କରିଥାଏ; ଅଥଚ ସେ ଅଦୃଶ୍ୟ ବନ୍ଧନର ନିଗଡ଼ ମଧ୍ୟରୁ ମୁକ୍ତି ଲାଭ କରିପାରେ ନାହିଁ । ଅନ୍ତପୁରର ଅବହେଳିତା ରାଣୀଟିଏ ଭଳି ବିଦ୍ରୋହର ସ୍ଵର ଉତ୍ତୋଳନ କରି ନିଜ ମଧ୍ୟରେ ହିଁ ତା’ର ପ୍ରତିଧ୍ୱନିକୁ ଶ୍ରବଣ କରୁଥାଏ । ଫଳତଃ, ସେହି ମାନସିକ ସ୍ଥିତିରୁ ବାହ୍ୟ ପ୍ରେମାବରଣକୁ ବହନ କରି ସମାଜର ମୁଖ୍ୟ ସ୍ରୋତରେ ଆତ୍ମପ୍ରକାଶ କରୁଥିବା କଳିକାଗୁଡ଼ିକ ଉପଯୁକ୍ତ ରୂପେ ପ୍ରସ୍ଫୁଟିତ ହୋଇ ସମାଜ ରୂପୀ ଉଦ୍ୟାନ ମଧ୍ୟରେ ସେମାନଙ୍କର ବାସ୍ନା ବିତରଣ କରି ନକହି ପାରି ଅକାଳରେ ଝରି ପଡ଼ନ୍ତି; ଯାହାକି ପ୍ରେମକୁ କଳୁଷିତ କରେ ।          

Comments