Stay tuned to my blog- ' ଦିବ୍ୟପ୍ରେମର ପରିଭାଷା' ( ଦ୍ଵିତୀୟ ଅନୁଚ୍ଛେଦ ) । ଅଧିକ ପଢିବାପାଇଁ ଏଠାରେ କ୍ଲିକ କରନ୍ତୁ ..

ଏକ ଆପତ୍ତିଜନକ କଳୁଷିତ  ପରିସ୍ଥିତିରୁ ପ୍ରେମକୁ  ମୁକୁଳାଇ ଆଣିବାକୁ ହେଲେ ପ୍ରେମୀଟିଏ ପ୍ରାପ୍ତି ଓ ଉପଲବ୍ଧିର ପ୍ରତ୍ୟାଶା ପୋଷଣ କରି ଦାୟିତ୍ଵବୋଧତା ନାମରେ ପ୍ରେମ ଭାବକୁ ଅଯଥା ଦ୍ଵନ୍ଦ ଓ କ୍ରୁରତା ମଧ୍ୟକୁ ଆକର୍ଷି  ନେବା ସର୍ବାଦୌ ଅବାଞ୍ଛନୀୟ ଓ ଅସ୍ପୃହଣୀୟ । ଏହା ବ୍ୟକ୍ତିର ସ୍ୱରୂପକୁ ପ୍ରକାଶ କରି ଲୋକହସା କରିଥାଏ ।ତେଣୁ ପ୍ରକୃତ ପ୍ରେମକୁ ଉପଲବ୍ଧି କରିବା ବେଳେ ନିଜର ସନ୍ତାନ-ସନ୍ତତିଙ୍କ ପ୍ରତି ଏକ ମାଳୀର ଭୂମିକାରେ ଅବତୀର୍ଣ୍ଣ ହୋଇ ଶିଶୁମାନଙ୍କୁ କୋମଳ ଚାରା ତୁଲ୍ୟ ମନେ କରି ବୃଦ୍ଧି କରାଇବା ବାଞ୍ଛନୀୟ ।ବୃକ୍ଷର ଅଭିବୃଦ୍ଧି ନିମିତ୍ତ ତାକୁ ଯେପରି ଉପଯୁକ୍ତ ପରିବେଶର ଆବଶ୍ୟକତା ପଡ଼ିଥାଏ, ଠିକ୍ ସେହିଭଳି ଗୋଟିଏ ଶିଶୁର ସର୍ବାଙ୍ଗୀନ ଉନ୍ନତିରେ ସମସ୍ତ ଆବଶ୍ୟକୀୟ ପରିବେଶ ସୃଷ୍ଟି କରିପାରିଲେ ପ୍ରେମର ପ୍ରକୃତ ସଂଜ୍ଞା ନିର୍ଦ୍ଧାରିତ ହୋଇଥାଏ ; ଅନ୍ୟଥା ‘ପ୍ରେମ’ ପ୍ରତାରଣାର ରୂପ ନେଇ ପ୍ରତ୍ୟାଶାର ଘୂର୍ଣ୍ଣିବଳୟ ମଧ୍ୟରେ ନିଜର ସତ୍ତା ହରାଇଥାଏ ।
 ସ୍ଵପ୍ନବିଭୋର ମଣିଷ ବେଳେବେଳେ ସମ୍ଭାବନାର ମରୀଚିକାରେ ମୃଗତୃଷ୍ଣାର ପ୍ରଲୋଭନରେ ଭ୍ରମିତ ହୋଇଥାଏ। ଏଭଳି ମାନସିକ ସ୍ଥିତିରେ ସେ ପ୍ରେମର ଯେଉଁ ସଂଜ୍ଞା ଲେଖି ବସେ, ତାହା ମୁଖ୍ୟତଃ କଳ୍ପନାର ତାଜମହଲ ମଧ୍ୟରେ ହିଁ ସୃଷ୍ଟି, ସ୍ଥିତି ଓ ବିଲୟକୁ ଅନୁଭବ କରିଥାଏ । ବାସ୍ତବତାଠାରୁ ଦୂରରେ ରହିଥିବା କାରଣରୁ ଏଠାରେ ପ୍ରେମର ପ୍ରତିରୂପ ମାୟାନଗରୀର ଅପ୍ସରା ଭଳି ମନେହୁଏ ।ଏଠାରେ ପ୍ରେମକୁ ପରୀକ୍ଷଣ କରୁଥିବା ବ୍ୟକ୍ତିତ୍ଵମାନେ ଯଦିଓ ବିଶ୍ଵକର୍ମା ଭୂମିକାରେ ଅବତୀର୍ଣ୍ଣ ହେବାର ଅଭିନୟ କରନ୍ତି, ତାହା ଚିରସ୍ଥାୟୀ ହୁଏନାହିଁ ବରଂ ତୈଳବିହୀନ ପ୍ରଦୀପସ୍ୱରୂପ ଅନ୍ଧକାର ମଧ୍ୟରେ ଆତ୍ମସମାଧି ଲାଭ କରେ ।ପ୍ରେମର ଅନ୍ତିମ ପରିଣତି ବେଳେବେଳେ ଦୁଃଖାନ୍ତକ ହୋଇଥାଏ ସତ କିନ୍ତୁ ଯଦି ଏହି ଦୁଃଖାନ୍ତକ ଅନୁଭୂତି ମାନବବାଦର କଷଟିପଥର ଉପରେ ପରୀକ୍ଷିତ ହୋଇଥାଏ, ତେବେ ହିଁ ଏହାର ମହନୀୟତାକୁ ଉପଲବ୍ଧି କରାଯାଇପାରେ, ଅନ୍ୟଥା ଏହା ଲୋକ ଦେଖାଣିଆ ହୋଇ ଉପହାସିତ ହୁଏ ।
 ‘ପ୍ରେମ’ ଆତ୍ମକୈନ୍ଦ୍ରିକ ହେଲେ ମଣିଷର ହୃଦୟକୁ ଏହା ଏକ କଠୋର ଆବରଣ ମଧ୍ୟରେ ଆବଦ୍ଧ କରିଦେଇଥାଏ ।ଫଳତଃ ସେ ଅପରର ହୃଦୟ ସହ ପ୍ରତ୍ୟକ୍ଷ ଭାବେ ସଂଯୋଜିତ ନ ହୋଇପାରି ବିଷାଦ ମଧ୍ୟରେ କାଳାତିପାତ କରିଥାଏ ।ଏହାର ଫଳ ସ୍ୱରୂପ ସେ ସମାଜର ମୁଖ୍ୟ ସ୍ରୋତରୁ ଧୀରେ ଧୀରେ ଅପସରି ଯାଇ ଆଳସ୍ୟବାଦ ମଧ୍ୟରେ ସ୍ଥାଣୁ ହୋଇଯାଏ । ପରିଶେଷରେ ଏହି ସ୍ଥାଣୁତ୍ଵ ଏକ ଆସନ୍ନ ମୃତ୍ୟୁକୁ ଆହ୍ଵାନ କରିଆଣେ। ନିଜସ୍ଵ ପ୍ରତିଷ୍ଠାକୁ ଜନସମାଜରେ ଆଦୃତ କରାଇବା ପାଇଁ ଯେଉଁମାନେ ପାଗଳପ୍ରାୟ ହୋଇ ଅତି ମାତ୍ରାରେ ଆତ୍ମକୈନ୍ଦ୍ରିକ ହୋଇଉଠନ୍ତି, ତାହା ନିଜ ପ୍ରତି ପ୍ରକୃତ ପ୍ରେମର ନିଦର୍ଶନ ନୁହଁ; ବରଂ ଏହା ପ୍ରତିଭା ପ୍ରତି ସନ୍ଦିହାନ ମଣିଷମାନଙ୍କର ଅସ୍ଵାଭାବିକ ଭୟର କାରଣ ।ଏଠାରେ ବୁଝିବାକୁ ହେବ ଯେ, ଯେଉଁ ମଣିଷମାନେ ଏକାକୀ ହୋଇପଡ଼ନ୍ତି  ଅଥବା ଅବହେଳିତ ହୋଇପଡ଼ନ୍ତି ବା ଶକ୍ତିହୀନ ହୋଇପଡ଼ନ୍ତି, ସେମାନେ ନିଜ ପ୍ରତି ଅତ୍ୟାଧିକ ପ୍ରେମାସକ୍ତ ହୁଅନ୍ତି ।     କାରଣ ଉକ୍ତ ପ୍ରେମର ତରଙ୍ଗାୟିତ ପ୍ରବାହ ମାଧ୍ୟମରେ ସେମାନେ ଅପରକୁ ନିଜ ଆଡ଼କୁ ଆକର୍ଷି  ଆଣନ୍ତି । ତେବେ, ପ୍ରେମର ପ୍ରକୃତ ପରିଭାଷା କ’ଣ?
 ଦିବ୍ୟ ପ୍ରେମକୁ ସନ୍ଧାନ କରୁଥିବା ପ୍ରତିଟି ମଣିଷ କାହିଁକି ଏକ ଭୟାତୁର ମାନସିକତା ମଧ୍ୟରେ କାଳାତିପାତ କରିଥାନ୍ତି? ତା’ ହେଲେ, ପ୍ରେମ କ’ଣ ଏକ ଦ୍ଵନ୍ଦାତ୍ମକ ମାନସିକ ସ୍ଥିତି ମଧ୍ୟରେ ସମସ୍ତଙ୍କ ଅଲକ୍ଷ୍ୟରେ ପ୍ରତିଶୋଧର ବହ୍ନି ବଳୟ ମଧ୍ୟରେ ଆତ୍ମପ୍ରକାଶ କରିଥାଏ? ବୋଧହୁଏ ନା........           

Comments