Stay tuned to my blog- ' ପ୍ରେମର ପବିତ୍ର ଧାରା ଯନ୍ତ୍ରଣା ସିକ୍ତ ନା ମଣିଷ ନିଜେ ଯନ୍ତ୍ରଣାର କାରକ ' । ଅଧିକ ପଢିବାପାଇଁ ଏଠାରେ କ୍ଲିକ କରନ୍ତୁ ...
ପ୍ରେମ , ଅଶ୍ରୁ ସମ୍ବେଦନାର ଏକ ଅନ୍ତିମ ପରିଣତି। ତେବେ, ଏହା ବ୍ୟକ୍ତି ଜୀବନର ସଂକୀର୍ଣ୍ଣ ପଥରେ ଆତ୍ମ କୈନ୍ଦ୍ରିକ ହୋଇ ଯାତ୍ରା ନକରି
ସାର୍ବଜନୀନତାକୁ ଆଦରି ନେଲେ ବିଶ୍ଵ ମଙ୍ଗଳ ପାଇଁ ବିନିଯୋଗ ହୋଇ ପାରିବ ।ଅନ୍ୟଥା, ଏହାର ପବିତ୍ର ଲକ୍ଷ୍ୟକୁ ହାସଲ କରାଯାଇପାରିବ ନାହିଁ । ନିଜ ପ୍ରତି ସହାନୁଭୂତିସମ୍ପନ୍ନ
ହୋଇ ଯେଉଁମାନେ ଅଶ୍ରୁ ତର୍ପଣ ମଧ୍ୟରେ ପ୍ରେମର ପରିଭାଷାକୁ ଲେଖନ୍ତି,
ସେମାନଙ୍କ ପାଇଁ ଅଶ୍ରୁ ତର୍ପଣ ମୂଲ୍ୟହୀନ ହୋଇଥାଏ । କାରଣ ଏଠାରେ ସମ୍ପର୍କର ପରିଭାଷା “ବସୁଧୈବ
କୁଟୁମ୍ବକମ” ନୀତିର ବିରୋଧ କରେ । ନିଜ ପାଇଁ ବିଳାପ କରୁଥିବା ମଣିଷଟେ ପାଇଁ ପ୍ରେମର ପରିଭାଷା ନିଃସଙ୍ଗ
ମୁହୂର୍ତ୍ତର ସାଥିଟିଏ ଅଟେ । କାରଣ ନିଃସଙ୍ଗତା ମଧ୍ୟରେ କାଳାତିପାତ କରୁଥିବା ମଣିଷଟିଏ
ଏକାକୀତ୍ଵର ମାନସିକ ଯନ୍ତ୍ରଣାରେ ସତତ ବିଦଗ୍ଧ ହୋଇ ବୁକୁଫଟା ଚିତ୍କାର କରିଥାଏ ।ଏଠାରେ
ବୁଝିବାକୁ ହେବ ଯେ, ଯେଉଁମାନେ କ୍ଷମତା ବଳୟର ବହିର୍ଭାଗରେ ସହସା
ନିଜକୁ କ୍ଷମତାଚ୍ୟୁତ ହେବାର ଆବିଷ୍କାର କରନ୍ତି, ସେମାନେ ନିଃସଙ୍ଗତାକୁ
ହିଁ ନିଜର ଚତୁଃପାର୍ଶ୍ୱରେ ଦେଖିଥାନ୍ତି । ନିଃସଙ୍ଗତାରୂପି ରାକ୍ଷସର ଲହଲହ ଜିହ୍ଵା ଯୋଜନ ଯୋଜନ
ଧରି ସେମାନଙ୍କ ପାଇଁ ପ୍ରଲମ୍ବିତ ହୋଇଯାଏ । କ୍ଷମତାର ପ୍ରଲୋଭନରୁ ମୁକୁଳି ନ ଆସିପାରି ସେମାନେ ନିଃସଙ୍ଗତାରୂପି
ଅକ୍ଟୋପସର କବଳରେ ଯେଉଁଭଳି ଛଟପଟ ହୁଅନ୍ତି, ତାହା କ’ଣ ପ୍ରେମର ବାସ୍ତବ ପରିଭାଷା ହୋଇପାରେ? ତେବେ, ଏଠାରେ ପ୍ରେମର ପବିତ୍ର ଧାରା ଯନ୍ତ୍ରଣା ସିକ୍ତ ନା ମଣିଷ ନିଜେ ଯନ୍ତ୍ରଣାର କାରକ ?
ପ୍ରେମର ସଫଳତା ପାଇଁ କ’ଣ ଆବଶ୍ୟକ? ଅଭିଯୋଗ ନା
ଅନୁଭବ? ପ୍ରେମ ତ ଆଶିଷର ଚିରନ୍ତନୀ ଧାରା ।
କେମିତି ଅବା ସିଏ ଅଭିଶପ୍ତା ହୁଅନ୍ତା ? ତାକୁ ଯାହା ହୃଦୟଙ୍ଗମ କରିବାକୁ ହେବ...........।
ପ୍ରେମର ଅନ୍ତଃସ୍ଵରକୁ ଉପଲବ୍ଧି
କରିପାରୁଥିବା ମଣିଷମାନଙ୍କ ପାଇଁ ଏହା ଯେମିତି ଏକ ସୁଖର ବୈତରଣୀ ଅଥବା ପ୍ରାଚୁର୍ଯ୍ୟର ଦିବ୍ୟ
ଭଣ୍ଡାର । ତେବେ, ଏଥିରେ ଦୁଃଖାନ୍ତକ
ଅନୁଭୂତିକୁ ସାଉଣ୍ଟୁଥିବା ମଣିଷମାନେ ନିଜେ ହିଁ ନିଜ ପାଇଁ ଦାୟୀ । କାରଣ ଏଭଳି ବ୍ୟକ୍ତିମାନଙ୍କ
ପାଇଁ ଦୁଃଖ ତ ସେମାନଙ୍କର ନିଜସ୍ଵ ସୃଷ୍ଟି ମାତ୍ର । ଏହା ସମୟ ସାରଣୀରେ ଏକ ଭାବାତ୍ମକ ପରିପ୍ରକାଶ
ମାତ୍ର । ମାନ-ଅଭିମାନ ଅଥବା ରୋଦନ ପ୍ରେମ ନିକଟରେ ଅର୍ଥହୀନ ମନେହୁଏ । କାରଣ, ସେ ତ ଚିରହରିତ, ଶାଶ୍ଵତ ଓ ସନାତନ । ସେ ସବୁରି ଉର୍ଦ୍ଧ୍ଵରେ
ରହି ମାନବ-କୃତ ପ୍ରତିଟି କ୍ରିୟାର ମୂକସାକ୍ଷୀ ସାଜେ; ଅଥଚ, ନିର୍ବାକ୍ ରହି ନିରନ୍ଧ୍ର ଅନ୍ଧକାର ଗଳିରେ ଆଲୋକର ଧାରା ବୁଣି ପ୍ରତାରିତ ଓ
ପ୍ରବଞ୍ଚିତ ପ୍ରାଣର କ୍ଷେତରେ ମଲମ ହୋଇ ମାଖି ହୋଇଯାଏ ।କାରଣ ସେ ବୁଝିସାରିଛି ଯେ, ଜୀବନ ଓ ମରଣର ଦୋଛକିରେ ମଣିଷ ବେଳେବେଳେ ବାଟବଣା ହୁଏ ସିନା ତା’ର ଶେଷ ପରିଣତି ଊଣାଅଧିକେ ସବୁରି ଭାଗ୍ୟରେ ଆସିଥାଏ ।
ଭୟାତୁର ପରାଙ୍ଗ ପୃଷ୍ଠ ମଣିଷଟିଏ ପାଇଁ ପ୍ରେମର ଦିବ୍ୟ ଛୁଆଁ ଦିବାସ୍ଵପ୍ନଟିଏ
ମାତ୍ର । ଏହାକୁ ପ୍ରତିହିଂସାର ମାପକାଠିରେ ମାପି ହୁଏ ନାହିଁ ;ଅଥବା ଅତ୍ୟାଧିକ ଆସକ୍ତିରେ ବି ତଉଲି ହୁଏ ନାହିଁ ।
ପୁନଶ୍ଚ, ଶକ୍ତି ପ୍ରୟୋଗଦ୍ଵାରା ବି ଏହାର ଦିବ୍ୟ ସ୍ପର୍ଶକୁ ଉପଲବ୍ଧି
କରି ହୁଏନାହିଁ ।ଦାୟିତ୍ଵବୋଧ ଅଥବା କର୍ତ୍ତବ୍ୟବୋଧର ଗୁରୁଚାପରେ ଏହାକୁ ଆୟତ୍ତ କରି ହୁଏନାହିଁ ଏହାର ସୂକ୍ଷ୍ମାତିସୂକ୍ଷ୍ମ ଦିବ୍ୟ
କଳେବର ସବୁରି ଅଲକ୍ଷ୍ୟରେ ଅଦୃଶ୍ୟମାନ ସ୍ଥିତିରେ ପ୍ରତିଟି ପ୍ରତିବନ୍ଧକକୁ ଭେଦ କରି ଚାଲିଥାଏ
ଯୁଗରୁ ଯୁଗକୁ । ସହାନୁଭୂତି, ଦୟା ଅଥବା ଘୃଣାଦ୍ଵାରା ଏହାକୁ ବଶୀଭୂତ
କରି ହୁଏନାହିଁ ।ମାନସିକ ତାଡ଼ନା ବା ଘୃଣାଦ୍ଵାରା ପ୍ରେମର ପରିଭାଷା ମଳିନ ଦିଶେ । ଆତ୍ମପ୍ରଦର୍ଶନ ତ ଏହାକୁ କଳୁଷିତ କରେ ।ତେବେ, ପ୍ରତିଟି ଦୁଃଶକ୍ତିକୁ ଦିବ୍ୟଶକ୍ତିର ସ୍ପର୍ଶରେ ସ୍ଵତଃ ସଂପୂର୍ଣ୍ଣ ଦୂର
କରାଯାଇପାରିଲେ ଏହାର ପ୍ରାଚୁର୍ଯ୍ୟକୁ ଉପଲବ୍ଧି କରିହୁଏ ।
Comments
Post a Comment