‘ବସୁଧୈବ କୁଟୁମ୍ବକମ’ ଆଦର୍ଶ ମଧ୍ୟରେ ବିଶ୍ଵବାଦତାକୁ ଉପଲବ୍ଧି କରିବା
ପାଇଁ ପ୍ରେମ ହିଁ ତ ଏକ ମାତ୍ର ଚାବିକାଠି। ଦାରୁଣ ନିଦାଘର ଧୂଳି ଝଡ଼ରେ ଧୂସରିତ ହୋଇଥିବା ଦିବ୍ୟ ପ୍ରେମର ପାଖୁଡ଼ା ପ୍ରାବୃଟର ଜଳଧାରା ସ୍ପର୍ଶରେ ସ୍ଵତଃ ପରିଷ୍କୃତ ହୋଇଯାଏ
। ଦିବ୍ୟାତ୍ମାମାନଙ୍କର କମନୀୟ ସ୍ପର୍ଶ ମଣିଷ ମଧ୍ୟରେ ଯେଉଁ ସ୍ଫୁର୍ତ୍ତିର ପ୍ରବାହକୁ ସୃଷ୍ଟି
କରିଥାଏ, ତାହାହିଁ ନିଦାଘର ଧୂଳିଝଡ଼କୁ ପ୍ରାବୃଟ ସାଜି ପରିଷ୍କୃତ
ତଥା ପ୍ରଶମିତ କରିଥାଏ । ପ୍ରାଚୁର୍ଯ୍ୟର ନିରନ୍ତର ଧାରା ଯେବେ ବିଶ୍ଵ ବଗିଚାରେ ଫଲ୍ଗୁ ଧାରାଟେ
ସାଜି ସବୁରି ପ୍ରାଣକୁ ସିକ୍ତ ନ କରିଥାନ୍ତା, ତେବେ ହୁଏତ ଏ ବିଶ୍ଵରେ
ଦିବ୍ୟାତ୍ମାମାନଙ୍କର ସୃଷ୍ଟି ଅସମ୍ଭବ ମନେ ହୁଅନ୍ତା । ପ୍ରଳୟର ଅଣଚାଶ ପବନରେ ଏ ବିଶ୍ଵ ଥରି ଉଠନ୍ତା
।ସମ୍ପର୍କର ନନ୍ଦନକାନନ ଉଜୁଡିଯାନ୍ତା ଅଦିନରେ । କିନ୍ତୁ ସେଭଳି ଧ୍ଵଂସର ତାଣ୍ଡବ ଲୀଳା ତ ଆସିନି
ଅଦ୍ୟାବଧି । ତେଣୁ ବେଳ ଥାଉ ଥାଉ ସେଥିପ୍ରତି ଯତ୍ନବାନ ହେଲେ କ୍ଷତି କ’ଣ ଯେ? ତେବେ ଆସନ୍ତୁନା, ‘ସର୍ବେ ଭବନ୍ତୁ ସୁଖୀନଃ’ ମନ୍ତ୍ରଧ୍ୱନିର ତାଳେ ତାଳେ ନିଜ
ମଧ୍ୟରେ ସୃଷ୍ଟି ହୋଇଥିବା ଶୂନ୍ୟତାକୁ ପୂର୍ଣ୍ଣ କରିବା ମୁକ୍ତ ଭାବେ ପ୍ରକୃତିରୁ ପ୍ରାପ୍ତ
ପ୍ରେମର ବୃଷ୍ଟିଜଳ ଢାଳି । କଦମ୍ବର ବାସ୍ନାରେ ତଲ୍ଲିନ ହେବା । ପ୍ରଚେଷ୍ଟା ବା ପ୍ରଯୁକ୍ତି
ଶାସ୍ତ୍ରର ପ୍ରୟୋଗ ଏହାକୁ ତ୍ଵରାନ୍ଵିତ କରିପାରେନା ; ଅଥବା ବାଧ୍ୟବାଧକତାରେ
ଏହା ପ୍ରାପ୍ତ ହୁଏନା । ଏହା ସ୍ଵତଃ ପ୍ରକ୍ରିୟାରେ ମଣିଷ ହୃଦୟରୁ ଝରି ଆସୁଥିବା ଏକ ମନ୍ଦାକିନୀ
ଧାରା ; ଯାହାକି ମଣିଷର ନିୟନ୍ତ୍ରଣ ବଳୟର ବାହାରେ ରହିଥାଏ ।ତେବେ, ସ୍ଵତଃ ସୃଷ୍ଟ ତଥା ପ୍ରାପ୍ତ ଏହି ଦିବ୍ୟ ପ୍ରବାହରେ ନିଜକୁ ଥରଟିଏ ପୂର୍ଣ୍ଣ କରି
ଏହାର ମାଧୁର୍ଯ୍ୟକୁ ଉପଲବ୍ଧି କଲେ କ୍ଷତି କ’ଣ ?
ପ୍ରେମ, ଜୀବନ ପ୍ରବାହକୁ ସର୍ବଦା ଚଳଚଞ୍ଚଳ ତଥା ତ୍ଵରାନ୍ଵିତ କରେ ।
ସ୍ଥାଣୁତ୍ଵର ଦାରୁଣ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ । ଏକ ସ୍ଵର୍ଣ୍ଣାଭ ରଞ୍ଜିତ ପ୍ରଭାତ ତଥା
ସକାରାତ୍ମକ ସୁନେଲି ସାୟାହ୍ନକୁ ଆହ୍ଵାନ କରି ଆଣେ ।ତେବେ ଦିବ୍ୟ ପ୍ରେମର ଛୁଆଁକୁ ପ୍ରାପ୍ତ
କରିବା ପାଇଁ ଆଜି ବିଶ୍ଵ ପୃଷ୍ଠରେ କାହିଁକି ହାହାକାର ?ପ୍ରତିଟି ହୃଦୟ
ଏବେ କାହିଁକି ରିକ୍ତ ?କାମନାର ତୀବ୍ର ଜ୍ଵଳାରେ ମାନବ ସମାଜ କାହିଁକି
ଏବେ ବ୍ୟସ୍ତ ବିବ୍ରତ? ତଥାପି ତ ବଞ୍ଚିବାକୁ ହେବ ଏ ବିଷଜ୍ଵଳାକୁ ସହ୍ୟ
କରି। ଏ ଘୂର୍ଣ୍ଣିବାୟୁ ଅପସରି ଯିବା ପରେ ଏହି ଅମୃତ ବେଳାର ପୁନରାଗମନ ହେବ । ଧୈର୍ଯ୍ୟ ଓ
ବିଶ୍ଵାସକୁ ପାଥେୟ କରି ଆଗେଇବାକୁ ହେବ ଏକ ସୌନ୍ଦର୍ଯ୍ୟପୂର୍ଣ୍ଣ ବିଶ୍ଵ ଆଡ଼କୁ । କାରଣ, ସୌନ୍ଦର୍ଯ୍ୟବୋଧ ବିନା ପ୍ରେମ କ’ଣ ସମ୍ଭବ? ତେବେ, ଏ ସୌନ୍ଦର୍ଯ୍ୟର ପରିଭାଷା କ’ଣ ?
ସୌନ୍ଦର୍ଯ୍ୟବୋଧ ଏକ ଅଦୃଶ୍ୟମାନ
ଅଭିବ୍ୟକ୍ତି । ସ୍ପର୍ଶହୀନ ତଥା ଗନ୍ଧହୀନ ପ୍ରବାହ ଯାହାକି ପ୍ରଭାବ ଶୂନ୍ୟ ନୁହଁ । ଏହା କବି, ଭାବୁକ ତଥା ଲେଖକର ମନ-ଆକାଶକୁ ସର୍ବଦା ଆନ୍ଦୋଳିତ
କରିଥାଏ । ଆମେ ଚର୍ମଚକ୍ଷୁରେ ସନ୍ଦର୍ଶନ କରୁଥିବା ପ୍ରତିଟି ବସ୍ତୁ ସୌନ୍ଦର୍ଯ୍ୟ ଯୁକ୍ତ ନୁହଁ
।ଯେଭଳିକି ଆମ ଆଖି ସାମ୍ନାରେ ବିଦ୍ୟମାନ ଥିବା ଯେକୌଣସି ବୃକ୍ଷ,
ସୁନ୍ଦର ଛବି, ସୁନ୍ଦର ଗୃହ ଅଥବା ଏକ ସୁନ୍ଦରୀ ଲଳନା ସୌନ୍ଦର୍ଯ୍ୟବୋଧର
ପ୍ରତୀକ ହୋଇପାରେନା ।କେବଳ ହୃଦୟ ଓ ମସ୍ତିଷ୍କ ଉପଲବ୍ଧି କରୁଥିବା ସକାରାତ୍ମକ ପ୍ରବାହ ହିଁ ସୌନ୍ଦର୍ଯ୍ୟବୋଧର
ପ୍ରକୃତ ପରିଭାଷା । ସେ’ ହିଁ ତ ପରିପୂର୍ଣ୍ଣତାର ପ୍ରକୃତ ପ୍ରତିରୂପ ।
ତେଣୁ ଏହି ଉପଲବ୍ଧିକୁ ଯେକୌଣସି ବସ୍ତୁ ମଧ୍ୟରେ ଯେକୌଣସି ଅବସ୍ଥାରେ ଗ୍ରହଣ କରାଯାଇପାରେ ।
ତେଣୁ ଏଠାରେ ବୁଝିବାକୁ ହେବ ଯେ ବସ୍ତୁ ବା ପ୍ରାଣୀ ମଧ୍ୟରେ ନିହିତ ଥିବା ଦିବ୍ୟ ଗୁଣାବଳୀ ହିଁ
ସୌନ୍ଦର୍ଯ୍ୟବୋଧର ପରିଭାଷାକୁ ଅଧିକ ସୁସ୍ପଷ୍ଟ ତଥା ଜାଜ୍ଵଲ୍ୟମାନ କରିଥାଏ ।
Comments
Post a Comment