ଦିବ୍ୟପ୍ରେମର ପ୍ରବାହ ସାମାଜିକ ସଂସ୍କାର ପ୍ରକ୍ରିୟାର ମନ୍ଦାକିନୀଧାରା ଦେଇ
ଦିବ୍ୟାତ୍ମାମାନଙ୍କୁ ସର୍ବଦା ସିକ୍ତ କରିଥାଏ ।ଅଭାବି ଥାଳିରେ ଭାବର ସଞ୍ଚାର କରି ଯେଉଁ
ଦିବ୍ୟାତ୍ମାମାନେ ଅଭାବିର ଶୂନ୍ୟ ପ୍ରାଣରେ ପୂର୍ଣ୍ଣତା ଆଣନ୍ତି ସେମାନେ ହିଁ ତ କେବଳ ଦିବ୍ୟପ୍ରେମର
ପରିଭାଷାକୁ ପଢିପାରନ୍ତି ।ଅନ୍ୟଥା, ଏହା ପାଣିର ଗାର ସଦୃଶ୍ୟ ଅଦୃଶ୍ୟ ମନେହୁଏ
।ପ୍ରେମ ବିନା ସୌନ୍ଦର୍ଯ୍ୟ ବୋଧକୁ ଉପଲବ୍ଧି କରିହୁଏନା । ସୌନ୍ଦର୍ଯ୍ୟବୋଧ ବିନା ହୃଦୟ ଓ ମନରେ
ଯେଉଁ ଦୁର୍ଭାବନା ଜନ୍ମ ନିଏ ତାହା ପ୍ରାଚୁର୍ଯ୍ୟ ଭିତରେ ଅଭାବବୋଧକୁ ସୃଷ୍ଟି କରିଥାଏ ।ଏବଂ
ଅନ୍ୟ ପକ୍ଷରେ ସୌନ୍ଦର୍ଯ୍ୟବୋଧ ଅଭାବ ମଧ୍ୟରେ ପ୍ରାଚୁର୍ଯ୍ୟର ସନ୍ଧାନ କରିଥାଏ । ପ୍ରତିଟି
ସମସ୍ୟାର ସହଜ ସମାଧାନ ପାଇଁ ପ୍ରେମ ହିଁ ଏକ ମାତ୍ର ମହୌଷଧି ଅଟେ ।କାରଣ ପ୍ରେମରୁ ହିଁ ତ
ପ୍ରତିବଦ୍ଧତା ଜନ୍ମ ନିଏ ।ଏବଂ ପ୍ରତିବଦ୍ଧତା ସଫଳତାର ଚାବିକାଠି ଅଟେ। ତେବେ ଐଶୀଦତ୍ତ ତଥା ସ୍ଵତଃ
ସୃଷ୍ଟ ସେହି ଦିବ୍ୟଗୁଣକୁ ଆପଣେଇ ନେଲେ କ୍ଷତି କ’ଣ ?
ପ୍ରେମ ଓ ଶୃଙ୍ଖଳା ଗୋଟିଏ ବୃନ୍ତର ଦୁଇଟି
ପୁଷ୍ପ । ଭାବନା ବିନା
ସୌନ୍ଦର୍ଯ୍ୟ ତ ରଙ୍ଗହୀନ ମନେ ହୁଏ । ସେ’ ତ ସର୍ବଦା କ୍ରିୟାଶୀଳ । କ୍ରିୟାଶୀଳତା ହିଁ ସେଠି ଉଦ୍ଦୀପନା ସୃଷ୍ଟି କରିଥାଏ
।ଯେକୌଣସି ଶାସ୍ତ୍ର ଅଥବା ଶାସ୍ତ୍ରଜ୍ଞ, ଯେକୌଣସି ଶିକ୍ଷକ ଅଥବା ନେତା
ତା ଅନୁଗାମୀମାନଙ୍କୁ ପ୍ରେମସିକ୍ତ କରିପାରେ କେବଳ ନିଜର କମନୀୟ ଗୁଣାବଳୀଦ୍ଵାରା । କାରଣ ପ୍ରେମକୁ
ବିତରଣ କରିବା ସତେ ଯେମିତି ସେମାନଙ୍କର ମୌଳିକ ଧର୍ମ । ଏହା ସେମାନଙ୍କର ଏକ ଉଦ୍ଦେଶ୍ୟ ବିହୀନ
ଆବେଗ । ଉଦ୍ଦେଶ୍ୟହହୀନ ଭାବେ ଯେଉଁ ମହାନ
ଆତ୍ମାଗଣ ସେମାନଙ୍କ ମଧ୍ୟରେ ଥିବା ଦିବ୍ୟତାକୁ ଅକୁଣ୍ଠରେ ବିତରଣ କରନ୍ତି, ସେମାନେ ହିଁ ପ୍ରେମର ପ୍ରକୃତ ମୂଲ୍ୟାଙ୍କନ କରିପାରନ୍ତି ।ଦିବ୍ୟାତ୍ମାମାନଙ୍କ ଆବେଗ
ପ୍ରତିଶ୍ରୁତିର ପରିସରଭୁକ୍ତ ହୋଇନଥିବା କାରଣରୁ ଏହା ସାର୍ବଜନୀନ ତଥା ସର୍ବଜନାଦୃତ ହୋଇ
ପ୍ରତ୍ୟାଶାହୀନ ଭାବେ ପ୍ରତିଟି ପ୍ରାଣକୁ ପ୍ରାଚୁର୍ଯ୍ୟମୁଖି କରାଇ ପ୍ରତିବାଦୀଶୂନ୍ୟ ହୋଇ ପ୍ରାପ୍ତି ପଥରେ ସର୍ବଦା
ଗତିଶୀଳ ହୋଇଥାଏ ।
ତେଣୁ ତ କୁହାଯାଏ, “ହେ ମୋର ଦିବ୍ୟାତ୍ମାଗଣ, ମୁକ୍ତ ବିତରଣ ଉତ୍ସବର ମହାପର୍ବରେ ପଦଯୁଗଳ କଦାପି କ୍ଳାନ୍ତି ଅନୁଭବ କରେନା ବରଂ
କ୍ଳାନ୍ତାତ୍ମାମାନଙ୍କର ସନ୍ଧାନ କରି ସେମାନଙ୍କ ମଧ୍ୟରେ ଉନ୍ମାଦନା ଭରିଦିଏ । ଅଫୁରନ୍ତ
ଉତ୍ସାହରେ ସେମାନଙ୍କୁ ସିକ୍ତ କରିଥାଏ । ସ୍ଵାଭିମାନର ଝିପ୍ ଝିପ ବର୍ଷାରେ ଶୁଷ୍କ ହୃଦୟକୁ
ଆର୍ଦ୍ର କରିଥାଏ ।ତେବେ, ଅନୁସନ୍ଧିଚ୍ଛୁ ମନଟିଏ ନିଜ ମଧ୍ୟରୁ ଆସୁଥିବା
ପ୍ରେରଣାକୁ ନେଇ କୌଣସି ବିଷୟ ପ୍ରତି ପ୍ରେମ ଭାବାପନ୍ନ ହୋଇପାରେ ନାହିଁ, କାରଣ ମୁକ୍ତ ଭାବେ ମନ ବଗିଚାରେ ଅଳିନ୍ଦ ସାଜି ଭ୍ରମଣ କରୁଥିବା ବ୍ୟକ୍ତିଟିଏ ହିଁ
ଆବେଗକୁ ପାଥେୟ କରି ରାସ୍ତା ଚାଲିଥାଏ; ଅନ୍ୟଥା, ସେ ମୁକ୍ତ ବାୟୁ ଅଭାବରୁ ନିବୁଜ କଠୋରୀ ମଧ୍ୟରେ ଅଣନିଃଶ୍ଵାସୀ ହୋଇ ବାଧ୍ୟ ଶିଶୁଟିଏ
ଭଳି ଅଥବା ପିଞ୍ଜରାର ବିହଙ୍ଗଟିଏ ଭଳି ଭାବ ପ୍ରବଣତାର ଅଶ୍ରୁ ତର୍ପଣ କରିଥାଏ ସମସ୍ତଙ୍କ
ଅଲକ୍ଷ୍ୟରେ । ନା ତା’ର ଅଶ୍ରୁ କାହାରିକୁ ପ୍ରଭାବିତ କରିପାରେ ନା ସେ
କାହା ନିକଟରେ ମନ ଖୋଲି ହସିପାରେ ।ଏଭଳି ସ୍ଥିତିରୁ ତାକୁ ଉଦ୍ଧାର କରି ପ୍ରେମମୟ କଲେ କ୍ଷତି କ’ଣ ?
ଦିବ୍ୟପ୍ରେମର ପ୍ରବାହକୁ ପ୍ରଚେଷ୍ଟା କରି
ଅନୁଭବ କରି ହୁଏନା । ଏହା ତ ଏକ ନିରନ୍ତର ପ୍ରବାହର ଧାରା; ଯାହାକି ମାନବକୁ ସ୍ଵତଃ ସିକ୍ତ କରିଥାଏ ।ଏହା କୌଣସି ସମୟାନୁମୋଦିତ
ଅଥବା କାଳାନୁମୋଦିତ ନୁହଁ ।ଏହା ସଂପୂର୍ଣ୍ଣ ବ୍ୟକ୍ତିଗତ ମନେ ହେଲେ ମଧ୍ୟ ସମୂହ ପ୍ରଗତି ପାଇଁ
ଅଭିପ୍ରେତ । କାରଣ ସମୂହ ପ୍ରଗତି ବ୍ୟତିରେକେ ଏହା ଅର୍ଥହୀନ ମନେହୁଏ ।ତେବେ ବ୍ୟକ୍ତି ବିଶେଷର
ବ୍ୟକ୍ତିଗତ ଗୁଣାବଳୀ ହିଁ ଏଥିପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ।ଏହା ସୁଗନ୍ଧିତ ପୁଷ୍ପସମ
ବାସ୍ନାଯୁକ୍ତ; ଯାହାକୁ କି ବ୍ୟକ୍ତି ନିଜେ ଆଘ୍ରାଣ କରିବା ସଙ୍ଗେ
ସଙ୍ଗେ ସମଗ୍ର ମାନବ ସମାଜକୁ ଏହାର ବାସ୍ନାକୁ ବିତରଣ କରିପାରେ ।ଏହା ଅକ୍ଷୟ କବଚର ତୂଣୀର
ମଧ୍ୟରେ ସୁରକ୍ଷିତ ହୋଇଥିବା କାରଣରୁ ଅକ୍ଷୟ, ଅମର ଏବଂ ଅଜର ।ଏହା
ମାନବର ଦିବ୍ୟାନନ୍ଦର ଚିରନ୍ତନୀ ଧାରାକୁ ପ୍ରବାହିତ କରୁଥିବା କାରଣରୁ ଯେକେହି ବିଷାଦଗ୍ରସ୍ତ ମଣିଷଟିଏ
ପାଇଁ ନିରାଶବାଦ ମଧ୍ୟରୁ ମୁକୁଳାଇବା ପାଇଁ ଏହା ବିଶଲ୍ୟକରଣିସମ କାର୍ଯ୍ୟ କରିଥାଏ ।ବଗିଚାର
ପ୍ରତିଟି କୋଣ-ଅନୁକୋଣକୁ ପୁଷ୍ପଟିଏ ବାସ୍ନା ପ୍ରେରଣ କଲା ଭଳି ଦିବ୍ୟପ୍ରେମରେ ସିକ୍ତ
ବ୍ୟକ୍ତିଟିଏ ପ୍ରତିଟି ବିଷାଦଗ୍ରସ୍ତ ହୃଦୟ ପାଇଁ ସମପରିମାଣରେ ଯତ୍ନବାନ ହୋଇଥାଏ ।କାରଣ, ପୁଷ୍ପଟିଏସମ ବାସ୍ନା ବିତରଣ ତ ତା’ର ସ୍ଵତଃ ସୃଷ୍ଟ ଧର୍ମ ।
Nice concept sir
ReplyDelete