ପ୍ରେମ ସର୍ବଦା ନୂତନତ୍ଵର ବାହକ …..ସତେଜତାର ଦ୍ୟୋତକ……ଚଞ୍ଚଳତାର ପ୍ରତୀକ । ଏହା ପୁଣି ଜୀବନ୍ତ ଓ
ଜାଗ୍ରତ । ମୃତ୍ୟୁ
ଏହାକୁ ସ୍ପର୍ଶ କରିପାରେନା । ଏହାର ନା ଅତୀତ ଅଛି ନା ଭବିଷ୍ୟତ। ଏହା ସର୍ବଦା
ବର୍ତ୍ତମାନରେ ହିଁ ପ୍ରକଟିତ, ପ୍ରସାରିତ
ତଥା ପ୍ରଧାବିତ । ଦୁର୍ଭାବନାର ତୀବ୍ର ଜ୍ଵଳାକୁ ଏହା ପ୍ରଶମିତ କରିଥାଏ । ସରଳ, ସାବଲୀଳ ଜୀବନ ପ୍ରବାହକୁ ଏହା ସହଜରେ ଆଦରି ନେଇଥାଏ ।ଜୀବନର କୁଟିଳ ପ୍ରବାହକୁ ଏହା
ପ୍ରଶମିତ କରି ସୃଷ୍ଟି ପ୍ରକ୍ରିୟାକୁ ଏହା ତ୍ଵରାନ୍ଵୀତ କରେ । ତ୍ୟାଗ ଓ ସମର୍ପଣର ପୂଜା ବେଦୀରେ ଏହାକୁ ଉପଲବ୍ଧି କରିହୁଏ । ଅର୍ଚ୍ଚନା
ମାଧ୍ୟମରେ ଏହା ଅଧିକ ଜାଜ୍ଜ୍ଵଲ୍ୟମାନ ହୋଇଥାଏ ।
ଦିବ୍ୟ ପ୍ରେମର ପ୍ରାପ୍ତି ତଥା ଉପଲବ୍ଧି
ପାଇଁ ମଣିଷର ଅନ୍ତଃସ୍ତରରେ ସବୁରି ଅଲକ୍ଷ୍ୟରେ ଅବିଶ୍ରାନ୍ତ ଉଦ୍ୟମ କାହିଁ କେଉଁ ଆବାହମନ ଯୁଗରୁ
ଅଦ୍ୟାବଧି ଜାରିରହିଛି । ଏହି ଉଦ୍ୟମ ଏକ ନିରନ୍ତର ପ୍ରବାହ ; ଯାହାକି ଅସୀମତା ମଧ୍ୟ ଦେଇ ଯୁଗେ ଯୁଗେ ପ୍ରତ୍ୟେକ ଜୀବସତ୍ତା ମଧ୍ୟରେ
ବିଦ୍ୟମାନ ରହିଥିବ । ଏହା କେତେବେଳେ ସୀତା, ଅନୁସୂୟା ଅବା ମନ୍ଦୋଦରୀର ତ୍ୟାଗପୂତ ଜୀବନ ପ୍ରବାହ ଦେଇ ଚିତ୍ରିତ ହୋଇଥାଏ ତ ଅନ୍ୟ
କେତେବେଳେ ଗୋପୀଜନବଲ୍ଲଭ ଶ୍ରୀକୃଷ୍ଣଙ୍କର ବଂଶୀ ସ୍ଵନର ମଧୁର ଗୁଞ୍ଜନରେ ଆତ୍ମପ୍ରକାଶ କରିଥାଏ ।
ଜୀବନର ପ୍ରତିଟି ଅନ୍ତରଙ୍ଗ ମୁହୂର୍ତ୍ତରେ ଅଥବା ଯନ୍ତ୍ରଣା ବିଦଗ୍ଧ ସମୟ ସାରଣୀରେ ଏହାକୁ
ଉପଲବ୍ଧି କରିହୁଏ । ଜ୍ୟୋତ୍ସ୍ନା ବିଧୌତ ତାରକିତ ରଜନୀରେ ରଜନୀଗନ୍ଧାର
ବାସ୍ନା ତା’ ପାଇଁ ଯେତିକି ମହତ୍ତ୍ଵ
ରଖେ, ଅମାବାସ୍ୟା ରାତ୍ରିର ନୀରନ୍ଧ୍ର ଅନ୍ଧକାର ବି ସେତିକି ମହତ୍ତ୍ଵ
ରଖେ । ତେଣୁ ତ ଦିବ୍ୟପ୍ରେମର ପ୍ରବାହ ସମୟ ଓ ଶୂନ୍ୟତା ଠାରୁ ଉର୍ଦ୍ଧ୍ଵରେ ରହି ସମସ୍ତ
ବିରୁଦ୍ଧାଭାସ ଅବା ଦ୍ଵନ୍ଦ ମଧ୍ୟରୁ ସଂପୂର୍ଣ୍ଣ ମୁକ୍ତ ।
ସଚେତନତାର ଭାବାତ୍ମକ ପରିବେଶ ମଧ୍ୟରେ ଦିବ୍ୟପ୍ରେମର ମହକକୁ ଉପଲବ୍ଧି କରିବା ଏକ
ନିଆରା ଅନୁଭୂତି । ଏହା ଦେହାତିତ ହୋଇଥିବା କାରଣରୁ ମଣିଷକୁ ଭାବଶୂନ୍ୟ ସ୍ତରକୁ ନେଇଯାଏ ।ପତ୍ନୀ, ସନ୍ତାନ ଅଥବା ସମ୍ପର୍କୀୟ ସମସ୍ତେ ଯେମିତି ଏଠି
ଏକାକାର ଲାଗନ୍ତି । ଏକ ଭିନ୍ନ ଦିଗ୍-ବଳୟରେ ଏହାର ଉପସ୍ଥିତିକୁ ମଣିଷ ଉପଲବ୍ଧି କରୁଥିବା
କାରଣରୁ ମଣିଷର ସାଧାରଣ ସ୍ଥିତି ଏଠାରେ ଅସାଧାରଣ ମନେହୁଏ ଓ ଅସ୍ଵାଭାବିକ ଲାଗେ । ପ୍ରତିଟି ଅପରିଚିତ ତା’ର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରେ ......ନିଃଶବ୍ଦତା ମଧ୍ୟରେ ସେ ଆତ୍ମସମୀକ୍ଷା
କରେ...... ଅନ୍ତଃକରଣରେ ନିଜକୁ ଖୋଜେ । ଜଟିଳ ଗାଣିତିକ ସୂତ୍ରର ସମାଧାନ କରି ଜୀବନକୁ ଛନ୍ଦମୟ
କରେ କାରଣ ସେ ଏବେ ଆଉ ଅନୁସନ୍ଧିତ୍ସୁ ନୁହଁ ......ଇଚ୍ଛାମତିର ଅଧିନସ୍ତ ନୁହଁ .......କାହା ଦ୍ଵାରା ପ୍ରେରିତ ନୁହଁ ଅଥବା
ବାହ୍ୟଶକ୍ତିର କବଳିତ ନୁହଁ । ସେ ସଂପୂର୍ଣ୍ଣ ମୁକ୍ତ ଅଥଚ ଶୃଙ୍ଖଳିତ ।ସଂପୂର୍ଣ୍ଣ ସିକ୍ତ ଅଥଚ
ପ୍ରଭାବିତ ନୁହଁ । ତା ଚତୁର୍ପାର୍ଶ୍ୱରେ ଏବେ ଦିବ୍ୟାଲୋକର ମହାପ୍ଲାବନ ।
Comments
Post a Comment