ମାନବ ଯେତେବେଳେ କ୍ରୋଧରେ ଅଧୀର ହୁଏ ଅଥବା ଭୟରେ ଶିହରି ଉଠେ ଅଥବା ଲୋଭରେ ନିଜକୁ ଭୁଲିଯାଏ ଅଥବା ନିଷ୍ଠୁରତା ତାକୁ ଗ୍ରାସ କରେ, ସେ ପରାଧୀନ ହୁଏ । ସ୍ଵାଧୀନ ସୂର୍ଯ୍ୟର କମନୀୟ ଛୁଆଁ ତାକୁ ଆହ୍ଲାଦିତ କରେ ନାହିଁ । କାରଣ ଏଭଳି ସ୍ଥିତିରେ ଉପରୋକ୍ତ ପ୍ରତିଟି ଅବସ୍ଥା ତା’ ନିକଟକୁ ସ୍ଵତଃ ଫେରି ଆସେ। ତେବେ, ଏପରି ସ୍ଥିତିରେ ନିଜସ୍ଵ ଇଚ୍ଛା, ବୁଦ୍ଧିମତା ତଥା ପ୍ରେମକୁ ପାଥେୟ କରି ଯଦି ସେ ଆଗକୁ ବଢିପାରେ, ତେବେ ଯାଇ ସେ ସ୍ଵୟଂସମ୍ପନ୍ନ ସ୍ଵାଧୀନ ମଣିଷ ଭାବେ ନିଜକୁ ଆବିଷ୍କାର କରେ। ଏଭଳି ସ୍ଵାଧୀନ ସ୍ଥିତି ହିଁ ମଣିଷକୁ ହୃଦୟ ସହ ପରିଚିତ କରାଇଥାଏ । ହୃଦୟ ହିଁ କେବଳ ମଣିଷ ଜୀବନର ସଠିକ ଲକ୍ଷ୍ୟକୁ ନିର୍ଦ୍ଧାରଣ କରିପାରେ। ମଣିଷକୁ କର୍ମପ୍ରବଣ କରେ । କର୍ମକୁ ଅନାସକ୍ତ କରେ । ପ୍ରଲୋଭନରୁ ମୁକ୍ତି ଦିଏ। ଅସୀମକୁ ଉପଲବ୍ଧି କରାଏ । ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ମଧ୍ୟରେ ସଂଯୋଗ ସେତୁଟିଏ ହୋଇ ସତ୍ୟର ଉଦ୍ଘାଟନ କରେ।
ପ୍ରାପ୍ତି ଯେତେବେଳେ
ପ୍ରତ୍ୟାଶ୍ୟାରେ ଆତ୍ମହରା ହୁଏ, ପ୍ରଲୋଭନରେ ନିଜକୁ ଭୁଲିଯାଏ ,ପ୍ରତିଯୋଗୀତାରେ ଅସ୍ଥିର ହୁଏ, ମୃତ୍ୟୁ ତା’ର ପିଛା କରିଥାଏ........ । ଆଉ ଏଭଳି ସ୍ଥିତିରେ ହୃଦୟ ହିଁ କେବଳ ବର୍ତ୍ତମାନର ମୁଲାୟମ
ପାଖୁଡ଼ା ସବୁକୁ ସାଉଁଣ୍ଟି ଆଣି ସ୍ଵାଧୀନ,ସୃଜନଶୀଳ ସ୍ଵୟଂ ସମ୍ପନ୍ନ ଜୀବନଟେ ଜିଇଁବା ପାଇଁ ପ୍ରେରଣା ଦେଇଥାଏ । ପ୍ରଗତିର ଧ୍ଵଜା
ଧାରଣ କରି ଜୀବନର ମୂଲ୍ୟବୋଧକୁ ପ୍ରଚାର କରୁଥିବା ମଣିଷଟେ ପାଇଁ ସେ ସୃଷ୍ଟି କରି ଚାଲେ ପ୍ରଶସ୍ତ କ୍ଷେତ୍ରଟିଏ । ନା ସେ କ୍ଷେତ୍ରର କ୍ଷେତ୍ରଫଳକୁ ମାପିବାରେ ତା’ର ଇଚ୍ଛା ଥାଏ, ନା ସେ
କ୍ଷେତ୍ରଫଳକୁ ଇଚ୍ଛାକୃତ ଭାବେ ମାପି ହୁଏ । ତେଣୁ ତ ହୃଦୟ ସବୁରି ଉପରେ, ସବୁରି ଅଲକ୍ଷ୍ୟରେ, ନୀରବରେ,
ନିସ୍ପନ୍ଦରେ, ନିଃସର୍ତ୍ତରେ ସମସ୍ତଙ୍କୁ ଆପଣେଇ ନେଇ ଭୂମିରୁ ଭୂମା
ଯାଏ ଏକାକାର କରିଦିଏ । ନା ସେଠି ଦୈର୍ଘ୍ୟ ଥାଏ
ନା ପ୍ରସ୍ଥ ଥାଏ.........। ସବୁ ଯେମିତି ଏଠି
ଅସୀମତାରେ ଲୀନ ହୋଇଯାଏ ।
Comments
Post a Comment