Stay tuned to my blog - " ପରମ୍ପରାର ପରିଭାଷା " । ଅଧିକ ପଢିବା ପାଇଁ ଏଠାରେ କ୍ଳିକ କରନ୍ତୁ ।


  ଭାରତୀୟ ପରମ୍ପରା ଓ ଐତିହ୍ୟ ଅତୀତର ଭଗ୍ନସ୍ତୂପ ମଧ୍ୟରେ ତା’ ପରିଚୟକୁ ହଜେଇ ଦେଇଛି।  ନିରନ୍ଧ୍ର  ଅନ୍ଧକାର ଗଳିରେ ଆତ୍ମଗୋପନ କରି ସେ ଆଜି ସବୁରି ଅଲକ୍ଷ୍ୟରେ ଗୁମୁରି କାନ୍ଦୁଛି । ଇତିହାସର ମୁଠା ମୁଠା ଅସଜଡା ସ୍ଵପ୍ନ ସଂଭାରକୁ ସାଉଁଟିଆଣି ବର୍ତ୍ତମାନର ସିଲଟ ଉପରେ ବାସ୍ତବତାର ରଙ୍ଗତୂଳି ସ୍ପର୍ଶରେ ଜୀବନ୍ୟାସ ଦେବାର ନାମ ହିଁ ତ ପୁନଃ ନିର୍ମାଣ । ଏହି ପ୍ରକ୍ରିୟା ମାନବକୁ ନୂତନ ଉନ୍ମାଦନାରେ ଆହ୍ଳାଦିତ କରିଥାଏ । ତା’ ଚଲାପଥକୁ ଋଦ୍ଧିମନ୍ତ କରିଥାଏ । ତା’ ସନ୍ଧାନୀ ମାନସିକତାକୁ ଆହ୍ଵାନମୂଳକ ଭାବେ ଗଢି ତୋଳିଥାଏ। ପୁନଃ ନିର୍ମାଣ ପ୍ରକ୍ରିୟାରେ ପ୍ରବାହ ଅପେକ୍ଷା ପ୍ରତିବନ୍ଧକମାନଙ୍କର ଭିଡ଼ ଅଧିକ। ତେଣୁ ତ କୁହାଯାଏ -“ गाड़ी चलाना सहज खुला मैदान में, लेकिन चलाना होगा दुनिया की भीड़ में” । ତେବେ ଇତିହାସର ଝଡ଼ବର୍ଷାରେ ଠିକଣା ହଜେଇ ଦେଇଥିବା ମୁହୂର୍ତ୍ତମାନଙ୍କୁ ଏକତ୍ର ସମ୍ମିଳିତ କରି ପୁନଃ ନିର୍ମାଣ ପ୍ରକ୍ରିୟାକୁ ଆଗେଇ ନେବା ଭାରତୀୟମାନଙ୍କର କର୍ତ୍ତବ୍ୟ ନୁହଁ  କି ?

              ସ୍ଵାଭିମାନ ମଣିଷ ଜୀବନର ସମ୍ବଳ। ସ୍ଵାଭିମାନ ବିନା ମଣିଷ ଶବ ସହ ସମାନ । ତେଣୁ ତ ମୋ ଲେଖନୀରୁ ଝରିଆସେ -

                                         “ସ୍ଵାଭିମାନ ଶବ ଦେହେ ଆଣଇ ଜୀବନ,

                                           ସେ ଆଣେ ସମ୍ଭାବନା  ଦେଖେ ଯେ ସପନ ।”

                                  ଏକ ସମ୍ପୂର୍ଣ ଜୀବନର ମାଧୁର୍ଯ୍ୟକୁ  ଉପଲବ୍ଧି କରିବା ପାଇଁ ସ୍ଵାଭିମାନ ଭଳି ସ୍ଵତଃ-ସୃଷ୍ଟ ସମ୍ବଳର ଆବଶ୍ୟକତାକୁ ଉପେକ୍ଷା କରାଯାଇନପାରେ । ଏହା ମଣିଷକୁ ଯନ୍ତ୍ରଣା ମଧ୍ୟରେ ଜୀବନର ରାହା ଦେଖାଏ । ମଣିଷର ପ୍ରତିଟି ସ୍ଵପ୍ନ ସ୍ଵାଭିମାନର ପାବଛଶ୍ରେଣୀ ଦେଇ ବାସ୍ତବ ରୂପ ପାଏ। ଜୀବନର ପ୍ରତିଟି ପ୍ରଭାତରେ ସେ ଭରିଦିଏ ମଧୁକରାର ଗୁଞ୍ଜରଣ । ସ୍ୱାଭିମାନୀ ମଣିଷଟିଏ  ନିଜେ ନିଜର ପରିଚୟ ସୃଷ୍ଟି କରିପାରେ  ଏବଂ ବିଜୟର ଟୀକାକୁ ଲଲାଟରେ ଧାରଣ କରି ନିର୍ଭୀକତାର ସହ ରାସ୍ତା ଚାଲିପାରେ। ଶରୀର ଏବଂ ଆତ୍ମାକୁ ଜାଗ୍ରତ କରି ଘୋଷଣା କରେ “ आत्मा किसिका अगर जागता, दुनिया को वोह बदल सकता”। ତେବେ ସ୍ୱାଭିମାନକୁ ପୁଞ୍ଜି କରି ଶରୀର ସହ ଆତ୍ମାକୁ ଜାଗ୍ରତ କଲେ କ୍ଷତି କ’ଣ  ?

                                     ଏକ ଜାଗ୍ରତ ଆତ୍ମା ହିଁ ଭାରତୀୟ ସଂସ୍କୃତି ଓ ପରମ୍ପରାର ଉପଯୁକ୍ତ ମୂଲ୍ୟାଙ୍କନ କରିପାରେ । ତେବେ, ଆମର ଏ ସମୃଦ୍ଧ ସଂସ୍କୃତି ଓ ପରମ୍ପରା କାହିଁ କି ଆଜି ପରାଧୀନତାର ଅର୍ଗଳି ମଧ୍ୟରେ ମୁକ୍ତିର ପଥକୁ ସନ୍ଧାନ କରୁଛି ? ପାଶ୍ଚାତ୍ୟ ପ୍ରଭାବର ତୀବ୍ର ତାଡନାରେ କାହିଁକି ସେ ଆଜି ଗୁମୁରି କାନ୍ଦୁଛି ? ସେ ତ ସ୍ଵାଧୀନ ଭାବନାର ଏକ ନିରନ୍ତର ପ୍ରବାହ ! ଏକ ନୂତନ ଆଲୋକର ଧାରା ; ଯାହାକି ମାନବର ମନ ବୃନ୍ଦାବନକୁ ଶୃଙ୍ଖଳିତ, ସୁଶୋଭିତ, ସୁପରିକଳ୍ପିତ, ସୁବ୍ୟବସ୍ଥିତ ତଥା ସଂଭ୍ରମ କରି ଗଢି ତୋଳିଥାଏ। ତେଣୁ ତ  ସମୃଦ୍ଧ ସଂସ୍କୃତିର ଧ୍ଵଜା ଧାରଣ କରିଥିବା ପ୍ରତ୍ୟେକ ଜାଗ୍ରତ ଆତ୍ମା ବିଶ୍ଵର ପ୍ରତିଟି ଘଡିସନ୍ଧି ମୁହୂର୍ତ୍ତରେ ମାନବ ସମାଜକୁ ନିରନ୍ଧ୍ର ଅନ୍ଧକାର ଗଳିରୁ ଉଦ୍ଧାର କରିଆଣି ନୂତନ ସୂର୍ଯ୍ୟାଲୋକର ମହାପ୍ଲାବନ ମଧ୍ୟରେ ହାତଧରି ପଥପ୍ରଦର୍ଶନ କରିପାରନ୍ତି।

                          ଆମର ଏ ସଂସ୍କୃତି ଓ ପରମ୍ପରା ବିଶ୍ଵାସ ଓ ଭରସାର ଏକ ପୁଣ୍ୟବେଦୀ । ଏହା ପୁଣି କ୍ରମାଗତ ସାଧନାର ଏକ ଯଜ୍ଞକୁଣ୍ଡ । ଏହି ଯଜ୍ଞକୁଣ୍ଡରେ ଆହୁତି ସାଜିଥିବା ପ୍ରତ୍ୟେକ ପୁଣ୍ୟାତ୍ମା ଏକ ପ୍ରଲୋଭିତ ସାୟାହ୍ନ ପାଇଁ ଲାଳାୟିତ ନୁହନ୍ତି । କାରଣ, ସେମାନେ ହୃଦୟଙ୍ଗମ କରିସାରିଛନ୍ତି ଯେ, ଏକ ପ୍ରଲୋଭିତ ମଧୁମୟ ସାୟାହ୍ନର ପ୍ରତୀକ୍ଷାରେ ଥିବା ପ୍ରତିଟି ଆତ୍ମା ସଂସ୍କୃତିର ମହତ୍ତ୍ଵକୁ ଉପଲବ୍ଧି କରିପାରନ୍ତି ନାହିଁ । ତେଣୁ ଆସନ୍ତୁନା, ଆଜିର ଏ ପୁଣ୍ୟ ତିଥିରେ ସେହି ପ୍ରଲୋଭିତ ଆତ୍ମାମାନଙ୍କ ମଧ୍ୟରେ ଜାଗୃତିର ପ୍ରଦୀପ ପ୍ରଜ୍ଜ୍ଵଳନ କରି ସେମାନଙ୍କ ମଧ୍ୟରେ ଚିନ୍ତା ଓ ଚେତନାକୁ ଭରିଦେବା ଏବଂ ଏ ଭାରତୀୟ ସଂସ୍କୃତିର ପ୍ରବାହମାନଧାରାକୁ ବିଶ୍ଵପ୍ରସାରି କରି “ସର୍ବେ ଭବନ୍ତୁ ସୁଖୀନଃ” ର ମହାମନ୍ତ୍ର ରେ ଏ ବିଶ୍ଵକୁ ଋଦ୍ଧିମନ୍ତ କରିବା ଓ ଏ ଦେବଭୂମିର  ପ୍ରତିଟି ବାଣୀକୁ ମୂଲ୍ୟାଙ୍କନ କରି ଆଜି ସେ ମହାନ ସଂସ୍କୃତିର ସ୍ମୃତିଚରଣ କରିବା । ସମ୍ଭବତଃ, ଏହା ହିଁ  ହେବ ଏ ଭୂମିର ପୁଣ୍ୟାତ୍ମାମାନଙ୍କ ପାଇଁ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ଏବଂ ସମ୍ମାନ ।

ତେଣୁ ତ ମୋ ଲେଖନୀରୁ ଝରିଆସେ -

                                   “ପ୍ରତି ପ୍ରାଣ ଛୁଇଁ ସଂସ୍କୃତିର ଧାରା ବହୁଅଛି ନିରନ୍ତର

                                    ଭେଦଭାବ ଭୁଲି ଆସରେ ସଭିଏଁ ହେବା ଏଠି ଏକାକାର

                                    ପ୍ରେମ-ଶିଖା ଏଠି ପ୍ରଜ୍ଜ୍ଵଳିତ ଦେଖ ଲିଭାଇ ପାରେନା କେହି,

                                    ମିଳନର ପିଠେ ହେବା ଏକାକାର ଆସ ଯିଏ ଅଛ ଯହିଁ ’’ ।

                                  ମିଳନର ମହାବେଦୀରେ ବାରମ୍ବାର ଅବଗାହନ କରୁଥିବା ପ୍ରତ୍ୟେକ ପୁଣ୍ୟାତ୍ମା ହିଁ ସଂସ୍କୃତିର ଧାରାକୁ ତ୍ୱରାନ୍ୱିତ କରିଥାନ୍ତି। ସେମାନେ ହିଁ ତ ଏ ବିଶ୍ଵର ଅଗଣିତ ପବିତ୍ର ଆତ୍ମାର ସନ୍ଧାନ କରି ଏ ବିଶ୍ଵକୁ ମଧୁମୟ କରିପାରନ୍ତି। ତେବେ, ସେମାନଙ୍କ ହସ୍ତରେ ଏ ସଭ୍ୟତାର, ଏ ପ୍ରବାହର ଏବଂ ଏ ସଂସ୍କାର ପ୍ରକ୍ରିୟାର ଚାବିକାଠି ଦେଇ ଆସନ୍ତୁ ସେମାନଙ୍କୁ ଥରେ ଆପଣେଇ ନେବା । ସେମାନଙ୍କ ନିକଟରେ ବିଶ୍ଵାସ ଓ ଭରସା ରଖି ଆଗାମୀକୁ ସ୍ଵାଗତ କରିବା । ତାହା ହିଁ ବୋଧେ, ଏ ମାନବ ସଂସ୍କୃତି ପାଇଁ ଆମମାନଙ୍କର ସର୍ବୋତ୍ତମ ଶ୍ରଦ୍ଧାଞ୍ଜଳି ଏବଂ ସମ୍ମାନ ହେବ ।

 

 

Comments