ଶ୍ରଦ୍ଧାଞ୍ଜଳି:-
ଯେଉଁମାନେ ପୃଥିବୀର ଇତିହାସକୁ ଶ୍ରଦ୍ଧାର ସହିତ ଅଧ୍ୟୟନ କରିଛନ୍ତି, ନୀରବଛିନ୍ନ ଭାବରେ ବୈଜ୍ଞାନିକ ଚିନ୍ତାଧାରାର
ନୀରବ ସ୍ରୋତକୁ ବିଶ୍ଳେଷଣ କରିଛନ୍ତି ଏବଂ ପ୍ରାପ୍ତିର ବଳୟ ମଧ୍ୟରେ ଅପ୍ରାପ୍ତିର ସୀମାରେଖାକୁ
ମାପିବାର ପ୍ରୟାସ କରିଛନ୍ତି, ସେମାନେ ପ୍ରତ୍ୟେକ ମୃତ୍ୟୁଗାମୀ ମଣିଷର
ଅନୁସନ୍ଧିତ୍ସୁ ଗୁଣାବଳୀକୁ ନିବିଡ଼ତାର ସହ ଭଲ
ପାଇଥାନ୍ତି ଓ ସେମାନଙ୍କ ଜୀବନ ବ୍ୟାପୀ କଠୋର ସାଧନାର ଯଜ୍ଞକୁଣ୍ଡ ନିକଟରେ ନତମସ୍ତକ ପୂର୍ବକ ସେମାନଙ୍କୁ
ଶ୍ରଦ୍ଧାସୁମନ ଅର୍ପଣ କରନ୍ତି - ଆଉ ଏହା ହିଁ ବୋଧେ ଭାରତୀୟ ପରମ୍ପରା,
ଇତିହାସ , ସାହିତ୍ୟ ତଥା ବିଜ୍ଞାନର ଦ୍ୟୋତକ । ଆଧୁନିକ ବିଜ୍ଞାନର
ଧାରାକୁ ଅନୁଶୀଳନ କରିବାବେଳେ ମନେହୁଏ ଯେ, ଏହା ପ୍ରାଚୀନ ଭାରତର
କେତେକ ନୀରବ ମୁହୂର୍ତ୍ତର ନିଃସର୍ତ୍ତ ନିବେଦନୀ ଭାବଧାରାର ନକ୍ଷତ୍ର ପୁଞ୍ଜ, ଯେଉଁଠାରେ କି ନା ଅଛି ପ୍ରାପ୍ତିର ଇଚ୍ଛା ନା ଅଛି ଅପ୍ରାପ୍ତିର ଆତ୍ମଗ୍ଳାନି । ଏଠି
ଅଛି କେବଳ ଅନ୍ୟକୁ ଋଦ୍ଧିମନ୍ତ କରିବାର ଦୁର୍ବାର ଇଚ୍ଛା । ତେଣୁ ତ ପ୍ରାଚୀନ ଭାରତର ପରମ୍ପରାକୁ
ବାଦ ଦେଇ ବିଜ୍ଞାନଧାରାକୁ ତ୍ଵରାନ୍ନିତ କରିବା ହାସ୍ୟାସ୍ପଦ ମନେହୁଏ । ଏ ଭୂମିରେ ଚରଖ, ସୁଶ୍ରୁତ ତଥା ଆର୍ଯ୍ୟଭଟ୍ଟଙ୍କ ଭଳି ବିଜ୍ଞାନ ସାଧକଗଣ ଜନ୍ମ ନେଇଥିଲେ, ଅଥଚ ସେମାନେ ପ୍ରତିଷ୍ଠା ବା ପ୍ରାପ୍ତି ପାଇଁ ଲାଳାୟିତ ନଥିଲେ । ସୃଷ୍ଟିର ବହୁ ଜଟିଳ
ତତ୍ତ୍ୱକୁ ଅନୁସରଣ, ଅନୁଶୀଳନ ଓ ବିଶ୍ଳେଷଣ କରି ସେମାନେ ଏ ବିଶ୍ଵର
ବିଜ୍ଞାନଧାରାକୁ ଆଗେଇ ନେଇଥିଲେ ଅଥଚ ପ୍ରାପ୍ତି ବା ସ୍ଵୀକୃତି ପାଇଁ ପ୍ରୟାସୀ ନଥିଲେ । ଗଣନ ବିଦ୍ୟାର ସର୍ବୋତ୍ତମ
ଉଦ୍ଭାବନ “ଶୂନ୍ୟ” ର ବ୍ୟବହାର ଏ ଭୂମିରେ ତ ଏକଦା ସମ୍ଭବ ହୋଇଥିଲା । ଅଥଚ ଏ ଭୂମି ତା’ର ଏ ଅବଦାନ ପାଇଁ ନିଃସର୍ତ୍ତ ଥିଲା ଓ ବିଶୁ
ମହାରଣା ପୁଅ ଧରମାର ସ୍ଥାପତ୍ୟ କୌଶଳ ଏ ଭୂମିରେ ନିର୍ମାଣ ସ୍ଥାପତ୍ୟ କ୍ଷେତ୍ରରେ ବିପ୍ଲବ
ଆଣିଥିଲା, ସେ’ ପ୍ରମାଣ ବିହୀନ ହେବା ପାଇଁ
ଗଭୀର ସାଗରରେ ଝାସ ଦେଇଥିଲା । ଏଠି ସ୍ଵପ୍ନ ଥିଲା, ସାକ୍ଷୀ ଥିଲା, ସ୍ଵାଭିମାନ ଥିଲା ଓ ସଂବେଦନା ବି ଥିଲା ଅଥଚ ନଥିଲା ସ୍ଵୀକୃତି । ତା’ ବୋଲି କ’ଣ ଆଧୁନିକ ବିଜ୍ଞାନର ଧାରା ପ୍ରାଚୀନ ଭାରତର
ଐତିହାସିକ ଅବଦାନରୁ ବାଦ ଯିବ କି? ବୋଧ ହୁଏ ନା । ତେଣୁ ଆଜି ମୋର ସେ
କାଳଜୟୀ ପଂକ୍ତି ମନେପଡ଼େ -
“ ନୁହେଁ ବନ୍ଧୁ,
ନୁହଁ ଏହା ଚିତା,
ଏ ଦେଶ ତିମିର ତଳେ,
ଏ, ଅଲିଭା ମୁକତି ସଳିତା ।
ନୁହଁ ଜନ୍ମ ଏହା ଲିଭିଯିବା
ପାଇଁ,
ଏହାର ଜନ୍ମ ଏଠି
ନିଜେ ଜଳି କଷଣ ଭୋଗିବା ପାଇଁ
ବାସ୍ନା ବିତରିବା ପାଇଁ !
ତେବେ ଆସନ୍ତୁ ନା, ପ୍ରତିକୂଳ ପରିସ୍ଥିତି, ସଂଘାତ-ସଂଘର୍ଷ, ଜୟ- ପରାଜୟ ସତ୍ତ୍ୱେ ମାନବର ବିଜ୍ଞାନଧାରାକୁ ତ୍ଵରାନ୍ନିତ କରିନେବା ବେଳେ ପ୍ରାଚୀନ
ଭାରତର ଇତିହାସକୁ ଉପେକ୍ଷା ନକରି ଏହାର ଉପଯୁକ୍ତ ମୂଲ୍ୟାଙ୍କନ କରିବା । ଆଉ ଏହା ହିଁ ହେବ, ନିଃସର୍ତ୍ତ ନିମଗ୍ନ ଆତ୍ମାମାନଙ୍କର ଉଦ୍ଦେଶ୍ୟରେ
ପ୍ରକୃତ ଶ୍ରଦ୍ଧାଞ୍ଜଳି ।
Comments
Post a Comment