ଈଶ୍ଵରଙ୍କ ସୃଷ୍ଟିରେ ମନୁଷ୍ୟ ଏକ ମହାନ ସୃଷ୍ଟି । ମନୁଷ୍ୟର ମନ ଓ ବିବେକ ପ୍ରକୃତିର ସୌନ୍ଦର୍ଯ୍ୟ ଠାରୁ ଆହୁରି ସୁନ୍ଦର । କାରଣ , ପ୍ରକୃତିର ପ୍ରତିଟି ଅନାବିଷ୍କୃତକୁ ଆବିଷ୍କାର କରିବାର ଉତ୍ସାହ ଓ ଉଦ୍ଦୀପନା ମନୁଷ୍ୟର ମନ ଓ ବିବେକ ମାଧ୍ୟମରେ ହିଁ ଫଳବତୀ ହୁଏ । ମନୁଷ୍ୟ ବିନା ପ୍ରକୃତି ଓ ପ୍ରକୃତି ବିନା ମଣିଷ ନିଜେ ନିଜକୁ କ’ଣ ସତରେ ମୂଲ୍ୟାଙ୍କନ କରିପାରନ୍ତି ? ବୋଧ ହୁଏ ନା’ । ତେଣୁ ତ ଈଶ୍ଵର ପ୍ରକୃତି କୋଳରେ ପୃଥିବୀର ପ୍ରଥମ ପୁରୁଷ ଆଦାମ ଓ ପ୍ରଥମ ନାରୀ ଇଭ୍ କୁ ସୃଷ୍ଟି କରି ବିହାର କରିବାକୁ ପ୍ରେରଣ କରିଥିଲେ, ଯେଉଁମାନେ କି ପ୍ରକୃତି କୋଳରେ ହିଁ ମନା କରାଯାଇଥିବା ଫଳକୁ ଭକ୍ଷଣ କରି ପରସ୍ପରର କ୍ଷୁଧାକୁ ମେଣ୍ଟାଇ ଥିଲେ । ପ୍ରକୃତି ହିଁ ତ ସେମାନଙ୍କର ତଥା ଏ ବିଶ୍ଵବାସୀଙ୍କର ସୃଷ୍ଟି, ସ୍ଥିତି ଓ ବିଲୟର ପୀଠସ୍ଥଳୀ । ତେଣୁ , ସେ ପ୍ରକୃତିର ସୁରକ୍ଷା କ’ଣ ମାନବର ମୌଳିକ କର୍ତ୍ତବ୍ୟ ନୁହଁ କି?
ପ୍ରକୃତି, କଥା କହିପାରେ ନା ବୋଲି ସେ ପ୍ରତିବାଦର ସ୍ଵର
ତୋଳେନା । ମଦମତ୍ତ ମଣିଷର ମନ ପ୍ରକୃତି କୋଳରେ ଆତ୍ମଗର୍ବରେ ବିହୋଳିତ ହୋଇ ପ୍ରକୃତିର ଅମୂଲ୍ୟ
ରତ୍ନକୁ ଯଦି ଅପବ୍ୟବହାର କରେ, ତାହା ଏ ମାନବ ସମାଜ ପାଇଁ ଧ୍ଵଂସର
ଆହବକୁ ଆମନ୍ତ୍ରଣ କରିବ ନାହିଁ କି? ନଦୀଟିଏ କୂଳଲଙ୍ଘନ କରି
ଆଗକୁ ବହି ଯିବା ପରେ ଯେପରି ପଛକୁ ଫେରେନା କିମ୍ବା ଦୁଇ ପାର୍ଶ୍ଵକୁ ଫେରି ଚାହେଁ ନା, ସେହିଭଳି ମଦମତ୍ତ ମଣିଷଟିଏ ଆତ୍ମ-ସନ୍ତୋଷ ନିଶାରେ ପ୍ରତିବାଦ କରିପାରୁନଥିବା
ପ୍ରକୃତିକୁ ଅପବ୍ୟବହାର କରିସାରିବା ପରେ ତା’ ପରିଣାମ ପ୍ରତି ଯତ୍ନବାନ
ହୁଏ ନା । ତେବେ, ପ୍ରକୃତି ପ୍ରତି ଏଭଳି ବ୍ୟବହାର ସତରେ କ’ଣ ଶୁଭଂକର?
ହେ ! ମୋର ବିବେକବାନ
ଆଲୋକସନ୍ଧାନୀ ମାନବ ସମାଜ, ଆମେ ସମସ୍ତେ
ମିଶି ଏହାର ତର୍ଜମା କରିବା ଏବଂ ନୀରବ ଓ ନିଃସର୍ତ୍ତରେ ଆମ କଥାକୁ ମାନି ନେଉଥିବା ପ୍ରକୃତିକୁ
ନ୍ୟାୟ ଦେବା ।
Comments
Post a Comment