ଗାଁ ନଈକୁ ଦେଖି କବିଟିଏ ଯେତେବେଳେ ତା’ ସ୍ମୃତିକୁ ସାଉଁଟିବାକୁ ଆରମ୍ଭ କରେ , ପ୍ରତିବଦଳରେ କ’ଣ ପାଏ ସିଏ? ନଈ ପଠାରେ ଠିଆ ହୋଇ ସ୍ମୃତିକୁ ଡାକ ଦେଲେ ସେ କ’ଣ ସତରେ ଉତ୍ତର ଦିଏ? କେବଳ ନିଜ ଡାକର ପ୍ରତିଧ୍ୱନି ଫେରି
ଆସେ । କବିଟି ଉପହାସିତ ହୁଏ ନିଜ ଚାରିଆଡ଼େ ଥିବା ସାଥି-ସହୋଦରଙ୍କଦ୍ଵାରା ; ତଥାପି ସେ’ ନଈକୁ ଭଲପାଏ । କେତେବେଳେ ତା’ କବିତା ପଂକ୍ତିରେ ତାକୁ ଆବିଷ୍କାର କରି ଆପଣେଇ ନିଏ ଓ କିଛି କ୍ଷଣ ପାଇଁ ବାନ୍ଧି ରଖେ
ତ ଅନ୍ୟ କେତେବେଳେ ନାଉରିର ଆହୁଲା ସ୍ପର୍ଶରେ ତାକୁ ଆଗକୁ ଯିବାକୁ ବାଟ ଛାଡ଼ିଦିଏ - ଆଉ ବାଟ
ଛାଡ଼ିବା ଯେମିତି ଅନିବାର୍ଯ୍ୟ ଏଠି । ତା’ହେଲେ, ଏ ବନ୍ଧନର ମାନେ କ’ଣ? ତେଣୁ ତ ସେ’ ତାକୁ ବନ୍ଧନ ମୁକ୍ତ କରେ ; କାରଣ କବିଟି ଏବେ ବୁଝି ସାରିଛି
ଯେ, ନଈ ନୀରବରେ ଓ ନିଷ୍ପନ୍ଦରେ
ବହି ଚାଲିଛି ସାଗର ବକ୍ଷରେ ଲୀନ ହେବା ପାଇଁ । ଆଉ ଏ ଲୀନ ହେବାର ପ୍ରକ୍ରିୟା କାହିଁ କେଉଁ ଯୁଗରୁ ଚାଲି ଆସିଛି ।
ତେବେ, ସେ କାହିଁକି ଆଜି ଏ ପ୍ରବାହକୁ ରୋକିବା ପାଇଁ
ପ୍ରୟାସ କରିବ? ଏହା ତ ପ୍ରକୃତି ଓ ପୁରୁଷର ଏକ ଆଦିମ ପ୍ରକ୍ରିୟା ।
ସୃଷ୍ଟି ତ୍ଵରାନ୍ୱିତ ହେବାର ଆଦ୍ୟ ସଂକେତ । କାରଣ ଏ ପ୍ରକ୍ରିୟା ହିଁ ତ ପବିତ୍ର ଗଙ୍ଗାଜଳର ରୂପ ନେଇ ତା’ ପବିତ୍ର ସିଞ୍ଚନରେ ମାନବ ସମାଜକୁ କରିଛି ସମୃଦ୍ଧ -
ଆଉ ମାନବର ସମସ୍ତ ପାପକୁ ଧୋଇଦେଇ ତା’ ହୃଦୟରେ ସୃଷ୍ଟି କରିଛି ଐଶୀ-ଚେତନାର
ମନ୍ଦାକିନୀ ଧାରା । ଆଉ ଏହା ହିଁ ବୋଧେ ଆଗକୁ ବଢିବାର ମହୌଷଧି । ଏମିତି ଜୀବନର ଉତ୍ଥାନ
-ପତନ ସହ ଆଗକୁ ବଢିବାକୁ ନଈଟିଏ ପ୍ରେରଣା ଦେଇ ଚାଲିଛି ପ୍ରତିଟି ପ୍ରାଣକୁ । ସାଗରର ବିସ୍ତୃତି
ଦେଖି ନଈ ନା କେବେ ଚମକି ଉଠିଛି ନା କିଛି ଭାବି
ଚାଲିଛି ! ସାଗରର ଅସୀମ ଉଦାରତାରେ ସେ କେବଳ ହଜି ଯାଇଛି ।
ହଜିବା ଯେମିତି ତା’ର ପରମ ବ୍ରତ...ତେଣୁ ଗାଁ ନଈର ସବୁତକ ସ୍ମୃତି ବି
ସାଗରର ବିଶାଳତାରେ ହଜିଯାଏ । ତେଣୁ ତ କବି ବି ନଈକୁ ଦେଖି ଅତୀତକୁ ସାଉଁଟେନି ଆଉ... ସେ ବି
ଚୁପଚାପ ଏବେ ।
Comments
Post a Comment