ମଣିଷର ମନ ଏଠି, ଛଳ ଛଳ ବହୁଥିବା ନଦୀର ଧାରଟିଏ । ବହିବା ଯେମିତି ଏଠି ତା’ର ଧର୍ମ । ନଦୀ ରୂପୀ ମନର ଧାରାଟି ଥରେ ଆଗକୁ ବହିଯିବା ପରେ ଆଉ ପଛକୁ କିମ୍ବା ଦୁଇ ପାର୍ଶ୍ଵକୁ ଫେରି ଚାହେଁନା । ଯୌବନର ପ୍ରବାହରେ ଉନ୍ମାଦିତ ତା’ର ବକ୍ଷ ପ୍ରଦେଶ । ଏବେ ସିଏ ଆତ୍ମ ସନ୍ତୋଷ ଅବା ଆତ୍ମ ଗର୍ବରେ ବିହୋଳ । ଖିଆଲି ମନର ସମୟ ବା କାହିଁ ବିବେକର ବେଡ଼ି ପିନ୍ଧିବାକୁ ? ଶୃଙ୍ଖଳାର ପୃଷ୍ଠା ସବୁକୁ ଓଲଟାଇବାକୁ? ତେଣୁ ତ ‘ମନ’ ସର୍ବଦା ବିବେକର ଅମୂଲ୍ୟରତ୍ନକୁ ଅବମୂଲ୍ୟାୟନ କରେ । ତା’ର ଏହି ଅଣଦେଖା ପଣ ପାଇଁ ସେ ବିବେକର ସୁଲଭ ରତ୍ନକୁ ହରାଇ ବସେ । ଆଉ ତା’ ପରେ ? ଆପଣାର ପରିଚୟ ଭୁଲି ସେ ବାଟବଣା ହୁଏ । ମଦମତ୍ତ ମନର କ୍ଷୀଣ ଧାରାଟିଏ କ୍ରମେ ସୃଷ୍ଟି କରି ଚାଲେ ମହାପ୍ଲାବନ; ଆଉ ସେହି ପ୍ଲାବନର ପ୍ରଭାବରେ କେତେ ଯେ ଅଘଟଣ ଘଟେ ତା ହିସାବ ମିଳେନା । ଏ ପ୍ଲାବନର ଦୁଃସହ ପ୍ରଭାବରେ ନୃତ୍ୟରତା ନର୍ତ୍ତକୀର ପାଦରୁ ଘୁଙ୍ଗୁର ଛିଣ୍ଡି ପଡ଼େ । ପାଦର ରକ୍ତସୁଅରେ ରଙ୍ଗଶାଳାର ଚଟାଣପ୍ରଦେଶ ରଞ୍ଜିତ ହୁଏ । ପ୍ରତ୍ୟେହ ଗୋଟିଏ ସ୍ଵର୍ଣ୍ଣ ଅଣ୍ଡା ପ୍ରଦାନ କରିପାରୁଥିବା କୁକ୍କୁଟଟି ଅକାଳରେ ମୃତ୍ୟୁବରଣ କରେ । ତେବେ, ଏଥିପାଇଁ ଦାୟୀ କିଏ ? ଅମାନିଆ ମନ ନା? ଯଦି ହଁ , ତେବେ ଏମିତି ଅନେକ ଘଟଣା ଓ ଦୁର୍ଘଟଣା ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଥିବା ନଦୀରୂପୀ ମନର ସୁଅକୁ ବେଳ ଥାଉ ଥାଉ ବିବେକରୂପୀ ନଦୀବନ୍ଧ ଦ୍ଵାରା ଆବଦ୍ଧ କରି ଜନହିତ ପାଇଁ ବିନିଯୋଗ କରିପାରିଲେ କ୍ଷତି କ’ଣ? ତାହେଲେ , ଆସନ୍ତୁ ନା ! ନଦୀରୂପୀ ମନର କ୍ଷୀଣଧାରାଟି ପ୍ରଖର ସ୍ରୋତରେ ପରିଣତ ହୋଇ ପ୍ରତିଟି ସ୍ଵପ୍ନକୁ ପାଣିରେ ଭସାଇ ନେବା ଆଗରୁ ତାକୁ ଶୃଙ୍ଖଳାର ବେଡ଼ି ପିନ୍ଧାଇ ଆୟତ୍ତ କରିବା । କାରଣ, ଆମେ ପରା ଏ ବିଶ୍ଵ ମଣ୍ଡଳରେ ସଂସ୍କାର ପ୍ରକ୍ରିୟାର ଅଗ୍ରଦୂତ । ସନାତନି ସଂସ୍କୃତିର ଆଦ୍ୟ ବାହକ, ସାତ୍ତ୍ଵିକ ଚିନ୍ତନର ପ୍ରଥମ ସନ୍ତକ ଏବଂ ପ୍ରବାହ ପ୍ରକ୍ରିୟାର । ଆମେ ହିଁ ତ ପ୍ରଥମ ପ୍ରତିରୂପ ।
Comments
Post a Comment