ଘଟଣା ଓ ଦୁର୍ଘଟଣାର ସୁଅରେ ମଣିଷ ଏଠି ଭାସି ଚାଲିଥାଏ ନିରନ୍ତର । ଏହି ନିରନ୍ତର ସ୍ରୋତରେ ଭାସମାନ ମଣିଷମାନେ ଯେତେବେଳେ ସେମାନଙ୍କ ସମ୍ମୁଖରେ ସମସ୍ୟାର ଉତ୍ତୁଙ୍ଗ ପର୍ବତ ଶ୍ରେଣୀକୁ ଅବଲୋକନ କରନ୍ତି, ସେତେବେଳେ ସେମାନେ ହଠାତ ବିଶ୍ଵାସ କରିପାରନ୍ତି ନାହିଁ ଯେ, ଏ ସମସ୍ୟାର ସମାଧାନ-ମନ୍ତ୍ର ସେମାନଙ୍କ ନିକଟରେ ହିଁ ଉପଲବ୍ଧ । ତେଣୁ ଆଘାତରେ ଥରି ଉଠେ ସେମାନଙ୍କର କୋମଳ ହୃଦୟ । ଥମିଯାଏ ସେମାନଙ୍କର ଚଳଚଞ୍ଚଳ ମନ । ହେଲେ କିନ୍ତୁ ସ୍ଥିତପ୍ରଜ୍ଞ ମଣିଷମାନେ ଏଥିରୁ ବ୍ୟତିକ୍ରମ କାରଣ ସେମାନେ ତ ସ୍ଥିର ଓ ସ୍ଥବିର । ଅତୀତ,ବର୍ତ୍ତମାନ ଓ ଭବିଷ୍ୟତ ସବୁ ଯେମିତି ସମାନ ସେମାନଙ୍କ ପାଇଁ । କାରଣ ସେମାନେ ବୁଝି ସାରିଛନ୍ତି ଯେ, ଅତୀତ ଏଠି ଅପହୃତ ଓ ଭବିଷ୍ୟତ ଏଠି ଅନାଗତ । କେବଳ ବର୍ତ୍ତମାନ ହିଁ ସ୍ଥିତ ଓ ଜୀବିତ । ତେଣୁ ଜଣେ ସାଧାରଣ ମଣିଷ ଭଳି ମନକୁ ବିଶୃଙ୍ଖଳିତ ନକରି ସେମାନେ ଆଗେଇ ଯା’ନ୍ତି ବର୍ତ୍ତମାନକୁ ସାଥି କରି । ଗୀତାରେ କୁହାଯାଇଛି ସାତ୍ତ୍ଵିକ ପୁରୁଷଗଣ ଏଠି ସର୍ବଦା ଉର୍ଦ୍ଧ୍ଵଗାମୀ ଏବଂ ତାମସୀ ପୁରୁଷମାନେ ସର୍ବଦା ନିମ୍ନଗାମୀ । ଆଉ ରାଜସ ପୁରୁଷଗଣ ଏହି ଦୁଇଙ୍କ ମଧ୍ୟରେ ଦୋଳାୟମାନ; ଅର୍ଥାତ ସେମାନଙ୍କ ଗତି ସର୍ବଦା ମଧ୍ୟମ ପଥଗାମୀ । ସାତ୍ତ୍ଵିକ ପୁରୁଷଟିଏ ଅନ୍ୟ ପାଇଁ ବଞ୍ଚି ଥାଏ । କିନ୍ତୁ ତାମସୀ ପୁରୁଷଟିଏ ନିଜ ପାଇଁ ବଞ୍ଚିଥାଏ । ଆଉ ରାଜସ ପୁରୁଷଟିଏ ଅନ୍ୟର ସମାଧି ଉପରେ ନିଜର ମହଲ ନିର୍ମାଣ କରେ । ଏହି ବଞ୍ଚିବାର ଭିନ୍ନତାକୁ ହିଁ ତ ସାଧୁଗଣ ମନ ଓ ବିବେକର ଯୁଦ୍ଧ ନାମରେ ନାମିତ କରନ୍ତି ।
ଏଠି ପ୍ରାପ୍ତି ଓ ପ୍ରତୀକ୍ଷା ପରସ୍ପର ଛନ୍ଦାଛନ୍ଦି । ଅଭିମାନ ଓ ସ୍ଵାଭିମାନ ପରସ୍ପର
ପ୍ରତି ଅସହିଷ୍ଣୁ ଏଠି । ତଥାପି ସେମାନେ ଅନେକ ସମୟରେ ନିଜ ନିଜ ମଧ୍ୟରେ ସନ୍ତୁଳନତା ବଜାଇ
ରଖନ୍ତି କାରଣ ସନ୍ତୁଳନତା ହିଁ ଏ ମହାଜାଗତିକ ବସ୍ତୁମାନଙ୍କୁ ଶୂନ୍ୟରେ ବାନ୍ଧି ରଖିଛି । ତେବେ
ସାଧାରଣ ପ୍ରାଣୀ-ଜଗତ ସେ ନିୟମରୁ ବହିର୍ଭୂତ କେମିତି ବା ହୁଅନ୍ତା? ତେଣୁ ଆସନ୍ତୁନା , ସେ
ମହାନତାରେ ଆମେ ବିଲୀନ ହୋଇଯିବା ଥରେ ।
ବିଲୀନତା ହିଁ ତ ସୃଷ୍ଟିର ପ୍ରତୀକ, ସର୍ଜନାର ଦ୍ୟୋତକ । ବିଲୀନତାର ମଧ୍ୟବିନ୍ଦୁରେ ଦଣ୍ଡାୟମାନ ହୋଇ ଯେଉଁମାନେ ଜୀବନର
ମାଧୁର୍ଯ୍ୟକୁ ଉପଲବ୍ଧି କରିପାରନ୍ତି ସେମାନଙ୍କ ଜୀବନ ନିରାଶାର ଧନ କୁହୁଡି ମଧ୍ୟରେ ବାଟବଣା
ହୁଏ ନାହିଁ କାରଣ ସେମାନେ ବିବେକର ହାତପା’ନ୍ତାରେ ରହି ନିଜେ ନିଜକୁ
ସନ୍ତୁଳିତ କରନ୍ତି । ସନ୍ତୁଳନତାର ମହାମନ୍ତ୍ରକୁ ସେମାନେ ହୃଦୟଙ୍ଗମ କରିପାରନ୍ତି । ଏହି
ସନ୍ତୁଳନତା ହିଁ ତ ସମ୍ପର୍କର ଅନ୍ୟନାମ ।
ଆକାଶରେ ଗ୍ରହ ନକ୍ଷତ୍ରମାନଙ୍କର ଚିରନ୍ତନ ଅବସ୍ଥିତି ଭଳି ପ୍ରାଣୀ ଜଗତର ଅବସ୍ଥିତି ଏଠି ।
ସେ ଗ୍ରହ ନକ୍ଷତ୍ର ହେଉ, ଅଥବା
ପ୍ରାଣୀଜଗତ ହେଉ, ସମସ୍ତେ ଏଠି ଏକ ସନ୍ତୁଳିତ ସମ୍ପର୍କର ରଜ୍ଜୁରେ
ବନ୍ଧା । ବନ୍ଧନ ହିଁ ଜୀବନର ଗତିକୁ ତ୍ଵରାନ୍ଵୀତ କରେ । ବନ୍ଧନ ହିଁ ଜୀବନକୁ ମଧୁମୟ କରେ ଏବଂ
ସେହି ମଧୁ ଆସ୍ଵାଦନ କରି ପ୍ରାଣୀ ଜଗତ ଆଶାବାଦୀ ହୁଏ । ଆଉ ସେହି ଆଶାର ନଉକାରେ ବସି ଜୀବନ-ବୈତରଣୀ
ପାରି ହେବାବେଳେ ତା’ ଭିତରେ ଗୁମୁରି କାନ୍ଦୁଥିବା ମିଥ୍ୟା ଅଭିମାନ ମୂଲ୍ୟହୀନ
ମନେହୁଏ । ତେଣୁ ତ ସେ ସ୍ଵାଭିମାନକୁ ପ୍ରତିଷ୍ଠା କରିବାପାଇଁ ପ୍ରୟାସ କରେ । ସ୍ଵାଭିମାନର
ପ୍ରତିଷ୍ଠା ଯଜ୍ଞରେ ପ୍ରତିଯୋଗୀତା ଅବା ପ୍ରତିଦ୍ୱନ୍ଦିତା ନଥାଏ । ପ୍ରତ୍ୟେହ ସେ ସ୍ଵୟଂ
ପ୍ରମାଣିତ କରୁଥିବା ପ୍ରତିଟି ପ୍ରୟାସ ତା ପାଇଁ ତ ଗୋଟିଏ ଗୋଟିଏ ଅନୁଭୂତିର ସିଡ଼ି । ଆଉ ଏ
ପ୍ରତ୍ୟେକ ସିଡ଼ିରେ ବିଲୀନତାର ମନ୍ତ୍ରଧ୍ୱନିକୁ ଉପଲବ୍ଧି କରେ । ଜୀବନ-ଯଜ୍ଞରେ ବିଲୀନତାର
ଗୁରୁତ୍ଵକୁ ପ୍ରତିପାଦିତ କରେ । କାରଣ ସେ ଏବେ ବୁଝି ସାରିଛି ଯେ, ନୀରବତା ହିଁ ତା’ ଜୀବନ ଯଜ୍ଞରେ ଆହୁତି ସାଜି
ଏ ପୃଥିବୀକୁ ସନ୍ଦେଶ ଦେବ ଏକ ମହାବିଶ୍ଵକୁ ନିର୍ମାଣ କରିବାକୁ । ତେଣୁ ଆସନ୍ତୁନା , ମହାବିଶ୍ଵ ନିର୍ମାଣ ପ୍ରକ୍ରିୟାର ସେ ସ୍ରୋତରେ ଆମେ ସମସ୍ତେ ବିଲୀନ ହେବା ଆଗରୁ ଉଚ୍ଚାରଣ
କରିବା-
“ଆମ ବିଲୀନତା
ମହାବିଶ୍ଵକୁ ନିର୍ମାଣ କରୁ ଏଠି,
ବିଲୀନ ମନ୍ତ୍ରରେ ଆଙ୍କିବା ଆସ ଏଠି ଆମ ଜନ୍ମ କୋଠି”
।
ତାହେଲେ, ଆଉ ବିଳମ୍ବ କାହିଁକି ଏ ବିଲୀନ ଯଜ୍ଞ ପାଇଁ ?
Comments
Post a Comment