Stay tuned to my blog- "ଓଏସିସ୍" । ଅଧିକ ପଢିବାପାଇଁ ଏଠାରେ କ୍ଲିକ କରନ୍ତୁ ।

 

ପ୍ରତୀକ୍ଷା ଓ ପ୍ରାପ୍ତି ଗୋଟିଏ ପୃଷ୍ଠାର ଦୁଇଟି ଅଧ୍ୟାୟ । ସେମାନେ ଯେମିତି ପରସ୍ପର ଛନ୍ଦାଛନ୍ଦି । ତଥାପି ବେଳେବେଳେ ପ୍ରାପ୍ତି ବାଟବଣା ହୁଏ  ପ୍ରତୀକ୍ଷାର ପ୍ରତାରିତ ମୁହୂର୍ତ୍ତମାନଙ୍କ ପାଇଁ । ପ୍ରତୀକ୍ଷା ତ ପ୍ରମତ୍ତ ଜୀବନର ଏକ ପ୍ରଗଳଭତା । ନା ତା’ର ଆରମ୍ଭ ଅଛି ନା ଅଛି ଶେଷ । ସେ ଯେମିତି ଏଠି ଅସୀମତାର ପ୍ରତୀକଟିଏ । ମାନବ ଜୀବନର ସେ ତ ଏକ ଅବିଚ୍ଛେଦ୍ୟ ଅଂଶ । ସେ ଜୀବନ ପୂର୍ବରୁ ବି ଥିଲା ଏବଂ ଜୀବନ ପରେ ବି ରହିଥିବ; କାରଣ ଏ ଜୀବନ ପରେ ବି ପ୍ରତ୍ୟେକ ପ୍ରାଣୀର କାମନା ଥାଏ ଆସନ୍ତା ଜୀବନରେ ଜିଇଁବା ପାଇଁ ,ନଚେତ କାମନା ବିନା ତ ଏଠି ପ୍ରତ୍ୟେକ ପ୍ରାଣୀ ବୁଦ୍ଧ ପାଲଟିଯା’ନ୍ତେ । କିନ୍ତୁ ଯନ୍ତ୍ରଣାର ଅନ୍ତ କାହିଁ? ତେଣୁ ତ ପ୍ରତୀକ୍ଷା ସବୁବେଳେ ଯନ୍ତ୍ରଣା ଜର୍ଜରିତ । ସେ’ କାହ୍ନା ପାଇଁ ଯମୁନା କୂଳରେ ରାଧାର ପ୍ରତୀକ୍ଷା ହେଉ ଅବା ନଦୀକୂଳରେ ମାତା ଯଶୋଦାଙ୍କର ପ୍ରତୀକ୍ଷା ହେଉ ।

 ପ୍ରତୀକ୍ଷା ସଞ୍ଚରଣର ଅନ୍ୟନାମ । ପ୍ରବାହର ସୂକ୍ଷ୍ମ ଧାରାଟିଏ ସିଏ । କେତେବେଳେ ସଞ୍ଜ ତାରାଟିଏ ହୋଇ ଆକାଶରେ ଉଦୟ ହୁଏ ତ ଅନ୍ୟ କେତେବେଳେ ପୁନେଇ ଜହ୍ନର ରୂପ ନିଏ । କିନ୍ତୁ ପ୍ରାପ୍ତିର ରୂପ ନିଏ ନାହିଁ କାରଣ ପ୍ରାପ୍ତି ପରେ ପ୍ରତୀକ୍ଷାର ସମାପ୍ତି ହୋଇଯିବ- ଆଉ ପ୍ରାପ୍ତିର ସମାପ୍ତି ହୋଇଗଲେ ପ୍ରତୀକ୍ଷାର ବି ଅନ୍ତ ହୋଇଯିବ । ପ୍ରତୀକ୍ଷା ଅନ୍ତ ହେଲେ ପ୍ରବାହ ଥମିଯିବ, ପୃଥିବୀର ଗତି ବନ୍ଦ ହୋଇଯିବ, ମାନବ ସମାଜ ଓ ଜୀବ- ଜଗତ ଜଡ଼ ପାଲଟି ଯିବ ଏବଂ ଶେଷରେ ସବୁତକ ହିସାବନିକାଶ ଭୁଲ ପ୍ରମାଣିତ ହେବ । ତେଣୁ ପ୍ରତୀକ୍ଷାକୁ ଆପଣେଇ ନେଲେ କ୍ଷତି କ’ଣ? ସେ ସବୁବେଳେ ପ୍ରାପ୍ତି ଓ ପ୍ରାଚୁର୍ଯ୍ୟକୁ ସାଥିରେ ନ ଆଣିଲେ ବି ସେଥିରେ ଆନନ୍ଦ ଅଛି ।

ପ୍ରତୀକ୍ଷା ଏବେ ବୁଝି ସାରିଲାଣି ଯେ , ତା’ ବିନା ସୃଷ୍ଟି ତ୍ୱରାନ୍ୱିତ ହେବା ଆଦୌ ସମ୍ଭବ ନୁହଁ । ତେଣୁ ଆସନ୍ତୁ, ପ୍ରଗତି ଓ ପ୍ରବାହର ଧ୍ଵଜା ଧାରଣ କରି ନିର୍ଭୀକତାର ସହ ପ୍ରତୀକ୍ଷା ଏବେ ବନ୍ଦାପନାର ଅର୍ଘ୍ୟଥାଳି ନେଇ ପ୍ରାପ୍ତି ଆଡ଼କୁ ଗତିଶୀଳ । ତେବେ, ସତରେ କ’ଣ ସେ ପ୍ରାପ୍ତିକୁ ଛୁଇଁ ପାରିବ ....?


Comments