ପ୍ରଗଳ୍ଭ ଯୌବନର କେଉଁ ଏକ ଚପଳ ଭାବାବେଶରେ ସେ ଦିନ କାବ୍ୟ ଚିତ୍ରକର ମାୟାଧର ମାନସିଂହଙ୍କର ଲେଖନୀରୁ ଝରିଥିଲା-
“ଲୀଳାମୟ ହେଲା ଶିଳା,
ଶତଶିଳା କୁଞ୍ଜେ ବିକଶିଲା ଜୀବନ,
କୁନ୍ଦିତ ବିଗ୍ରହ ସ୍ପନ୍ଦିତେ
ଜାଗିଲେ ପବନ “।
ତେବେ, ଆମ କୋରାପୁଟ ମଧ୍ୟ କୌଣସି ଗୁଣରେ କମ ନୁହେଁ; ଏହା ତ ପ୍ରକୃତିର ଏକ ଗନ୍ତାଘର ।
ପ୍ରାପ୍ତି ଓ ପ୍ରକୃତି ଏଠି ଯେମିତି ଏକାକାର । ଏଠି ଅଛି ଯାଯାବରକୁ ଗୃହସ୍ଥ କରିବାର
ମୋହିନୀ ମନ୍ତ୍ର । ଅଳସି ଓ ସୋରିଷ ଫୁଲର କ୍ଷେତ ଏଠି ପଥିକକୁ କ୍ଷଣଟିଏ ଅଟକି ଯିବାକୁ ଯେମିତି
ବାଧ୍ୟ କରେ । ପାହାଡ଼ ଘେରା ଏ ସୋରିଷ ଓ ଅଳସି ଫୁଲ କ୍ଷେତରେ ଜୀବନ ଚଳଚଞ୍ଚଳ ହୋଇଉଠେ । ପଥିକଟିଏ
ଏଠି ସ୍ଵର୍ଗୀୟ ସୁଷମାକୁ ଅନୁଭବ କରି କ୍ଷଣଟେ ପାଇଁ ଆତ୍ମ ବିସ୍ମୃତ ହୁଏ । ଉପାନ୍ତ ଇଲାକାର ଏ
ପ୍ରକୃତି ଈଶ୍ଵରଙ୍କର ବରଦାନ କହିଲେ ଅତ୍ୟୁକ୍ତି ହେବ ନାହିଁ । ତେଣୁ ତ ପରିବ୍ରାଜକଟିଏ କାହିଁ କେଉଁ ଦୂରରୁ ଏଠାକୁ
ଆକର୍ଷିତ ହୋଇ ଆସେ ।
ପ୍ରାପ୍ତି ଓ ପ୍ରକୃତି ନିବିଡ଼ ବନ୍ଧନର ଏକ ସାଙ୍ଗିତିକ ମୂର୍ଚ୍ଛନା । ନୀରବତା ମଧ୍ୟରେ ଏହି
ମୂର୍ଚ୍ଛନା କେବଳ ଭାବୁକର ପ୍ରାଣତନ୍ତ୍ରୀରେ ହିଁ ଆନ୍ଦୋଳନ ସୃଷ୍ଟି କରେ । ସେ ଦୁର୍ବାଦଳର କାକର ହେଉ ଅବା ଅଳସି ଫୁଲର ବନ୍ୟା ହେଉ
ଅଥବା ସୋରିଷ କ୍ଷେତର ଦୃଶ୍ୟ ହେଉ ସବୁଠି ପ୍ରାପ୍ତି ଓ ପ୍ରାଚୁର୍ଯ୍ୟର ନିରନ୍ତର ପ୍ରବାହକୁ
ଅନୁଭବ କରିଥାଏ ଭାବୁକର ମନ । ପ୍ରକୃତି କୋଳରେ ନିସ୍ପ୍ରାଣ ଶରୀର ପ୍ରାଣବନ୍ତ ହୁଏ । ପ୍ରବାହର
ଅନ୍ୟନାମ ତ ପ୍ରକୃତି । ଭୌତିକ ମୋହମାୟାରୁ ଏହା ତ ଅନେକ ଉର୍ଦ୍ଧ୍ଵରେ । ତେଣୁ ତ ଭାବୁକଟିଏ
ପ୍ରକୃତି କୋଳରେ ପାର୍ଥିବ ପୃଥିବୀରୁ ଉର୍ଦ୍ଧ୍ଵରେ ରହି ସକାରାତ୍ମକ ଚିନ୍ତନକୁ ପ୍ରସାରଣ କରିଥାଏ
ମାନବ ସମାଜରେ । ପ୍ରକୃତିର କାଳ୍ପନିକ ବର୍ଣ୍ଣନାରେ ଭାବୁକର ଲେଖନୀ ଚଳଚଞ୍ଚଳ ହୋଇଉଠେ ସତ ; କିନ୍ତୁ ତା’ରି ମଧ୍ୟରେ
ବି ଯେ ବାସ୍ତବ ଜୀବନର ସତ୍ୟ ନିହିତ ଅଛି ,ଏହା ନିଃସନ୍ଦେହ ।
ପ୍ରକୃତି କେତେବେଳେ କବିର କବିତା ଛନ୍ଦରେ ତ କେତେବେଳେ ପ୍ରାବନ୍ଧିକର କ୍ଲୀଷ୍ଟ ଶବ୍ଦଗୁଚ୍ଛରେ
ଆମ ନିକଟରେ ତା’ ଉପସ୍ଥିତିକୁ ଜାହିର କରେ
ସତ, କିନ୍ତୁ ତା’ର ମୌଳିକତାକୁ ଅକ୍ଷୁର୍ଣ୍ଣ
ରଖିଥାଏ । ତେଣୁ ତ ସେ ଚିରନ୍ତନତାର ଏକ ନିରନ୍ତର ପ୍ରବାହ କହିଲେ ଅତ୍ୟୁକ୍ତି ହେବ ନାହିଁ ।
ପ୍ରକୃତି ତା’ର ପବିତ୍ର ଭାବନାକୁ ଅକୁଣ୍ଠରେ ମାନବ ସମାଜକୁ ବିତରଣ କରି
ପରିବେଶକୁ କରିଛି ସମୃଦ୍ଧ । ତା’ ବିତରଣ ନିଃସର୍ତ୍ତ ଓ ନିରାକାର । ସେ
ଅରୂପ, ନିରଞ୍ଜନ ଓ ନିର୍ଲିପ୍ତ । ତେଣୁ ତ କବି ଓ ଭାବୁକର ବର୍ଣ୍ଣନାରେ
ସେ ଭିନ୍ନ ଭିନ୍ନ ରୂପ ପାଏ । ତା’ରି କମନୀୟ ସ୍ପର୍ଶରେ ରତ୍ନାକର
ବାଲ୍ମୀକି ହୋଇପାରେ ଏବଂ ସରଳ ଶାନ୍ତ ମଣିଷଟିଏ ନିଜକୁ ନିର୍ମାଣ କରିବାର ସ୍ଵପ୍ନ ଦେଖିଥାଏ ।
ତେବେ, ସେଭଳି ଏକ ସ୍ଵପ୍ନକୁ କୋରାପୁଟ ମାଟିରେ ଠିଆ ହୋଇ ଆପଣେଇ ନେଲେ
କ୍ଷତି କ’ଣ ?
ତା’ହେଲେ ଆଉ ଡେରି କାହିଁକି ?
Comments
Post a Comment