ପ୍ରତୀକ୍ଷାର ସୀମାରେଖା ଧାରରେ ପ୍ରାପ୍ତି ଯେତେବେଳେ ସଞ୍ଜ ତାରାଟିଏ ଭଳି ସୂର୍ଯ୍ୟର ଆଗମନ କ୍ରମେ ଆତ୍ମଗୋପନ କରେ, ସେତେବେଳେ ଆଶାୟୀର ଆଖିରେ ଯନ୍ତ୍ରଣାର କଜ୍ଵଳଗାର ସ୍ଵତଃ ଟାଣି ହୋଇଯାଏ । ବସନ୍ତର ମାଦକତା ଓ ମଧୁର ସ୍ମୃତି ସବୁ ତା’ ମନର ସ୍ଵୟଂଚାଳିତ ସ୍ଳେଟ ଉପରୁ ଆପେ ଆପେ ଲିଭିଯାଏ- ଆଉ ଏହି ପରିପ୍ରେକ୍ଷୀରେ ଯୁବମାନସିକତା ଆତ୍ମଦହନର ତୀବ୍ର ଶିଖାରେ ଦଗ୍ଧିଭୂତ ହୋଇ ନୀରବରେ ଆଉ ନିଃସର୍ତ୍ତରେ ଅଶ୍ରୁପାତ କରେ । ମଧୁକରାର ମଧୁର ଗୁଞ୍ଜରଣ ତା’ ପାଇଁ ଅସହ୍ୟ ହୋଇଉଠେ । ସେ ନିଜକୁ ପ୍ରଶ୍ନ କରେ ବୈଶାଖୀର ଏ ଆକସ୍ମିକ ଉପସ୍ଥିତି ତା’ ପାଇଁ କାହିଁକି ଆଜି ? ତା’ ପ୍ରଶ୍ନ ତା’ ମନର ଆକାଶରେ ପ୍ରତିଧ୍ଵନି ତୋଳି ତା’ ପାଖକୁ ଫେରି ଆସେ । ହେଲେ ଉତ୍ତର କାହିଁ?
ଏବେ ପ୍ରତୀକ୍ଷାରତ ପ୍ରତିଟି ଆଶାୟୀର ମୁହଁସାରା ଛାୟୀ ହୋଇଯାଇଛି ବେଦନାର ବ୍ରଣ । ଆଃ କି
ଯନ୍ତ୍ରଣା ! ତା’ ଚାରିଆଡ଼େ ଏବେ ଯନ୍ତ୍ରଣା ରୂପୀ ଶାର୍ଦ୍ଦୁଳମାନଙ୍କ
ଭିଡ଼ । ତଥାପି ଏଠି ବଞ୍ଚିବାକୁ ହେବ ତାକୁ ।
ଏବେ ସବୁଆଡ଼େ ପ୍ରବଞ୍ଚନା ଓ ପ୍ରତିବାଦ । ପ୍ରତିଟି ପାଦରେ ଏବେ ଶତାବ୍ଦୀର କ୍ଳାନ୍ତି ।
ପ୍ରତିଟି ଓଠରୁ ଏବେ ହସ ତ ନିରୁଦ୍ଦିଷ୍ଟ ପ୍ରାୟ । ପ୍ରତିଟି ଆଶାୟୀ ଏବେ ଜୀବନର ପ୍ରତିଟି
ପଦକ୍ଷେପରେ ଅନ୍ଧାରୀ ଇଲାକାକୁ ଦେଖି ଭୟଭୀତ । କାହାକୁ ନିଜର ବୋଲି କହିବାକୁ ସାହସ ନାହିଁ ସେମାନଙ୍କର
। ଆଶାୟୀମାନଙ୍କ ପ୍ରତି ଦରଦ ପ୍ରକାଶ କରିବାକୁ କାହାର ଅବା ସମୟ ଅଛି ? ସମସ୍ତେ ବ୍ୟସ୍ତ ଓ ବିବ୍ରତ ନିଜ ନିଜ ଚିନ୍ତନରେ ।
ଆଶାୟୀର ମନ ଅଗଣାରେ ଏବେ ଅଜସ୍ର ଆତଙ୍କର ରେଖା । ଏବେ ଚାରିଆଡ଼େ ଅଣୁପରମାଣୁ ଓ ନିଉକ୍ଲିଅସ ବୋମାର ଭୟ । ତାରକା ଯୁଦ୍ଧର ଆତଙ୍କରେ ଏବେ
ଏ ବିଶ୍ଵ ଥରହର । ମାର୍ସବାଦ ସମାଜର କ୍ରୁର ପରିହାସରେ ଏବେ ବ୍ୟକ୍ତି- ସ୍ଵାଧୀନତା ଭୂ-ଲୁଣ୍ଠିତ ପ୍ରାୟ । ତେବେ, ଏଥି ପାଇଁ ଦାୟୀ କିଏ? ଯୁବସୁଲଭ ମନପ୍ରାଣର
ଉଦ୍ଭଟ ଚିନ୍ତନ ନା ଆତ୍ମ ସମୀକ୍ଷା ଜନିତ ଉଦ୍ୟମର ଅଭାବ? କଥାରେ ଅଛି-
ନ ହି ସୁପ୍ତସ୍ୟ ସିଂହସ୍ୟ ପ୍ରବିସନ୍ତି
ମୁଖେ ମୃଗାଃ ।
ତାହେଲେ ଆସନ୍ତୁ, ଥରଟିଏ ସେ ଆପ୍ତ ବାକ୍ୟକୁ ବିଶ୍ଳେଷଣ କରି ନିଜକୁ
ପଚାରିବା ନିଜ ସମ୍ପର୍କରେ ଆଉ ଆମ ବିଫଳତାର କାରଣ ଖୋଜିବା ମନର ସୀମାରେଖାରେ । କ୍ଷଣକର
ଉନ୍ମାଦନାରେ ଭୁଲି ଯିବାନି ଆମେ ନିଜତ୍ଵକୁ । ନିଜ ଭିତରେ ଥିବା ପ୍ରତିଭାକୁ । କାରଣ ପ୍ରତିଭାକୁ
କର୍ଷଣ କଲେ ହିଁ ସେ ପ୍ରତିଭାତ ହୁଏ । ସୂର୍ଯ୍ୟରଶ୍ମୀସମ ଦିପ୍ତିମନ୍ତ ହୁଏ ; ଅନ୍ୟଥା ଅରଣ୍ୟ ରୋଦନର ଶିକାର ହୋଇ ସବୁରି ଅଲକ୍ଷ୍ୟରେ ନିଜକୁ ଧିକ୍କାର କରେ ।
ପ୍ରାପ୍ତି ପାଇଁ ପ୍ରସ୍ତୁତ ପ୍ରଶସ୍ତ କ୍ଷେତ୍ରରେ ବାଟବଣା ହୋଇ ଐଶୀ ସତ୍ତାର ଅବମୂଲ୍ୟାୟନ କରେ ।
ତେଣୁ କୁହାଯାଏ, ପୌରୁଷତ୍ଵ ପ୍ରାପ୍ତିରେ ନୁହଁ ବରଂ ପ୍ରଚେଷ୍ଟାରେ ହିଁ
ଶାଣିତ ହୋଇଥାଏ ଏବଂ ଏହା ଉଦ୍ୟମୀଟିଏ ପାଇଁ ଅସମ୍ଭବ ନୁହଁ । ସମ୍ଭାବନାର ଦୀପ୍ତିମନ୍ତ ପ୍ରଭାତ
ଜାଗ୍ରତ ମାନବଟିଏ ପାଇଁ ବନ୍ଦାପନାର ଅର୍ଘ୍ୟଥାଳି ଧରି ପ୍ରତୀକ୍ଷାରତ । ତାହେଲେ, ଆସନ୍ତୁ ତାକୁ ଆପଣେଇ ନେବା ଏକ ଜାଗ୍ରତ ଅତି ମାନସ ଚେତନା ମାଧ୍ୟମରେ ।
Comments
Post a Comment