ସ୍ଵପ୍ନ ଆଉ ସମ୍ଭାବନାକୁ ପ୍ରତି ମୁହୂର୍ତ୍ତରେ ସାଉଁଣ୍ଟି ନେଉଥିବା ପ୍ରତ୍ୟେକ ମଣିଷ ସ୍ଵପ୍ନର ପରିଧି ଭିତରେ ସମୟେ ସମୟେ ଦିଗହରା ହୋଇପଡ଼ନ୍ତି । ପ୍ରତିଟି ସମ୍ଭାବନାକୁ ସାକାର କରିବାପାଇଁ ସେମାନଙ୍କ ନିକଟରେ ଥିବା ଆତ୍ମ-ସମ୍ବଳ ମଣିଷର ନିଅଣ୍ଟିଆ ଆୟୁଷ ଭଳି ସେମାନଙ୍କୁ ନିଅଣ୍ଟ ଲାଗେ । ସେମାନଙ୍କର ପ୍ରତିଟି ଭାବନା ଶୂନ୍ୟରେ ପ୍ରତିଧ୍ୱନି ତୋଳି ପୁଣି ଫେରି ଆସେ । ମନେହୁଏ, ସେମାନଙ୍କର ହାତପା’ନ୍ତାରେ ଥିବା ପ୍ରତିଟି ପ୍ରାପ୍ୟ ବହୁ ଦୂରକୁ ଘୁଞ୍ଚି ଯାଇଛି ଏବେ । ମଣିଷ ଓ ଚନ୍ଦ୍ର ମଧ୍ୟରେ ଚାନ୍ଦ୍ରତାରକିତ ରଜନୀରେ ଦୂରତ୍ଵ ବୃଦ୍ଧି ହେଲା ପରି ମଣିଷ ଓ ପ୍ରାପ୍ୟ ମଧ୍ୟରେ ଦୂରତ୍ଵ ବୃଦ୍ଧି ପାଏ । ଆଶା ତା’ର ମଉଳି ଯାଏ ପ୍ରଭାତୀ ଯୂଈ ମଉଳିଗଲା ପରି । ତେବେ ଏମିତି କାହିଁକି ହୁଏ ? ତାହେଲେ, ସେ ସ୍ଵପ୍ନ ଦେଖିବା କ’ଣ ଭୁଲ? ସମ୍ଭାବନାକୁ ସାଉଁଣ୍ଟିବା କ’ଣ ଭୁଲ ? ସେ ତା’ର କାରଣ ଖୋଜି ବସେ । ହଠାତ ତା’ର ମନେପଡ଼େ, ପିଲାଦିନେ ସ୍କୁଲ ବହିରେ ସଂସ୍କୃତ ସାର୍ ପଢାଇ ଥିବା ଆପ୍ତ ବାକ୍ୟ-“ନ ହି ସୁପ୍ତସ୍ୟ ସିଂହସ୍ୟ ପ୍ରବିସନ୍ତି ମୁଖେ ମୃଗାଃ” । ତତକ୍ଷଣାତ୍ ତା’ର ଚେତନା ଉଦୟ ହୁଏ । ଅଳନ୍ଧୁ ଧରା ସଂସ୍କୃତ ଖାତାରୁ ସେ ତା’ର ବାଖ୍ୟାକୁ ପଢିବାକୁ ଆରମ୍ଭ କରେ । ପିଲାଦିନର ଚପଳତା ଏବେ ତ ତା’ ପାଖରେ ଆଉ ନାହିଁ । ଅଙ୍ଗେ ନିଭାଇ ଥିବା ଢେର ସାରା ଅନୁଭୂତିକୁ ନେଇ ସେ ଏବେ ଏ ବାଖ୍ୟାକୁ ପଢିବାକୁ ଆରମ୍ଭ କରେ । ତା’ ଜୀବନର ଅନେକ ଘଟଣା ଓ ଦୁର୍ଘଟଣା ଅତୃପ୍ତ ଛାଇ ଭଳି ଏବେ ତ ଉଭେଇ ଯାଇଛି । ତେଣୁ ସେ ତାକୁ ଏବେ ସ୍ମୃତିର ମାଳା କରି ପିନ୍ଧିବ କିଆଁ? ତା’ ଭିତରେ ଅଛି ଶତସିଂହର ବଳ । ତାକୁ ଏବେ ଜାଗ୍ରତ କରିବାକୁ ହିଁ ହେବ । ତାହେଲେ ଯାଇ ସିନା ସେ ଅତୃପ୍ତ ଛାଇମାନଙ୍କର ଅଟ୍ଟହାସ୍ୟ ମଧ୍ୟରୁ ସେ ନିଜକୁ ମୁକୁଳାଇ ପାରିବ । ତା’ ଭିତରେ ଉଙ୍କି ମାରିଥିବା ସ୍ଵପ୍ନ ଓ ସମ୍ଭାବନାମାନଙ୍କୁ ସେ ବିଫଳତାର କାରାଗାରରୁ ମୁକ୍ତ କରି ସଫଳତାର ଦିବ୍ୟ ଚାଙ୍ଗୁଡ଼ିରେ ସଜାଇ ପାରିବ । ତା’ ହେଲେ ଆଉ ବିଳମ୍ବ କାହିଁକି ?
Comments
Post a Comment