ପ୍ରାପ୍ତି ଯେଉଁଠାରେ ବାଟ ଭାଙ୍ଗି ଚାଲିଯାଏ, ସ୍ଵୀକୃତି ଯେଉଁଠାରେ ସ୍ଵପ୍ନର ପରୀଟିଏ ଭଳି ମନେହୁଏ, ପ୍ରଶଂସା ଯେତେବେଳେ ବାଟ ଭୁଲିଯାଏ, କର୍ମଶାଳା ସେତେବେଳେ ବିଦ୍ୟାର୍ଥୀମାନଙ୍କୁ ତା ନିକଟକୁ ପାଛୋଟି ଆଣେ । ଅନୁଭୂତିର ଫୁଲତୋଡ଼ା ଦେଇ ସେମାନଙ୍କୁ ସ୍ଵାଗତ କରେ । ଏକ ଶୈକ୍ଷିକ ବାତାବରଣ ମଧ୍ୟରେ ବିଦ୍ୟାର୍ଥୀମାନଙ୍କୁ ପ୍ରକୃତ ଜ୍ଞାନାର୍ଜନ ନିମିତ୍ତ ମାର୍ଗ ଦର୍ଶାଏ । ବିଦ୍ୟାର୍ଥୀମାନଙ୍କୁ ପାରମ୍ପାରିକ ପୁସ୍ତକ ଅଧ୍ୟୟନ ଜନିତ ଚାପରୁ ମୁକ୍ତି ଦିଏ । ଫଳତଃ, ବିଦ୍ୟାର୍ଥୀ ବିଶ୍ଵକବିଙ୍କ ମାନସିକତା ନେଇ ଗୀତାଞ୍ଜଳି ଲେଖିଦିଏ । ଏ କର୍ମଶାଳା ମାଧ୍ୟମରେ ବିଦ୍ୟାର୍ଥୀ କ୍ଳାନ୍ତି ମଧ୍ୟରେ ଶାନ୍ତିର ସନ୍ଧାନ କରେ । ଅନ୍ଧକାର ମଧ୍ୟରେ ପ୍ରକାଶକୁ ଅନୁଭବ କରେ । ଅନ୍ୟ କେତେବେଳେ ଭଗବତ ଗୀତାର ଶ୍ଳୋକ ପାଖୁଡ଼ାରେ ବିଚରଣ କରି ଶ୍ରୀକୃଷ୍ଣ ଭୂମିକାରେ ଅର୍ଜୁନଙ୍କୁ ଉପଦେଶ ମାଧ୍ୟମରେ ବାଟ କଢାଇ ନିଏ । ତେବେ, ତାକୁ ଆଦରି ନେଲେ କ୍ଷତି କ’ଣ?
କର୍ମଶାଳା ବିକୃତ ମାନସିକତାର ପରିପ୍ରକାଶ ନୁହଁ ବରଂ ଏକ ଶୈକ୍ଷିକ ବାତାବରଣ ମଧ୍ୟରେ
ସଂଗଠିତ ମାନସ ମନ୍ଥନର ଏକ ଯଜ୍ଞଶାଳା । ଏକ ମାଲୁଆଣିର ଫୁଲଚାଙ୍ଗୁଡ଼ିସମ ଏଠି ଘଟିଥାଏ ଅନେକ
ରଙ୍ଗର ସମ୍ମିଶ୍ରଣ । ବିବିଧ ରଙ୍ଗର ବର୍ଣ୍ଣବିଭା ମଧ୍ୟରେ ବିଦ୍ୟାର୍ଥୀ ଏଠି କରିଥାଏ ଅନେକ
ମଧ୍ୟରେ ଐକ୍ୟର ସନ୍ଧାନ । ଏଠି ବିଦ୍ୟାର୍ଥୀ ପ୍ରତିଷ୍ଠା ପ୍ରଗଳ୍ଭ ନୁହଁ ବରଂ ବାସ୍ତବତା ମଧ୍ୟରେ
ଜ୍ଞାନାଭିମୁଖୀ । ସେ ଏଠି ତତ୍ତ୍ଵଧର୍ମୀ ନୁହଁ ବରଂ ବାସ୍ତବବାଦୀ । କାରଣ ଏଠି ଅନୁଭବ ଅଛି, ହେଲେ ଅଭିମାନ ନାହିଁ । ଏଠି ପ୍ରବେଶ ପଥ ଅଛି
ହେଲେ ପ୍ରତିଯୋଗୀତା ନାହିଁ । ସ୍ଵପ୍ନ ଅଛି, ହେଲେ ସ୍ଵପ୍ନକୁ ସାକାର କରିବା
ପାଇଁ ପ୍ରତିଦ୍ୱନ୍ଦିତା ନାହିଁ । ଏହା ସାର୍ବଜନୀନ ଓ ସ୍ଵାଭିମାନ ଧର୍ମୀ । ସୌନ୍ଦର୍ଯ୍ୟବୋଧକୁ
ଉପଲବ୍ଧି କରିବାପାଇଁ ଏହା ଯେମିତି ଏକ ନନ୍ଦନକାନନ । ପ୍ରତିଭା ସନ୍ଧାନର ଏହା ତ ଏକ
ନିରୀକ୍ଷଣଶାଳା । ବ୍ୟକ୍ତିତ୍ଵ ନିର୍ମାଣର ଏହା ତ ଏକ ପ୍ରତିଷ୍ଠାନ । ତେବେ ଆସନ୍ତୁନା ! ଥରଟିଏ ତା’ ସ୍ପର୍ଶରେ ନିଜକୁ
ଆହ୍ଲାଦିତ କରିବା ।
Comments
Post a Comment