ସମୟର ପ୍ରଗାଢ ସ୍ରୋତରେ ଉତ୍କଳୀୟ ସଂସ୍କୃତି ଆଜି ବିଲୁପ୍ତ ପ୍ରାୟ ମନେହେଲେ ମଧ୍ୟ ସ୍ମୃତିର ଚଉଁରା ତଳୁ ଏହାର ଅନ୍ତଃସ୍ଵର ଆଜି ବି ଐତିହାସିକମାନଙ୍କୁ ଅନ୍ୟମନସ୍କ କରିଦିଏ । ବିସ୍ମୃତିର ପେଟ ଚିରି ଇତିହାସର ବହୁ ଘଟଣା ଓ ଦୁର୍ଘଟଣାକୁ ଲୋକଲୋଚନକୁ ଆଣିବାରେ ଆମ ଏ ସଂସ୍କୃତି କାହିଁ କେଉଁ ଯୁଗରୁ ସିଦ୍ଧହସ୍ତ । ତେଣୁ ତ ଏଯାବତ ଏ ସଂସ୍କୃତି ବିସ୍ମୃତିର ପାଉଁଶ ଗଦାତଳୁ ଦିକ୍ ଦିକ୍ କରୁଛି ଏବଂ ଏ ବିଶ୍ଵକୁ ସଚେତନ କରୁଛି ଯେ, ସଂସ୍କୃତି ଏକ ସୂର୍ଯ୍ୟରଶ୍ମିରରେଖା । ଏହା ସ୍ଵତଃ ସୃଷ୍ଟ ଏବଂ ସ୍ଵତଃ ବିଛୁରିତ ।
କଳିଙ୍ଗ, ଉତ୍କଳ, ଉଡ୍ର ଓ କୋଶଳ ଯେତେବେଳେ ଯେଉଁ ନାମ ଥାଉ ନା କାହିଁକି, ଆମ
ଏ ମାତୃଭୂମି ତା’ର ସଂସ୍କୃତିର ମୌଳିକତାକୁ ବଜାଇ ରଖିଛି ଏକ ଅକ୍ଷୟ କବଚର ନିର୍ଭର ଯୋଗ୍ୟ କଫିନ ମଧ୍ୟରେ ।
ଏ ସଂସ୍କୃତିର ଚିରନ୍ତନୀ ଧାରା ଯୁଗରୁ ଯୁଗକୁ ତା’ ଆଲୋକ ରଶ୍ମିରେ ଏ
ଜଗତକୁ ଉଦ୍ଭାସିତ କରୁଥିବ ଆଗାମୀ ସମୟ ପର୍ଯ୍ୟନ୍ତ ।
ପ୍ରତି ମଣିଷର ପ୍ରତିଟି ସ୍ଵପ୍ନକୁ ସାଉଁଟି ନେଇ ଆମ ଏ ସଂସ୍କୃତି ଧର୍ମନିରପେକ୍ଷତାର ଧ୍ଵଜା
ଧାରଣ କରି ନୀଳଚକ୍ର ବାନା ମାଧ୍ୟମରେ ସନାତନୀ ସଂସ୍କୃତିର ଧାରାକୁ କେଜାଣି କେଉଁ ଆବାହମାନ
କାଳରୁ ଅଦ୍ୟାବଧି ତା’ ପ୍ରଶସ୍ତ
ବକ୍ଷରେ ଧରି ରଖିଛି । ଆମ ସଂସ୍କୃତିର ଦିବ୍ୟସ୍ପର୍ଶ ପାଇ ଭକ୍ତ ସାଲବେଗ ଭଜନର ଯେଉଁ ଲାଳିତ୍ୟକୁ
ସୃଷ୍ଟି କରିଥିଲେ, ତାହା ବିଶ୍ଵରେ ବିରଳ ବୋଲି ମନେ ହୋଇଥାଏ । ଆମ ଏ
ସଂସ୍କୃତିର ନିଆରା ଆକର୍ଷଣ ନଦିଆରୁ ପୁରୀ ଯାଏଁ ଶ୍ରୀଚୈତନ୍ୟଙ୍କୁ ଆକର୍ଷୀ ଆଣିଥିଲା । ଆମ ଏ
ସଂସ୍କୃତିର ଅନ୍ୟତମ ଆକର୍ଷଣ ଥିଲା ଦୁର୍ଗ ବାରବାଟୀ, ଯାହାକି ଏ
ମାଟିରେ ବୀରତ୍ଵର ବାର୍ତ୍ତାବହ ରୂପେ ଆଜି ବି ଦଣ୍ଡାୟମାନ । ଶ୍ରୀ ଜଗନ୍ନାଥ ସଂସ୍କୃତିର ଅମ୍ଳାନ
ଧାରାକୁ ଶତ୍ରୁ କବଳରୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଅନଙ୍ଗଭୀମ ଦେବ ବାରବାଟୀ ଦୁର୍ଗକୁ ନିର୍ମାଣ
କରି ଯେଉଁ ଅକ୍ଷୟ କୀର୍ତ୍ତିକୁ ସୃଷ୍ଟି କରିଥିଲେ, ତାହା କ’ଣ ଏ ସଂସ୍କୃତିର ଅନ୍ୟତମ ପରିଚୟ ନୁହଁ କି?
ସଂସ୍କୃତି ଏକ ଶବ୍ଦ ନୁହଁ ବରଂ ଏହା ଏକ ପ୍ରବାହ । ଏହି ପ୍ରବାହର ଚିରନ୍ତନୀ ଧାରା ସବୁରି
ଜୀବନରେ ଭରିଦିଏ କେତେ ନୂତନ ରଙ୍ଗ ଓ ନୂତନ ଅନୁଭୂତି । ଅନୁଭୂତିର ପ୍ରତିଟି ପାହାଚରେ ମଣିଷ
ଅନୁଭବ କରିଥିବା ପ୍ରତିଟି ଘଟଣା ଇତିହାସର ନୀରବ ପୃଷ୍ଠାରେ କେଉଁଠି ନା କେଉଁଠି ସଂସ୍କୃତିର ରୂପ
ନେଇ ପାରେ । ଗୋଟାଏ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ପରିବର୍ତ୍ତନର ଧାରା ଅନିବାର୍ଯ୍ୟ ସତ ; କିନ୍ତୁ ଏହାର ଅର୍ଥ ପୁରାତନତାର ମୃତ୍ୟୁ ନୁହଁ
ବରଂ ଅପସାରଣ । ଅବସାନ ଏବଂ ଅପସାରଣ ମଧ୍ୟରେ ପାର୍ଥକ୍ୟକୁ ସଠିକ ରୂପେ ନିର୍ଣ୍ଣୟ କରିପାରୁଥିବା
ବିଦ୍ୟାର୍ଥୀଗଣ ସଂସ୍କୃତିର ମୃତ୍ୟୁକୁ ଗ୍ରହଣ କରିପାରନ୍ତି ନାହିଁ କାରଣ ଛାଇ ଆଉ ଖରା ଭଳି
ପ୍ରତିଟି ସଂସ୍କୃତି ଏଠି ପରସ୍ପରର ବନ୍ଧୁ । ପ୍ରସ୍ଥାନ ଓ ଆଗମନ ତ ସେମାନଙ୍କ ମୌଳିକତାର ଅନ୍ୟତମ
ପରିଚୟ । ତେବେ ସ୍ଵପ୍ନୋତ୍ସଳା ଆନ୍ତରିକତାକୁ ନେଇ ପ୍ରତିଟି ସଂସ୍କୃତିକୁ ନିଜ ଭିତରେ ଧରି
ରଖିବାର ଦିବ୍ୟ ମାନସିକତାକୁ ଆପଣେଇ ନେଲେ ତ ସଂସ୍କୃତି ସୂର୍ଯ୍ୟରଶ୍ମିର ରୂପ ନେଇ ଏ ବିଶ୍ଵକୁ
ଭିନ୍ନ ଭିନ୍ନ ରଙ୍ଗରେ ରଙ୍ଗେଇ ଚାଲି ଥିବ ଯୁଗରୁ
ଯୁଗକୁ ଏବଂ ଭିନ୍ନ ଭିନ୍ନ ବାସ୍ନାରେ ମହକାଇ ଚାଲିଥିବ ଏ ମାନବ ସମାଜକୁ ।
ଗ୍ରାମ୍ୟ ବାଳିକାର ସରଳ ସ୍ଵପ୍ନୋତ୍ସଳା ଆନ୍ତରିକତାକୁ ମୋହନ-ବଂଶୀ ମୁଗ୍ଧ କଲା ଭଳି
ପ୍ରତିଟି ସଂସ୍କୃତି ନିଜ ନିଜର ମୂର୍ଚ୍ଛନାରେ ମଣିଷର ମନ ବୃନ୍ଦାବନରେ ଆଲୋଡନ ସୃଷ୍ଟି କରିପାରନ୍ତି
। ଶିଳା ଜୀବନରେ ବଂଶୀର ମଧୁର ସ୍ଵନକୁ ଯିଏ ମୂଲ୍ୟାଙ୍କନ କରିପାରେ ସେ କଦାଚିତ ସଂସ୍କୃତିର
ମୃତ୍ୟୁ-ପଦଧ୍ଵନିକୁ ଶୁଣି ପାରେନାହିଁ ବରଂ ଯୌବନୋଉତ୍ସଳା ନଦୀର ନୀଳାୟିତ ତରଙ୍ଗସମ ସେ
ସଂସ୍କୃତି ମଧ୍ୟରେ ପୂର୍ଣ୍ଣତାକୁ ସନ୍ଧାନ କରେ ଏବଂ ପୂର୍ଣ୍ଣତା ପ୍ରାପ୍ତି ପରେ ଉନ୍ମତ
ନିବିଡତାକୁ ଖୋଜେ କାରଣ ନିବିଡ଼ତା ହିଁ ତ ବନ୍ଧନର ଅନ୍ୟନାମ ଓ ନିବିଡ଼ ବନ୍ଧନ ହିଁ ତ ପୂର୍ଣ୍ଣତାର
ସେତୁବନ୍ଧକୁ ନିର୍ମାଣ କରିପାରେ । ତେଣୁ ସଂସ୍କୃତିକୁ ଅନୁଶୀଳନ କରିବାର ଆକାଂକ୍ଷାକୁ ନେଇ
ଏକତ୍ର ସମାବେଶ ହୋଇଥିବା ବୁଦ୍ଧିଜୀବୀଗଣ ନିଜକୁ
ପଚାରିବା ସଂସ୍କୃତି କ’ଣ ଏକ
ସୂର୍ଯ୍ୟରଶ୍ମି ନୁହଁ କି ?
Comments
Post a Comment