Stay tuned to my blog - " ପରୀକ୍ଷା " । ଅଧିକ ପଢିବାପାଇଁ ଏଠାରେ କ୍ଲିକ କରନ୍ତୁ ।

  “ମାନବ ଧରମ ଦୟା କ୍ଷମା ବିନା

   ଶୋଭା କିବା ପାଇଥାଏ,

   ଦୟା କ୍ଷମା ସିନା ଏ ମାନବେ ଏଠି

   ଅବତାର କରିଦିଏ ।“

ଈଶ୍ଵରଙ୍କର ଦିବ୍ୟ ସୃଷ୍ଟିରେ ସବୁଠାରୁ ଶ୍ରେଷ୍ଠ ପ୍ରାଣୀ ଏ ମଣିଷ ଦୟା ଓ କ୍ଷମାର ଏକ ଅବତାର । ତା’ରି ଭିତରେ ଅଛି ଅନ୍ୟକୁ ଆପଣେଇ ନେବାର ଅସିମ ଶକ୍ତି । ତେବେ, ସେ ଅସିମ ଶକ୍ତିକୁ ଯେଉଁମାନେ ସଠିକ ରୂପେ ଆବିଷ୍କାର କରି ତା’ର ଉପଯୁକ୍ତ ବିନିଯୋଗ କରିପାରନ୍ତି, ସେମାନଙ୍କ ଜୀବନ ପଥରେ ଆଶିଷର ପୁଷ୍ପ ବୃଷ୍ଟି ହୋଇଥାଏ । ସେମାନେ ହିଁ ଏକ ଦିବ୍ୟ ସତ୍ତାକୁ ପ୍ରତ୍ୟେକ୍ଷରେ ଅନୁଭବ କରିବାର ଅହେତୁକ ଆନନ୍ଦକୁ ଉପଲବ୍ଧି କରନ୍ତି । ପ୍ରତିଟି ପ୍ରାଣୀ ମଧ୍ୟରେ ସେମାନେ ଦେଖନ୍ତି ଈଶ୍ଵରଙ୍କର ନିରାକାର ରୂପ । ବୋଧେ ସେହି ଦିବ୍ୟରୂପ ସନ୍ଦର୍ଶନରେ ହିଁ ସେମାନଙ୍କ ମଧ୍ୟରେ ରୂପାନ୍ତରଣ ସମ୍ଭବ ହୁଏ । ସେହି ରୂପାନ୍ତରଣ ପ୍ରକ୍ରିୟା ତ୍ୱରାନ୍ୱିତ ହେଲେ ସେମାନଙ୍କ ମଧ୍ୟରେ ଦୟା ଓ କ୍ଷମା ଭଳି ମହନୀୟ ଗୁଣ ଜନ୍ମ ନିଏ । ଦୟା, କ୍ଷମା, ସ୍ନେହ ଓ ପ୍ରୀତିର ଚାଙ୍ଗୁଡ଼ିକୁ ମୁଣ୍ଡରେ ଧରି ବିତରଣର ମହାପର୍ବରେ ସେମାନେ ଯୋଗଦାନ କରନ୍ତି କାରଣ ସେମାନେ ହୃଦୟଙ୍ଗମ କରିସାରିଲେଣି ଯେ, ବିତରଣ ବିନା ଏଠି ପ୍ରତ୍ୟେକ ପ୍ରାଣୀ ଅସ୍ତିତ୍ଵହୀନ । ଅସ୍ତିତ୍ଵକୁ ଖୋଜୁଥିବା ପ୍ରତିଟି ପ୍ରାଣୀ ଆଗାମୀ ଜନ୍ମରେ ବିଚଳିତ ହୋଇଥାନ୍ତି ବୋଲି ସେମାନଙ୍କର ହୃଦବୋଧ ହୋଇସାରିଲାଣି । ଏହି ହୃଦବୋଧତା ହିଁ ତ ପ୍ରାଣୀ ଜଗତକୁ ନିର୍ବିକାର ଓ ନିଷ୍କାମ କରିଦିଏ ଏବଂ ନିର୍ବାଣ ପଥରେ ପଥ କଢାଇ ନିଏ । ସୁଦର୍ଶନ ଚକ୍ର ଆଢୁଆଳରେ ବିଶ୍ଵ ନିୟନ୍ତା ପ୍ରାଣୀ ଜଗତକୁ ରକ୍ଷା କଲା ଭଳି ଏହି ଆତ୍ମ ସମୀକ୍ଷା ଜନିତ ନିର୍ବାଣର ପଥ ସେମାନଙ୍କୁ ସୁରକ୍ଷା ଦିଏ । ତେବେ, ବାହ୍ୟ ଦୃଷ୍ଟିରେ ସନ୍ଦର୍ଶନ କରୁଥିବା ପ୍ରତିଟି ମାନବଙ୍କର ଅନୁଧାବନ ନକରି ଏକ ଦିବ୍ୟ ମହିମାବନ୍ତ ବିଶ୍ଵ ଆଡ଼କୁ ଗତି କଲେ କ୍ଷତି କ’ଣ? କାରଣ ଏକ ନିର୍ଦ୍ଦିଷ୍ଟ ସମୟର ବ୍ୟବଧାନ ପରେ ଏ ବିଶ୍ଵ ମଣ୍ଡଳରୁ ନିର୍ଗତ ହେଉଥିବା ମାନବୀୟ ଊର୍ଜା ଆଉ କ୍ରିୟାଶୀଳ ନହୋଇ ପାରେ । ତେଣୁ ତ କୁହାଯାଇ ପାରେ, ଆଧ୍ୟାତ୍ମିକତାର ସୋପାନ ଶ୍ରେଣୀରେ ହିଁ ମଣିଷ ନିଜକୁ ପରଖି ନେଇଥାଏ ।  

Comments