ସମୟ ସ୍ରୋତର ଉଜାଣି ଗତିରେ ଏବଂ ଏହାର ଆବର୍ତ୍ତନ ଓ ବିବର୍ତ୍ତନ ଧାରାରେ ଅନେକ କିଛି ହୁଏ ତ
ଭାଙ୍ଗି ହଜିଯାଏ- ଆଉ ଏ ଭାଙ୍ଗିବା ଓ ହଜିବାର ଭିଡ଼ ମଧ୍ୟରେ ଯାହା ରହିଯାଏ ସ୍ମୃତିଟିଏ ହୋଇ ତାହା ଇତିହାସ ପୃଷ୍ଠାରେ ଚିର ଜାଜ୍ଵଲ୍ୟମାନ
ହୋଇ ରହିଥାଏ । ଇତିହାସର ସେହି ସ୍ମୃତିସବୁ କେତେବେଳେ ଅଜ୍ଞାତ କୋଣାର୍କ ଭଳି ପ୍ରତିଶ୍ରୁତିର
ବାଲି ଗରଡ଼ା ତଳେ ଆବିଷ୍କାର ଅପେକ୍ଷାରେ ପ୍ରତି ମୁହୂର୍ତ୍ତରେ ପ୍ରତିଧ୍ୱନି ତୋଳେ ତ ଅନ୍ୟ କେତେବେଳେ
ଯେକେହି ଆବିଷ୍କାରକର ଦୃଷ୍ଟି ଆକର୍ଷଣ କରେ । ତା’ର ପୁନରୁଦ୍ଧାର ଜନିତ ସମସ୍ତ ନିବେଦନ ଶୂନ୍ୟରେ ପ୍ରତିଧ୍ଵନି ତୋଳି ମିଳେଇଯାଏ । ଅତୀତ
ଉଦ୍ଘାଟନ ପାଇଁ ଏ ଦୁନିଆର ଭିଡ଼ ମଧ୍ୟରେ କାହା ନିକଟରେ ଅବା ସମୟ ଅଛି ଏଠି? ସଂସ୍କୃତିର ସନ୍ଧାନ ପାଇଁ ସଂସ୍କାର ଯେ ଆବଶ୍ୟକ- ଏ ଆପ୍ତ ବାକ୍ୟକୁ ଏ ମଣିଷ ହୁଏତ
ଏବେ ଭୁଲି ସାରିଲାଣି । ଆମ ଅତୀତ ଯେ ତତ୍କାଳୀନ ସମୟରେ ଆମ ଭାଗ୍ୟବିଧାତା ଥିଲା ଏବଂ ଆମ ପାଇଁ
ପ୍ରେରଣା ପ୍ରଦୀପଟିଏ ସାଜି ଥିଲା ଏ କଥା ଆମର ବିସ୍ମୃତି ହୋଇ ସାରିଲାଣି । ପିତୃ ପିତାମହଙ୍କର
ଚିତାଭସ୍ମ, ଆମ୍ରକୁଞ୍ଜର ଛାଇ ଆଉ ଖରା ପ୍ରତିମୁହୂର୍ତ୍ତରେ ସେ ହଜିଲା
ଅତୀତର କାହାଣୀକୁ ଆମ ନିକଟରେ କହି ଆମକୁ ସଚେତନ କରୁଛି ଯେ, ଅତୀତର
ପୃଷ୍ଠଭୂମିରେ ହିଁ ବର୍ତ୍ତମାନ ଓ ଭବିଷ୍ୟତର ମହଲ ଗଢା ଯାଇପାରେ; ଅନ୍ୟଥା
ସେ ମହଲ ଦଲକାଏ ପବନରେ ଭାଙ୍ଗିଯିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ । ତେଣୁ ଆସନ୍ତୁ ନା, ପଛରେ ଛାଡ଼ି ଆସିଥିବା ଆମ ଅତୀତକୁ ଥରେ ପଚାରି ବୁଝିବା ତା’
ସୁସ୍ଥତା ସମ୍ପର୍କରେ । କାରଣ ସେ ଅସୁସ୍ଥ ହୋଇଗଲେ ଅଥବା ତା’ ଆଶିଷ
ଦୁର୍ଲଭ ହୋଇଗଲେ ବର୍ତ୍ତମାନର ବିଶ୍ଵରେ ଅଦିନିଆ ଝଡ଼ ମାଡି ଆସିବ ଏବଂ ସେ ଝଡ଼ର ଆହବରେ ଆମ ଅତୀତରେ
ଅବହେଳିତ ହୋଇ ପଡ଼ିଥିବା ସ୍ମୃତିର ଶାମୁକା ସବୁ ଆମକୁ ଚାହିଁ ଆମ ତଥା କଥିତ ପରମ୍ପରା ହୀନ ସଫଳତା ପାଇଁ ଆମକୁ ଉପହାସ
କରିବେ ଆଉ ସେ ଉପହାସ ପ୍ରତିଧ୍ଵନି ତୋଳୁଥିବ କେବଳ ଅଜସ୍ର ପ୍ରତିଶ୍ରୁତିର ମେଘ
ଆଢୁଆଳେ...........।
Comments
Post a Comment