ବାସ୍ତବତାର ଅନୁଭୂତିକୁ
କାହିଁକି କେଜାଣି ଏ ମଣିଷ ଭୁଲିଯାଏ ବେଳେବେଳେ । ଭୁଲିଯାଏ
ପୁଣି ତା’ଭିତରେ ଥିବା ଅବତାରୀ ଅଂଶକୁ । ଏଠି ଏ ବିଶ୍ଵ
ପୃଷ୍ଠରେ ପ୍ରତିଟି ମଣିଷ କାହାର ନା କାହାର ଅବତାର ନିଶ୍ଚୟ । ତେବେ ,
ତାକୁ ସ୍ଵୀକାର କରି ସେ ଦାୟିତ୍ଵକୁ ସଠିକ ରୂପେ ନିର୍ବାହ କରିବାରେ କୁଣ୍ଠା କାହିଁକି? ଏ ଧରା ପୃଷ୍ଠରେ ମଣିଷ ହୃଦୟଙ୍ଗମ କରିସାରିଛି ଯେ- “ ନର ମଣ୍ଡଳେ ଦେହ ବହି,
ଦେବତା ହେଲେ ହେଁ
ମରଇ”।
ତେବେ, ମରଣକୁ ଭୟ କରି ନିଜ ଚାରିଆଡ଼େ ଏମିତି ଲୁହାବାଡ଼
ନିର୍ମାଣ କରିବାର ମାନେ କ’ଣ? ସେ ଲୁହାବାଡ଼
ନିର୍ମାଣର ସମୟ ଓ ସାଧନକୁ ଜଗତ ହିତରେ ବିନିଯୋଗ କଲେ ତ ସେ ମରି ବି ଅମର ହୁଅନ୍ତା । ଏ ମୃତଶିଳ
ଶରୀରର ସୁରକ୍ଷା କ’ଣ ଲୁହାର ପଞ୍ଜୁରି ଭିତରେ କରିବା ନିହାତି ଆବଶ୍ୟକ?
ଜାରାର ଶର ସନ୍ଧାନରେ ସେ ଦିନ ଶ୍ରୀକୃଷ୍ଣ ବି ତ ଏ ବିଶ୍ଵ ପୃଷ୍ଠରୁ ବିଦାୟ ନେଇଥିଲେ
ଶିଆଳି-ଲତା ଗହଳରେ । ତା’ହେଲେ, ସେ କ’ଣ ଶକ୍ତିହୀନ ଥିଲେ? ବୋଧ
ହୁଏ, ଆମ ସମସ୍ତଙ୍କର ଉତ୍ତର ହେବ ‘ନା’ । ତା’ ହେଲେ ଏ ବିଶ୍ଵର ମହାପ୍ରବାହର ସମୟର ନିରନ୍ତର
ସ୍ରୋତରେ କିଏ ଚିରନ୍ତନ? ଆମେ ସମସ୍ତେ କହିବା ବୋଧେ - ‘କୀର୍ତ୍ତି’ । କୀର୍ତ୍ତି ବି ଏଠି ପ୍ରତୀକାତ୍ମକ ଅଟେ । ତେଣୁ
ତ ଶ୍ରୀକୃଷ୍ଣ ଏ ଧରାକୁ ଛାଡ଼ି ଯିବାବେଳେ ପ୍ରତୀକଟିଏ ରଖିଦେଇ ଗଲେ ।
ତେଣୁ ଆସନ୍ତୁ ନା, ପ୍ରତି ମୁହୂର୍ତ୍ତରେ
ଆମେ ଜୀଉଁଥିବା ଜୀବନକୁ ପ୍ରତୀକ ନିର୍ମାଣରେ ବିନିଯୋଗ କରିବା । କାରଣ,
ଏ ଶରୀର ଶୂନ୍ୟରେ ମିଶିଯିବା ପରେ ଆମେ ପ୍ରତୀକାତ୍ମକ ଭାବେ ହିଁ ଆମ ଉପସ୍ଥିତିକୁ ଏ
ବିଶ୍ଵପୃଷ୍ଠରେ ଜାହିର କରିପାରିବା । ଆମ ପରେ ବା ଆମ ପୂର୍ବରୁ ଆମ ସ୍ଥିତି କ’ଣ ଥିବ ବା ଥିଲା, ସେ ପ୍ରଶ୍ନର ଉତ୍ତର କାହା ପାଖରେ ନାହିଁ ।
କେବଳ ସମୟ ହିଁ ତା’ର ଜ୍ଵଳନ୍ତ ସାକ୍ଷୀ । ତେବେ, ନିରପେକ୍ଷତାକୁ ମାଳି କରି ପିନ୍ଧିଥିବା ସେ ସମୟକୁ ଆମ ଜୀଇଁଲା ମୁହୂର୍ତ୍ତମାନଙ୍କର
ହିସାବ ରଖିବା ପାଇଁ ଅନୁରୋଧ କଲେ କ୍ଷତି କ’ଣ ? କାରଣ, ସେ ହିଁ ତ ପ୍ରତିଟି ପ୍ରତୀକର ମୁକ ସାକ୍ଷୀ ।
Comments
Post a Comment