ମାନବ ଜୀବନର ପ୍ରତିଟି ଛାୟା-ଚନ୍ଦ୍ରିକା ରଜନୀ ଅନୁଭୂତିର କଷଟି ପଥରରେ ମାର୍ଜିତ ହୋଇ ଅତୃପ୍ତ ଛାଇ ଭଳି ତା’ ଆଖି ଆଗରେ ଉଭେଇ ଯାଏ । ଅସ୍ପଷ୍ଟ ଛାଇ ଭଳି ପ୍ରତୀୟମାନ ହେଉଥିବା ଏହି ଅନୁଭୂତିଗୁଡ଼ିକ ବେଳେ ବେଳେ ତା’ ସ୍ଵପ୍ନର ପରିଧି ଭିତରକୁ କ୍ଵଚିତ କ୍ଷଣ ପାଇଁ ପଶି ଆସନ୍ତି ସତ; କିନ୍ତୁ ସେମାନେ ଧରା ଦେବାଆଗରୁ ପୁନର୍ବାର ଅଦୃଶ୍ୟ ହୋଇଯାନ୍ତି.... ଆଉ ଠିକ ସେତେବେଳେ ମନେହୁଏ, ମଣିଷ ଯେମିତି ସେ ସ୍ଵପ୍ନର ଚରିତ୍ରମାନଙ୍କ ନିକଟରେ ବାରମ୍ବାର ଉପହାସିତ ହୁଏ ସେମାନଙ୍କୁ ଧରିବାର ମିଥ୍ୟା ପ୍ରୟାସ କରି । ସେମାନଙ୍କର ଏହି ଉପହାସ ସାମ୍ନାରେ ମଣିଷ ବିଚାରଶୂନ୍ୟ ହୋଇପଡ଼େ । ମନେହୁଏ, ସେ ଯେମିତି ଏବେ ଗୋଲକ ଧନ୍ଦାରେ ପଡ଼ିଯାଇଛି ଏବଂ ସେଠୁ ମୁକୁଳିବାର ସମସ୍ତ ପଥ ରୁଦ୍ଧ ହୋଇଯାଇଛି; ତେବେ, ଏ ଗୋଲକ ଧନ୍ଦାରୁ, କୁହୁଡ଼ି ଘେରା ଜାଲ ମଧ୍ୟରୁ ମୁକୁଳିବାର ବାଟ କ’ଣ? ଏହାରି ମଧ୍ୟରେ ସେ କ’ଣ ତେବେ ମଉଳି ଯିବ? ଏହା କ’ଣ ତା’ର ପୌରୁଷତ୍ଵକୁ ବିଡମ୍ବିତ କରେନା ? ଏ ପ୍ରଶ୍ନଗୁଡ଼ିକ ସମାଧାନ କରିବାବେଳେ ମଣିଷକୁ କେହି ଯେମିତି କହେ:- “ରେ ଆତ୍ମନ ନିଦ୍ରା ପରିହର କର ଏବଂ ଜାଗ୍ରତ ହୁଅ” ।
ସେହି ଶୂନ୍ୟ ବାଣୀର ପ୍ରେରଣାରେ ମଣିଷ ସ୍ଵପ୍ନ ଓ ବାସ୍ତବତା ମଧ୍ୟରେ ସୀମାରେଖାଟିଏ ଟାଣିଦିଏ
ଏବଂ ତା’ ପରେ.....? ତା’ ପରେ ଆରମ୍ଭ ହୁଏ ତା’ର ଦୁର୍ଗମ ଯାତ୍ରା । ଏ ଯାତ୍ରା ପଥରେ ତା’ ସ୍ଵାଭିମାନ ତାକୁ ସହଯୋଗର ହାତ ବଢାଏ । କସ୍ତୁରୀ ମୃଗ ଭଳି ଇତସ୍ତତଃ ଭ୍ରମିତ ମାନବ
କ୍ରମେ ସ୍ଥିର ହୁଏ । ନିଜ ଭିତରେ ଥିବା ପ୍ରତିଭାକୁ ସ୍ଵାଭିମାନର ନକ୍ସା ଧରି ଆବିଷ୍କାର କରେ ।
ସ୍ଵପ୍ନର ପରିଧି ଭିତରୁ ଉପହାସ କରି ଉଭେଇ ଯାଇଥିବା ଅନୁଭୂତିମାନଙ୍କୁ ତା’ର ଯାଦୁକରି ସ୍ପର୍ଶରେ ଆକର୍ଷୀ ଆଣେ । ଆଉ ତା’ପରେ ଗଢା ହୁଏ
ତା’ ସ୍ଵାଭିମାନର ସୌଧ । ବାସ୍ତବତାର ରଙ୍ଗତୂଳିରେ ସେ ତା’ ସୌଧକୁ ରଙ୍ଗ ଦିଏ ଏବଂ ପ୍ରମାଣ କରେ ଯେ -
“ସ୍ଵାଭିମାନ ଶବଦେହେ ଆଣଇ ଜୀବନ,
ଆଣେ ସେ ସମ୍ଭାବନା ଏଠି ପ୍ରତି
କ୍ଷଣ ।
ସ୍ଵାଭିମାନ ବଳେ ପୌରୁଷତ୍ଵ
ଜାଗେ
ବାସ ଚହଟଇ ସଦା ପ୍ରତି ଦିଗେ”
।
Comments
Post a Comment