Stay tuned to my blog - " ନାରୀ " । ଅଧିକ ପଢିବାପାଇଁ ଏଠାରେ କ୍ଲିକ କରନ୍ତୁ ।

  ବିବାହ ବେଦିରେ ହୋମାଗ୍ନିକୁ ସାକ୍ଷୀ ରଖି ନାରୀଟିଏ ଯେତେବେଳେ ସମାଜ ଆଖିରୁ ଯନ୍ତ୍ରଣାର କଜ୍ଵଳଗାରକୁ ପୋଛି ଦେବାର ଭୀଷ୍ମ ଶପଥ ନେଇ ଏକ ଅଜଣା- ଅଶୁଣା ପରିବାରର ଦୁଆରବନ୍ଧରେ ବାମ ପାଦ ରଖି ଭିତରକୁ ପ୍ରବେଶ କରେ, ସେତେବେଳେ ତା’ ସ୍ଵପ୍ନର ପରିଧି ମଧ୍ୟରେ ଅଜସ୍ର ସମ୍ଭାବନା ତାକୁ ହାତ ଠାରି ଡାକେ । ତେବେ, ସେ ସମ୍ଭାବନା ସମୂହକୁ ସାଉଁଣ୍ଟି ନେବା ଆଗରୁ ହଠାତ କ’ଣ ହୁଏ କେଜାଣି, ସମସ୍ୟାର ବୁଢିଆଣୀ ଜାଲ ମଧ୍ୟରେ ସେ ଛନ୍ଦି ହୋଇପଡ଼େ ଏବଂ ବିଚାର ଶୂନ୍ୟ ହୁଏ । ସେ ପ୍ରତିଟି ପ୍ରାଣକୁ ଛୁଇଁ ନଦୀ ଭଳି ବହିବାକୁ ଆରମ୍ଭ କରେ ସତ; କିନ୍ତୁ ସାମାଜିକ ବିଧି ବିଧାନର ଅର୍ଗଳି ମଧ୍ୟରେ କିଂକର୍ତ୍ତବ୍ୟ ବିମୁଢ ହୋଇଯାଏ । ତଥାକଥିତ ପାରମ୍ପରିକ ସାମାଜିକ ନିୟମାବଳୀ ତା’ ସମ୍ଭାବନା ଉଦ୍ୟାନରେ ଅଦିନିଆ  ଝଡ଼ର ଆହବକୁ ଆହ୍ଵାନ କରି ଆଣେ । ସେ ସମାଧାନର ପନ୍ଥାକୁ ସନ୍ଧାନ କରିବା ଆଗରୁ ତା’ ଅନୁସନ୍ଧିଚ୍ଛୁ ମନ ମରିଯାଏ ।

ବିବାହ ବେଦିରେ ସେ ନେଇଥିବା ଶପଥ ତାକୁ ଅଟ୍ଟହାସ୍ୟ କରେ । ତା’ ଆଖିରୁ ଅଶ୍ରୁ ଝରେ ଶୈରେନ୍ଧ୍ରୀ ଅଶ୍ରୁ ଭଳି । ତା’ ଭିତରେ ନୀରବ ବିଦ୍ରୋହ ଝଙ୍କାର ତୋଳେ । ହେଲେ, ସେ ବିଦ୍ରୋହର ସ୍ଵର ତା’ ହୃଦୟର ବନ୍ଧକୁ ଡେଇଁ ଆସି ପାରେନା । ସେ ହଠାତ ନିଜ ଭିତରେ ଏକ ସ୍ଵର୍ଗୀୟ ଶକ୍ତି ପ୍ରବାହକୁ ଆବିଷ୍କାର କରେ । ତା’ର ମନେପଡ଼େ ସେ ତ ଦୁର୍ଗାଙ୍କ ପ୍ରତିରୂପ । ତା’ ଭିତରେ ଜାଗୃତି ଆସେ । ଜାଗୃତିର ଦୀପଟିଏ ଜାଳି ସେ ନିଜକୁ ଆଲୋକିତ କରେ । ତା’ ଭିତରର ପୌରୁଷତ୍ଵ ବଞ୍ଚି ଉଠେ । ତା’ ମୁହଁ ସାରା ଛାଇ ହୋଇ ଯାଇଥିବା ବିଷାଦର ବ୍ରଣ ସବୁ ଆପେ ଆପେ ଲିଭିଯାଏ । ତା’ ଭିତରର ସ୍ଵାଭିମାନ ତାକୁ ଯେମିତି କହେ-

“ସ୍ଵାଭିମାନୀ ସିନା ସୃଷ୍ଟି କରି ପାରେ

  ନିଜେ ନିଜ ପରିଚୟ,  

  ବିଜୟର ଟୀକା ପିନ୍ଧି ସେ ପାରେ

  କାହାଠେ ନଥାଏ ଭୟ । ”

ତେବେ, ସେ’ ନାରୀ ଚରିତ୍ର ଭଳି ଆସନ୍ତୁ ନା, ଆମେ ସମସ୍ତେ ସ୍ଵାଭିମାନର ମନ୍ତ୍ରରେ ନିଜ ନିଜକୁ ଅଭିମନ୍ତ୍ରିତ କରି ନିଜ ଭିତରେ ଜାଗୃତି ଆଣିବା । 

Comments