Stay tuned to my blog- ' ଫେରନ୍ତା ସୁଅ' । ଅଧିକ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ ।

ପ୍ରାପ୍ତି ଓ ଅପ୍ରାପ୍ତିର ଦୋଛକିରେ ପୃଥିବୀର ସବୁଜିମା ଯେତେବେଳେ ଫିକା ଫିକା ଲାଗେ ଏବଂ ନୀଳ ଆକାଶରେ ଘନକୃଷ୍ଣ ବାଦଲ ଯେତେବେଳେ ଅଦିନରେ ମାଡି ଆସେ, ସେତେବେଳେ ପ୍ରତିଟି ନଈର ସୁଅ ଫେରିବାକୁ ଆରମ୍ଭ କରେ ତା’ ଉତ୍ପତ୍ତି ସ୍ଥଳ ପର୍ଯ୍ୟନ୍ତ । ହେଲେ, ସତରେ କ’ଣ ନଈ ସୁଅର ଫେରନ୍ତା ଗତି ଅଛି? ହଁ, ଫେରନ୍ତା ସୁଅର ଗତି ଏକ ବିକୃତ ମାନସିକତା ହୋଇପାରେ ଅଥବା ଏକ ପ୍ରତାରିତ ଆତ୍ମାର ପ୍ରତୀକ ହୋଇପାରେ । ସମ୍ପର୍କର ମହାସେତୁରେ ଫାଟ ସୃଷ୍ଟି ହେଲେ ଏ ବିକୃତ ମାନସିକତା ପ୍ରତୀକାତ୍ମକ ଭାବେ ଆତ୍ମ ପ୍ରକାଶ କରେ ।

 ସୃଷ୍ଟିର ପ୍ରାରମ୍ଭରୁ ଏଠି ଆକାଶ ଓ ଧରିତ୍ରୀର ଆଲିଙ୍ଗନ ହିଁ ତ ପ୍ରେମର ପ୍ରଥମ ସନ୍ତକ ବହନ କରି ସମ୍ପର୍କର ମହାସେତୁ ନିର୍ମାଣ ପାଇଁ ମୂଳଦୁଆ ସ୍ଥାପନ କରିଥିଲା । ଏ ମହାସେତୁର ପ୍ରତିଷ୍ଠା ପର୍ବରେ ସୂର୍ଯ୍ୟ ଆଉ ପଦ୍ମିନୀର ଚୁପଚାପ କଥାବାର୍ତ୍ତା ପ୍ରତିଟି ପ୍ରାଣକୁ ସେଦିନ ଆହ୍ଲାଦିତ କରିଥିଲା । ତେବେ, ହଠାତ ଏମିତ କ’ଣ ହେଲା ଯେ ସମ୍ପର୍କର ମହାସେତୁରେ ଭୂମିକମ୍ପ ହେଲା । ଯୁବତୀ ସ୍ରୋତସ୍ଵିନୀର ସୁଅ ଫେରନ୍ତା ପଥରେ ଉନ୍ମାଦିତ ହୋଇ ପାଦ ବଢାଇଲା । ହେଲେ, ସେ ଭୁଲି ଯାଇଥିଲା ଯେ ତା’ ଫେରନ୍ତା ପଥ ବନ୍ଦ ସବୁଦିନ ପାଇଁ । ରଙ୍ଗୀନ ଫୁଲ ଆଉ ପ୍ରଜାପତି ତା’ ଆଖିକୁ ଫିକା ଲାଗିଲା । ଏ କ’ଣ ? କିଏ ଯେମିତି ତା’ ଆଖି ସାମ୍ନାରେ ପର୍ଦ୍ଦାଟିଏ ଢାଙ୍କି ଦେଲା । ସାଗର ତ ତାକୁ ହାତ ଠାରି ଡ଼ାକିଥିଲା ତା’ ବିଶାଳ ବକ୍ଷରେ ଲୀନ ହେବା ପାଇଁ ।  ତେବେ, ସେ’ ଏମିତି ଲୁଚକାଳି ଖେଳ ଖେଳୁଛି କାହିଁକି ? ଏ କ’ଣ ତା’ହେଲେ ପ୍ରତିଟି ଉନ୍ମାଦିତ ଅନୁଢା ପ୍ରାଣର ଅନ୍ତିମ ପରିଣତି ? ସେ ଏବେ ମଝି ରାସ୍ତାରେ । ଆଗକୁ ବଢିବାର ସଂକେତ ନାହିଁ । ପଛକୁ ବି ଫେରିବା ସମ୍ଭବ ନୁହଁ । ସେ ଏବେ ଅନୁତପ୍ତ ତା’ ଅପରିଣାମଦର୍ଶିତା ପାଇଁ । ତଥାପି ତାକୁ ବଞ୍ଚିବାକୁ ହେବ ତା’ ଯନ୍ତ୍ରଣାକୁ ଛାତିରେ ଚାପି ଧରି । ତାହେଲେ ସିନା, ସେ ଆଗାମୀ ନଈର ସୁଅମାନଙ୍କୁ ଚେତାବନୀ ଦେବ ସାଗରମାନଙ୍କର ପ୍ରତିଟି ନିମନ୍ତ୍ରଣ ମିଳନର ସଂକେତ ନୁହଁ ବୋଲି । 

Comments