Stay tuned to my blog- "ବସନ୍ତର ସ୍ମୃତି ପଥେ " । ଅଧିକ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ ।

ପ୍ରତି ସନ ବସନ୍ତ ଆସେ ବାସନ୍ତିର ସ୍ମୃତି ଚାରଣ କରି । ବାସନ୍ତୀର ପ୍ରତିଟି ପ୍ରସ୍ତୁତିକୁ ଅସ୍ଥାୟୀ ବୋଲି ଜାଣି ବି ବସନ୍ତ ବାସନ୍ତୀକୁ ଭଲ ପାଏ । ଏ ଭଲ ପାଇବା ତା’ହେଲେ କ’ଣ ଏକ ପ୍ରଗଳ୍ଭତା ? ବାସନ୍ତୀ ପାଇଁ ତ ପ୍ରତିସନ ଫଗୁଣରେ ବସନ୍ତ ତା’ ପ୍ରେୟସୀକୁ ପର କରେ । ତା’ ପ୍ରେୟସୀ ଅଭିମାନ ବି କରେ । ବାସନ୍ତୀର ଆଗମନରେ ପ୍ଳାବିତ ନଦୀ ବି ନିଥର ହୁଏ । ନଈ ପଠାର କାଶତଣ୍ଡି ଫୁଲ ମୁହଁକୁ ଫୁଲେଇ ବସେ  ବସନ୍ତର ଫଗୁଣ ସାୟାହ୍ନରେ । ପୁଣି ବାସନ୍ତୀର ଆଗମନରେ ବଇଁଶି ନିଷ୍ପ୍ରଭ ହୁଏ । ଶିଳା ବି ଅନ୍ୟ ମନସ୍କ ହୋଇ ବିଳାପ କରେ । କିନ୍ତୁ ହଠାତ ଏ କ’ଣ ହୁଏ? ଫଗୁଣ ସରିଲେ ବାସନ୍ତୀ ଫେରିଯାଏ । ବସନ୍ତ ପ୍ରତୀକ୍ଷାର ବିରହ ଧୁନରେ ନିଜକୁ ହଜେଇ ଦିଏ । ସେ ଅନ୍ୟ ମନସ୍କ ହୋଇପଡ଼େ । ତା’ ହେଲେ ବାସନ୍ତୀମାନେ ଛଳନାମୟୀ ନା’? ଅବୁଝା ବଇଁଶିର ସ୍ଵର, ଶିଳାର ଅଧିରତା ବସନ୍ତ ପାଇଁ ଅସହ୍ୟ ମନେହୁଏ । କାରଣ ସେ ତ ବାସନ୍ତୀର ବିରହରେ ବିଳପିତ ।

ବାସନ୍ତୀ ଯିବା ପରେ ବସନ୍ତ ଆବେଗର ଉତ୍ସ୍ୱାସରେ ନିଜକୁ ନିଜେ ପ୍ରଶ୍ନ କରେ, ସେ ଏବେ ପ୍ରକୃତିର ଏକ ଚିରନ୍ତନ ସତ୍ୟକୁ ଉପେକ୍ଷା କରି ବାସନ୍ତୀର ବିରହରେ ନିଜକୁ ଅଣଦେଖା କରିନି ତ ? ପ୍ରକୃତିର  ସନ୍ତୁଳିତ ସମ୍ପର୍କର ଧାରା  ସେ ଏବେ ଭୁଲିଯାଇ ନାହିଁ ତ ? ତାହେଲେ, ସେ କ’ଣ ବିସ୍ମୃତ ଏବେ ପ୍ରକୃତିର ସେ ନିୟମ ସମ୍ପର୍କରେ? ତାହେଲେ ,ବାସନ୍ତୀ କ’ଣ ବିସ୍ମୃତ? ପ୍ରାରମ୍ଭ ପରେ ସମାପ୍ତି ଥାଏ ବୋଲି ସେ ଏବେ ଭୁଲି ଯାଇଛି କି? ନା ଭୁଲି ଯାଇଛି ବାସନ୍ତୀ? ତାହେଲେ, ଆସନ୍ତୁ ଖୋଜିବା ପ୍ରକୃତିର ସେହି ସରଳ ସୂତ୍ରକୁ, ଯେଉଁଠାରେ କି ବସନ୍ତ ଓ ବାସନ୍ତୀ ପ୍ରତିସନ ଫଗୁଣରେ ସୂତ୍ର ସମାଧାନ କଲାବେଳେ ଭୁଲ କରି ବସନ୍ତି । ସେମାନଙ୍କୁ ବୁଝିବାକୁ ହେବ ଯେ, ସମ୍ପର୍କ ଥିଲେ ବିଚ୍ଛେଦ ଅଛି, ଆଗମନ ଥିଲେ ପ୍ରତ୍ୟାଗମନ ଅଛି, ଜୁଆର ପରେ ଭଟ୍ଟା ବି ଅଛି । ଏହା ବୋଧେ ସୃଷ୍ଟିର ଆଦ୍ୟ ଓ ଅନ୍ତିମ ନିୟମ । ତାହେଲେ, ଆଉ ଏବେ ଏତେ ବିଚଳିତ କାହିଁକି ?        

Comments