Stay tuned to my blog - ' ସ୍ମୃତି କ’ଣ ସମୃଦ୍ଧିର ଅନ୍ୟନାମ' । ଅଧିକ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ ।

 ସ୍ମୃତି ଓ ସମୃଦ୍ଧି ଗୋଟିଏ ଜାତିର ସଂସ୍କୃତିକୁ ନେଇ ପରିପୃଷ୍ଟ । ସଂସ୍କୃତିର ପଦଧ୍ଵନିକୁ ନୀରବରେ ବସି ପ୍ରତି ମୁହୂର୍ତ୍ତରେ ଶ୍ରବଣ କରିପାରୁଥିବା ମଣିଷମାନେ ସ୍ମୃତି ଓ ସମୃଦ୍ଧିର ଦୋଛକିରେ ବେଳେବେଳେ “କିଂ କର୍ତ୍ତବ୍ୟ ବିମୁଢ” ହୋଇଯାନ୍ତି । କାରଣ ଏଠି ପ୍ରତିଟି ସ୍ମୃତି ସବୁରି ଅଲକ୍ଷ୍ୟରେ  ଏକ ସଂସ୍କୃତିକୁ ବହନ କରିଥାଏ । ସ୍ମୃତିର ପେଟ ଚିରି ସଂସ୍କୃତି ଯେତେବେଳେ ଆତ୍ମ-ପ୍ରକାଶ କରେ, ସେତେବେଳେ ସେ ସମୃଦ୍ଧିର ବୀଜବପନ କରି ଏ ମଣିଷ ସମାଜକୁ ଅତୀତର ମହନୀୟ କୀର୍ତ୍ତିକଳାପ ସମ୍ପର୍କରେ ବାରମ୍ବାର ସଚେତନ କରେ । ସମୃଦ୍ଧିର ବୀଜ ଦ୍ରୁମର ରୂପ ନେବା ଯାଏଁ ସଂସ୍କୃତି ତା ସାଥେ ସାଥେ ରହି ତାକୁ ପରିପୃଷ୍ଟ କରେ । ବିଂଶ ଶତାବ୍ଦୀର ଅନ୍ତିମ ସୋପାନରେ ଦଣ୍ଡାୟମାନ ଏ ମଣିଷ ଏବେ ଯେଉଁ ନୂତନ ଦିଗନ୍ତର ସୂର୍ୟ୍ୟୋଦୟକୁ ଦେଖିବାକୁ ପ୍ରୟାସରତ ତାହା ବେଳେବେଳେ ସ୍ମୃତି ଓ ସଂସ୍କୃତିକୁ ଉପେକ୍ଷା କରି ଆଧୁନିକତା ନାମରେ ସମୃଦ୍ଧିକୁ ଉପହାସିତ କରିଥାଏ । ଫଳତଃ, ମଣିଷ ଜୀବନରେ ଯେଉଁ ଆକସ୍ମିକ ବିଫଳତା ଆସିଥାଏ ତାହା ଏ ଜାତି ପାଇଁ ବିପଦ ଘଣ୍ଟି ବଜାଏ; ଅଥଚ, ସେ ବିପଦ ଘଣ୍ଟିର ପ୍ରତିଧ୍ୱନି ସାଧାରଣ ମଣିଷର କର୍ଣ୍ଣ ଗହ୍ଵରରେ ଆଲୋଡନ ସୃଷ୍ଟି କରିପାରେ ନାହିଁ କାରଣ ସ୍ମୃତି ଓ ସଂସ୍କୃତିର ମୃଦୁ ହିଲ୍ଲୋଳରେ ତା’ ପ୍ରାଣତନ୍ତ୍ରୀ ଗୁଞ୍ଜରିତ ହୁଏ ନାହିଁ । ସତେ ଅବା ଏ ପରିସ୍ଥିତିରେ ଉଗ୍ର ଆଧୁନିକତା ତାକୁ ମୂକ ଓ ବଧିର କରି ଦେଇଛି । ସେ ପ୍ରତିଟି ଘଟଣାର ନୀରବ ଦ୍ରଷ୍ଟା ସାଜି ତା’ର ସମସ୍ତ ସ୍ମୃତି, ସଂସ୍କୃତି ଓ ସମୃଦ୍ଧିକୁ ଯେଉଁଭଳି ଭାବରେ ସମାଧିସ୍ଥ କରୁଛି, ତାହା ବିଦ୍ଵାନ ବରପୁତ୍ରମାନଙ୍କୁ ସ୍ତମ୍ଭୀଭୂତ କରିଦିଏ । ଏହି ପରିପ୍ରେକ୍ଷୀରେ ସ୍ମୃତିର ଦର୍ପଣରେ ଆମ ସଂସ୍କୃତିର ପ୍ରତିଫଳନକୁ ଦେଖିଲେ ମନେହୁଏ ଯେ ସ୍ମୃତି ବିନା ସମୃଦ୍ଧି “ଆକାଶ କୟାଁ ଓ ଚିଲିକାର ମାଛ” ସଦୃଶ । ତେବେ ଆସନ୍ତୁ, ସମୟକୁ ପ୍ରଶ୍ନ କରିବା ଥରେ ଏଥିପାଇଁ ଦାୟୀ କିଏ?

ଅଧୁନା ଆମ ଏ ସଂସ୍କୃତି ପ୍ରାପ୍ତି ଓ ଅପ୍ରାପ୍ତିର ଦୋଛକିରେ ବାଟବଣା ହୋଇସାରିଲାଣି; ତା’ର ସେ ଐତିହ୍ୟ ଆଜି ଅବଲୁପ୍ତ ପ୍ରାୟ । ତା’ର ସବୁଜ ଦିଗବଳୟ ଆଜି ଧୂସରିତ । ଆମ ଏ ସଂସ୍କୃତିର ଆକାଶରେ ଆଜି ଘନକୃଷ୍ଣ ବାଦଲର ଅଦିନିଆ ଝଡ଼ । ଆମର ଏ ଅପହୃତ ସଂସ୍କୃତିକୁ ପୁନଃ ସ୍ଥାପନ କରିବାକୁ ହିଁ ହେବ । ତା’ ସ୍ଵାଭିମାନ, ସ୍ଵପ୍ନ ଓ ସମ୍ଭାବନାକୁ ଆମକୁ ହିଁ ସାକାର କରିବାକୁ ହେବ । ନଚେତ, ଆମ ଏ ସଂସ୍କୃତି ବିଦେଶୀ ଝଡ଼ର ବତାସୀ ପବନରେ ଅସ୍ତବ୍ୟସ୍ତ ହୋଇଯିବ । “ବେଦକୁ ଫେରିଚାଲ”-ଏକ ବିକୃତ ମାନସିକତା ନୁହଁ । ପାଗଳର ପ୍ରଳାପ ବି ନୁହଁ । ଏହା ହିଁ ବୋଧେ ଧ୍ରୁବ ସତ୍ୟ । ବେଦ ଓ ପୁରାଣ ବିନା ଏ ମାନବ ଜାତିର ଅବକ୍ଷୟ ସୁନିଶ୍ଚିତ । ନୈତିକ ମୂଲ୍ୟବୋଧ ବିଡମ୍ବିତ । ଏ ଜାତିର ସମ୍ମାନ ଆମ ପ୍ରତ୍ୟେକଙ୍କ ସମ୍ମାନ । ତେଣୁ ଆସନ୍ତୁ ନା, ଏ ଜାତିର ସଂସ୍କୃତିକୁ ସୁରକ୍ଷିତ କରିବାବେଳେ ଏ ଜାତିର ସ୍ଵାଭିମାନକୁ ବଞ୍ଚାଇବା ବେଳେ ମିଳିତ କଣ୍ଠରେ ଆମେ ଉଚ୍ଚାରଣ କରିବା “ସର୍ବେ ଭବନ୍ତୁ ସୁଖୀନଃ, ସର୍ବେ ସନ୍ତୁ ନିରାମୟା” ।

Comments